ବାଇକକୁ ପିଟିଲା ଟ୍ରକ୍, ଜଣେ ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦିପଦା ଗେମନ ବ୍ରିଜ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍କୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ମୃତ ବାଇକ୍ ଆରୋହୀ ହେଲେ ସଦର ଥାନା ଅନ୍ତର୍ଗତ ବାଙ୍କତିରା ଗ୍ରାମର ହେମନ୍ତ ଜେନାଙ୍କ ପୁତ୍ର ତାପସ କୁମାର ଜେନା ବୋଲି ପକେଟ୍ରେ ଥିବା ପରିଚୟପତ୍ରରୁ ଜଣାପଡିଛି । ଘଟଣାସ୍ଥଳରେ ହଳଦିପଦା ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଉଭୟ ଗାଡ଼ିକୁ ଜବତ କରିଛନ୍ତି । ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।
