ଜାଣନ୍ତୁ କଣ ପାଇଁ ପାଳନ କରାଯାଏ ଅନ୍ତର୍ଜାତୀୟ ମହିଳା ଦିବସ ? ଏହା କେବେ ଓ କିପରି ଆରମ୍ଭ ହେଲା
ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ତେବେ ଆପଣ ଜାଣିଛନ୍ତି କି ଏହି ଦିବସ କାହିଁକି ପାଳନ କରାଯାଏ? ଏହା କେବେ ଆରମ୍ଭ ହେଲା। ବିଭିନ୍ନ ଦେଶରେ ଏହା ବିଭିନ୍ନ ଭାବରେ ପାଳନ କରାଯାଇଥାଏ । ବିଶେଷତଃ ମହିଳା ମାନଙ୍କ ପ୍ରତି ସମ୍ମାନ, ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ନିମନ୍ତେ ଏହି ଦିବସର ପାଳନର ତାତ୍ପର୍ଯ୍ୟରହିଛି ଏବଂ ମହିଳା ମାନଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉତ୍ସବ ଭାବରେ ଏହି ଦିନର ମହତ୍ୱ ରହିଛି । କିଛି ଦେଶରେ ଏହି ଦିନକୁ ଏକ ସାଧାରଣ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଏ ଏବଂ ଛୁଟି ଘୋଷଣା କରାଯାଇଥାଏ ।
ମହିଳା ମାନଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବା ଏବଂ ସେମାନଙ୍କ ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ତଥା ପ୍ରଶଂସା କରିବା ପାଇଁ ଏହି ଦିବସର ମହତ୍ୱ ରହିଛି । ଅନେକ ଦେଶରେ ଏହି ଦିନଟିକୁ ଜାତୀୟ ଛୁଟି ଘୋଷଣା କରାଯାଏ। ରୁଷ ଏବଂ ଅନ୍ୟାନ୍ୟ ଦେଶରେ ଏହି ଦିନ ଫୁଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହି ସମୟରେ ମହିଳା ଏବଂ ପୁରୁଷ ପରସ୍ପରକୁ ଫୁଲ ଦିଅନ୍ତି। ଚାଇନାର ଅଧିକାଂଶ କାର୍ଯ୍ୟାଳୟରେ ମହିଳାମାନଙ୍କୁ ଅଧାଦିନ ଛୁଟି ଦିଆଯାଏ। ଯୁକ୍ତରାଷ୍ଟ୍ରରେ ମାର୍ଚ୍ଚ ମାସକୁ ମହିଳା ଇତିହାସ ମହୋତ୍ସବ ଭାବରେ ପାଳନ କରାଯାଏ । ଜାଣନ୍ତୁ ସେ ସମ୍ପର୍କରେ…
କେବେ ଆରମ୍ଭ ହେଲା ମହିଳା ଦିବସ?
ବାସ୍ତବରେ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଶ୍ରମିକ ଆନ୍ଦୋଳନରୁ ସୃଷ୍ଟି ହୋଇଛି। ୧୯୦୮ ମସିହାରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। ଯେତେବେଳେ ନ୍ୟୁୟର୍କ ସହରରେ ୧୫ ହଜାର ମହିଳା ମାର୍ଚ୍ଚ ମାସରେ ଆନ୍ଦୋଳନ କରି ଚାକିରି କ୍ଷେତ୍ରରେ ସେମାନଙ୍କ ପାଇଁ କମ ସମୟ, ଭଲ ପାରିଶ୍ରମିକ ଦିଆଯାଉ ବୋଲି ଦାବି କଲେ। ଏହା ସହ ଭୋଟ ଦେବାର ଅଧିକାର ମଧ୍ୟ ଦାବି କରିଥିଲେ। ଏଣୁ ଆନ୍ଦୋଳନର ଏକ ବର୍ଷ ପରେ ଆମେରିକାର ସମାଜବାଦୀ ପାର୍ଟି ଏହି ଦିନଟିକୁ ପ୍ରଥମ ଜାତୀୟ ମହିଳା ଦିବସ ଭାବରେ ଘୋଷଣା କରିଥିଲା।
କିପରି ଏହି ଦିବସକୁ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଗଲା :
ଏପରି ଚିନ୍ତାଧାରା ଜଣେ ମହିଳାଙ୍କର ହିଁ ଥିଲା। ୧୯୧୦ ମସିହାରେ କପିଳେନ୍ଦ୍ରରେ କାର୍ଯ୍ୟରତ ମହିଳାମାନଙ୍କର ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଚାଲିଥିଲା। ଏହି ସମୟରେ କ୍ଲାରା ଜେଟ୍କିନ ନାମ୍ନୀ ମହିଳା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେହି ସମୟରେ ଏହି ସମ୍ମିଳନୀରେ ୧୭ଟି ଦେଶର ୧୦୦ ମହିଳା ଉପସ୍ଥିତ ଥିଲେ। ସମସ୍ତେ ଏହି ପରାମର୍ଶକୁ ସମର୍ଥନ କଲେ। ୧୯୧୧ ମସିହାରେ ଅଷ୍ଟ୍ରିଆ, ଡେନ୍ମାର୍କ, ଜର୍ମାନୀ ଏବଂ ସ୍ବିଜରଲାଣ୍ଡରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ମାତ୍ର ୧୯୭୫ରେ ଏହା ଆନୁଷ୍ଠାନିକ ମାନ୍ୟତା ପାଇଲା। ସେତେବେଳେ ଏହାକୁ ମିଳିତ ଜାତିସଂଘ ଏକ ଥିମ ସହିତ ପ୍ରତିବର୍ଷ ପାଳନ କରିବା ଆରମ୍ଭ କଲା। ଅନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ବିଷୟବସ୍ତୁ ଥିଲା ‘ଅତୀତକୁ ପାଳନ କରିବା, ଭବିଷ୍ୟତ ପାଇଁ ଯୋଜନା’।
୮ ମାର୍ଚ୍ଚରେ କାହିଁକି ପାଳନ ହୁଏ ?
ଏହି ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିଥାଇପାରେ କି ମାର୍ଚ୍ଚ ୮ ତାରିଖରେ କାହିଁକି ଏହି ଦିବସ ପାଳନ କରାଯାଏ। ବାସ୍ତବରେ, କ୍ଲାରା ଜେଟ୍କିନ ମହିଳା ଦିବସ ପାଳନ କରିବାକୁ କୌଣସି ତାରିଖ ନିଶ୍ଚିତ କରି ନ ଥିଲେ। ୧୯୧୭ ମସିହା ଯୁଦ୍ଧ ସମୟରେ, ରୁଷ ମହିଳାମାନେ ‘ରୁଟି ଏବଂ ଶାନ୍ତି’ ଅର୍ଥାତ୍ (ଖାଦ୍ୟ ଏବଂ ଶାନ୍ତି) ଦାବି କରିଥିଲେ। ମହିଳାଙ୍କ ଏହି ଧର୍ମଘଟ ସମ୍ରାଟ୍ ନିକୋଲାସଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା। ପରେ ମଧ୍ୟବର୍ତ୍ତୀକାଳୀନ ସରକାର ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲେ। ସେହି ସମୟରେ ରୁଷରେ ଜୁଲିଆନ କ୍ୟାଲେଣ୍ଡର ବ୍ୟବହୃତ ହେଉଥିଲା। ମହିଳାମାନେ ଧର୍ମଘଟ କରିଥିବା ତାରିଖ ଥିଲା ୨୩ ଫେବୃୟାରୀ। ତେବେ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ଏହି ଦିନ ୮ ମାର୍ଚ୍ଚ ଥିଲା ଏବଂ ସେବେଠାରୁ ଅନ୍ତର୍ଜାତୀୟ ମହିଳା ଦିବସ ୮ ମାର୍ଚ୍ଚରେ ପାଳନ କରାଗଲା।
