ଆଜି ଅନ୍ତର୍ଜାତୀୟ ମହିଳା ଦିବସ! ମହିଳାଙ୍କ ପାଇଁ ଦିନଟିଏ, ଶକ୍ତିର ଉତ୍ସ ନାରୀକୁ ସଶକ୍ତିକରଣ ଆବଶ୍ୟକତା
ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତିବର୍ଷ ମାର୍ଚ୍ଚ ମାସର ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ବିଭିନ୍ନ ଦେଶରେ ବିଭିନ୍ନ ରୂପରେ ମହିଳା ଦିବସ ପାଳନ କରାଯାଇଥାଏ । ପ୍ରଥମେ ଏହି ଦିବସଟି ଶ୍ରମଜୀବୀ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଥିଲା। ସମାଜରେ ମହିଳାଙ୍କୁ ସମାନ ଅଧିକାର, ନ୍ୟାୟ ପ୍ରଦାନ ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହା ପାଳିତ ହୁଏ। ମହିଳାଙ୍କୁ ସଶକ୍ତ କରିବା ଲାଗି ଏହି ଦିନକୁ ସମର୍ପିତ କରାଯାଇଛି।
ଆମେରିକାର ଏକ ରାଜନୈତିକ ଦଳ ସୋସିଆଲିଷ୍ଟ୍ ପାର୍ଟି ଅଫ୍ ଆମେରିକାର ଆହ୍ୱାନରେ ୧୯୦୯ ଫେବ୍ରୁଆରୀ ୨୮ରେ ପ୍ରଥମ ଥର ପାଇଁ ଏକ ମହିଳା ଦିବସ ପାଳନ କରାଯାଇଥିଲା। ଅବଶ୍ୟ ଏହା କେବଳ ଆମେରିକା ମହାଦ୍ୱୀପରେ ହିଁ ସୀମିତ ଥିଲା । ଅଗଷ୍ଟ ୧୯୧୦ ମସିହାରେ ପ୍ରଥମ ବିଶ୍ୱ ମହିଳା ସମାବେଶର ଆୟୋଜନ କରାଯାଇଥିଲା । ସେହିଠାରେ ସମ୍ମିଳିତ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ଏକ ବିଶ୍ୱ ମହିଳା ଦିବସର ଅବଧାରଣା କରାଗଲା । ପାଶ୍ଚାତ୍ୟ ଦେଶମାନଙ୍କରେ ବିଶ୍ବ ମହିଳା ଦିବସ ୧୯୭୭ ମସିହା ପରେ ଅଧିକ ଲୋକପ୍ରିୟ ହେଲା ଯେତେବେଳେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯିବା ପାଇଁ ସ୍ଥିର କରାଗଲା। ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଏକ ଥିମ୍କୁ ନେଇ ଏହି ଦିବସ ପାଳନ କରାଯାଏ। ତେବେ ୧୯୯୬ରେ ପ୍ରଥମଥର ପାଇଁ ଥିମ୍ ଉପରେ ଏହି ଦିନକୁ ପାଳନ କରାଯାଇଥିଲା।
ବିଶେଷତଃ ମହିଳା ମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା , ଓ ସମ୍ମାନ ନିଦର୍ଶନ ନିମନ୍ତେ ଏହି ଦିବସର ପାଳନ କରାଯାଇଥାଏ । ମହିଳା ମାନଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉତ୍ସବ ଭାବରେ ଏହି ଦିନର ମହତ୍ୱ ରହିଛି । କିଛି ଦେଶରେ ଏହି ଦିନକୁ ଏକ ସାଧାରଣ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଏ ଏବଂ ଛୁଟି ଘୋଷଣା କରାଯାଇଥାଏ । ମହିଳା ମାନଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବା ଏବଂ ସେମାନଙ୍କ ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ତଥା ପ୍ରଶଂସା କରିବା ପାଇଁ ଏହି ଦିବସର ମହତ୍ୱ ରହିଛି ।
ସମାଜରେ ମହିଳାଙ୍କୁ ସମ୍ମାନ, ସମାନ ମର୍ଯ୍ୟାଦା ଏବଂ ମହିଳାଙ୍କ ସଶକ୍ତୀକରଣ ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଉଛି। ସମାଜରେ ମହିଳା ଉପରେ ହେଉଥିବା ନିର୍ଯ୍ୟାତନାକୁ ରୋକିବା ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ମହିଳାମାନେ ନିଜକୁ ସଶକ୍ତ କରିବା ସହ ନିଜର ଅଧିକାର ପାଇଁ ଲଢିବାକୁ ଦରକାର। ପ୍ରତିଟି କ୍ଷେତ୍ରରେ ଆଜି ମହିଳାମାନେ ପୁରୁଷଙ୍କ ସହ ସମାନ। ମହିଳାଙ୍କ ସଶକ୍ତୀକରଣ ପାଇଁ ଗତକାଲି ମିଶନ ଶକ୍ତିକୁ ନୂଆ ପରିଚୟ ମିଳିଛି। କ୍ୟାବିନେଟ୍ର ମୋହର ପରେ ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ହୋଇଛି। ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମିଶନଶକ୍ତି ଯେଉଁ କାର୍ଯ୍ୟ କରୁଥିଲା, ତାହା ତ୍ୱରାନିତ ହେବ। ମହିଳା ଓ ଶିଶୁକଲ୍ୟାଣ ବିଭାଗରୁ ମିଶନ ଶକ୍ତିକୁ ଅଲଗା କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।
