ପ୍ରଶାସନ ନୀରବ ଦ୍ରଷ୍ଟା; ଜୀବନ ରକ୍ଷା ପାଇଁ ଗ୍ରାମବାସୀ ବାନ୍ଧିଲେ ଲୁଣି ବନ୍ଧ
ବାଲିଆପାଳ : ସରକାର ଗୁହାରୀ ଶୁନିଲେନି । ପ୍ରଶାସନ ଆଖି ବୁଜିଦେଲା । ଶେଷରେ ଗ୍ରାମବାସୀ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଏକତ୍ରିତ ହୋଇ ଅଣ୍ଟା ଭିଡ଼ିଲେ । ନିଜ ଜୀବନ ରକ୍ଷା ପାଇଁ ଲୁଣି ବନ୍ଧ ବାନ୍ଧିଲେ । ଗାଁ ଭିତରକୁ ପଶି ଯାଉଥିବା ଉଚ୍ଚ ଲୁଣି ଜୁଆର ଆଉ ପଶି ପାରୁନି ଗାଁ ଭିତରକୁ । ୟାସ୍ ବାତ୍ୟାରେ ଭାଙ୍ଗି ଯାଇଥିବା ଲୁଣି ବନ୍ଧକୁ ମରାମତି କରି ନିଜ ଅଞ୍ଚଳକୁ ଲୁଣା ଜୁଆରରୁ ରକ୍ଷା କରି ଏକତାର ବଳ ବୋଲି ପ୍ରମାଣ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକର ଚୌମୁଖ ଗ୍ରାମ ପଞ୍ଚାୟତର ଦୁଇ ସମୁଦ୍ର ଉପକୂଳ ଗାଁରେ ।
ବାଲିଆପାଳ ବ୍ଲକର ଚଉମୁଖ ଓ କଙ୍କଡ଼ାପାଳ ଗାଁ ସମୁଦ୍ର ଓ ସୁବର୍ଣ୍ଣରେଖା ନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ । ଗତ ୟାସ୍ ବାତ୍ୟାରେ ସମୁଦ୍ର ଓ ନଦୀ ମୁହାଣରୁ ଲୁଣି ଜୁଆର ମାଡ଼ି ଆସି ଗାଁ କୁ ସୁରକ୍ଷା ଦେଉଥିବା ଲୁଣି ବନ୍ଧକୁ ଭାଙ୍ଗି ଦେଇଥିଲା । ସୁରକ୍ଷା ବନ୍ଧର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଘାଇ ହୋଇ ଲୁଣି ପାଣି ଗାଁ ଭିତରକୁ ମାଡ଼ି ଆସିଥିଲା । ଧନଜୀବନ ନଷ୍ଟ ହେବା ସହିତ ଶହ ଶହ ଏକର ଚାଷ ଜମିରେ ଲୁଣା ପାଣି ଜମି ଯାଇଥିଲା । ଯାହା ପାଇଁ ଚାଷୀ ଅଜିବି ଚାଷ ହରାଉଛି । ବାତ୍ୟାର ବହୁ ମାସ ପରେ ମଧ୍ୟ ଲୁଣି ବନ୍ଧର ଘାଇ ମରାମତି ସରକାର କଲେ ନାହିଁ । ଫଳରେ ଅମାବାସ୍ୟା ପୂର୍ଣ୍ଣମୀରେ ଉଚ୍ଚ ଜୁଆର ହେଲେ ସେହି ଘାଇ ଦେଇ ଲୁଣି ପାଣି ଚାଷ ଜମିକୁ ମାଡ଼ି ଆସୁଥିବାରୁ ଗ୍ରାମବାସୀ ଚାଷ କରି ନପାରି ବହୁ ଅସୁବିଧାର ସମ୍ମଖୀନ ହେଉଛନ୍ତି । ଗ୍ରାମବାସୀ ଯେତେ ଗୁହାରୀ କଲେ ମଧ୍ୟ ପ୍ରଶାସନ କି ସରକାର ଗୁହାରି ଶୁଣିଲେ ନାହିଁ । ଶେଷରେ ଗ୍ରାମବାସୀ ଏକତ୍ରିତ ହୋଇ ନିଜ ଅଞ୍ଚଳର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ି ଲୁଣି ବନ୍ଧ ମରାମତି କରୁଛନ୍ତି । ଏହି କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଅଗ୍ରୀଣ ସେଚ୍ଛାସେବୀ ସଙ୍ଗଠନ ସ୍ପୋର୍ସ ଓ ଗୁଞ୍ଜ ଏନଜିଓ ସହାୟତାର ହାତ ବଢ଼ାଇ ଥିବାରୁ ଗ୍ରାମବାସୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ସରକାର ଯଦି ଏହି ଲୁଣି ବନ୍ଧକୁ ପଥର ବନ୍ଧରେ ରୂପାନ୍ତରିତ ନ କରନ୍ତି ତେବେ ସମୟ ଆସିବା ଚଉମୁଖ ଓ କଙ୍କଡ଼ାପାଳ ଗାଁ ସମୁଦ୍ରରେ ଲୀନ ହୋଇଯିବ ।
