ଜଗନ୍ନାଥ ମନ୍ଦିରରୁ ଚୋରୀ : ତାଲା ଭାଙ୍ଗି ଲୁଟି ନେଲେ ସୁନାଗହଣା-ହୁଣ୍ଡି, ଛାଡ଼ିଲେନି ଠାକୁରଙ୍କ ବସ୍ତ୍ର
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରସିଦପୁର ସ୍ଥିତ କୃପାକ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରୁ ସୋମବାର ମଧ୍ୟରାତ୍ରିରେ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଦୁର୍ବୃତ୍ତଙ୍କ ଦ୍ୱାରା ଚୋରି ହୋଇ ଥିବାର ସୂଚନା ମିଳିଛି । ଏଥିସହିତ ପ୍ରଭୁଙ୍କର ଦୁଇଟି ଦାନବାକ୍ସ ଭାଙ୍ଗି ୫୦ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରର ୪ଟି କବାଟ ତାଲା ଭାଙ୍ଗି ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଦେହରୁ ସମସ୍ତ ସୁନା ଓ ରୂପା ଅଳଙ୍କାର ଲୁଟି ନେବା ସହ ପ୍ରଭୁଙ୍କର ବସ୍ତ୍ର ମଧ୍ୟ ଚୋରି କରି ଚମ୍ପଟ ମାରିଛନ୍ତି ।
ମଙ୍ଗଳବାର ପ୍ରତ୍ୟୁଷରୁ ପୂଜାରୀ ମନ୍ଦିର ଭିତରକୁ ପ୍ରଭୁଙ୍କ ମଙ୍ଗଳାଚରଣ ନିମନ୍ତେ ଯାଇଥିବା ବେଳେ କବାଟ ତାଲା ଭାଙ୍ଗିଯାଇଥିବାର ଦେଖି ସେବାୟତ ଓ ଗ୍ରାମବାସୀମାନଙ୍କୁ ଖବର ଦେଇଥିଲେ । ଖବରପାଇ ସେବାୟତ ଓ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଯାଇ ତିନିଠାକୁରଙ୍କ ଦେହରୁ ଅଳଙ୍କାର, ବସ୍ତ୍ର ଓ ଦାନବାକ୍ସରୁ ଦାନ ଅର୍ଥ ଚୋରି ହୋଇଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଲାସୀ କରିଥିଲେ ମଧ୍ୟ ଅଦ୍ୟାବଧି କାହାକୁ ଗିରଫ କରାଯାଇ ନାହିଁ ।
