ମାତ୍ର ୧ ଟଙ୍କା ଦରମା ନେବେ ପଞ୍ଜାବର ନୂଆ ଆଡଭୋକେଟ ଜେନେରାଲ
ଚଣ୍ଡିଗଡ଼: ପଞ୍ଜାବର ନୂଆ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି ଅନମୋଲ ରତନ ସିଦ୍ଧୁ। ଏହି ପଦ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଶ୍ରୀ ସିଦ୍ଧୁ ଦରମା ଆକାରେ ମାତ୍ର ୧ ଟଙ୍କା ନେଇ ପଞ୍ଜାବ ସରକାରଙ୍କ ପାଇଁ କାମ କରିବେ। ରାଜ୍ୟ ସରକାରଙ୍କ ଉପରେ ସେ ଅତରିକ୍ତ ଆର୍ଥିକ ଚାପ ପକାଇବାକୁ ସେ ଚାହୁଁଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ସବୁ ମାମଲାରେ ସେ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଲଢ଼ିବେ ବୋଲି ମଧ୍ୟ କହିଛନ୍ତି। ଦୀର୍ଘ ବର୍ଷ ଓକିଲାତି କରିବାର ଅଭିଜ୍ଞତା ରଖିଥିବା ଶ୍ରୀ ସିଦ୍ଧୁ ଅନେକ ସମ୍ବେଦନଶୀଳ ସରକାରୀ ଓ ଘରୋଇ ମାମଲା ଲଢ଼ିଛନ୍ତି। ସାମ୍ବିଧାନିକ, ଅପରାଧିକ, ସିଭିଲ, ସର୍ଭିସ ଓ ଅନେକ ଜମିଜମା ମାମଲାରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଲଢ଼ିବାର ନଜିର ରହିଛି।
ସାମାଜ ସେବା ପାଇଁ ତାଙ୍କୁ ପଞ୍ଜାବର ସର୍ବୋଚ୍ଚ ବେସାମରିକ ସମ୍ମାନ ପରମନ ପାତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି। ୧୯୫୮ ମସିହା ମେ’ ୧ ଅର୍ଥାତ ଶ୍ରମିକ ଦିବସରେ ଗୋଟିଏ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅନମୋଲ ରତନ ସିଦ୍ଧୁ। ୧୯୭୫ରେ ସେ ଚଣ୍ଡିଗଡ଼କୁ ଯିବା ପୂର୍ବରୁ ଗାଁ ସ୍କୁଲରେ ପାଠପଢ଼ିଥିଲେ। ୧୯୭୫ରେ ସେ ସେକ୍ଟର-୧୧ରେ ଥିବା ସରକାରୀ କଲେଜରେ ଉଚ୍ଚ ଶିକ୍ଷା ପାଇଁ ନାଁ ଲେଖାଇ ଥିଲେ। ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନ ପାଠ୍ୟକ୍ରମର ଶିକ୍ଷା ଲାଭ କରିଥିବା ସିଦ୍ଧୁ କଲେଜ ସମୟରେ ସୋସିଓ-ପଲଟିକାଲ ଛାତ୍ର ଥିଲେ। ୧୯୮୧ରୁ ୧୯୮୨ ଯାଏ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ଭାବେ କାର୍ଯ୍ୟ କରିଥିଲେ। ୧୯୯୫ରେ ସେ ବିଧିବଦ୍ଧ ଭାବେ ଆଇନ ବା ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ।
୧୯୯୩ରେ ସେ ପଞ୍ଜାବର ଡେପୁଟି ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇ ୨୦୦୫ ଯାଏ ଏହି ପଦରେ କାମ କରିଥିଲେ। ୨୦୦୭ରେ ତାଙ୍କୁ ବରିଷ୍ଠ ଆଇନଜୀବୀର ମାନ୍ୟତା ମିଳିଥିଲା। ୨୦୦୮ରୁ ୨୦୧୪ ଯାଏ ଶ୍ରୀ ସିଦ୍ଧୁ ଭାରତର ଆସିସଷ୍ଟାଣ୍ଟ ସଲିସିଟିର ଜେନେରାଲ ଭାବେ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟକାଳ ମଧ୍ୟରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ସିବିଆଇ ଓକିଲ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ। ତେଣୁ ତାଙ୍କୁ ପଞ୍ଜାବର ଆପ୍ ସରକାର ଆଡଭୋକେଟ ଜେନାରାଲ ଭାବେ ଦାୟିତ୍ୱ ଦେଇଛନ୍ତି।
