ସୁମିରେ ରୁଷ୍ ସେନାର ପ୍ରଚଣ୍ଡ ଆକ୍ରମଣ, ଫସିଛନ୍ତି ଶତାଧିକ ଭାରତୀୟ ଛାତ୍ର
ନୂଆଦିଲ୍ଲୀ : କିଭ୍ ଏବଂ ଖାରକିଭ୍ ପରେ ୟୁକ୍ରେନ୍ର ଉତ୍ତରପୂର୍ବ ସୀମାନ୍ତ ସହର ସୁମିରେ ରୁଷ୍ ସେନାର ପ୍ରଚଣ୍ଡ ଆକ୍ରମଣ ଚାଲିଛି । ସୁମିରେ ଅହରହ ଗୁଳିବର୍ଷା ମଧ୍ୟରେ ଶତାଧିକ ଭାରତୀୟ ଛାତ୍ର ଫସି ରହିଛନ୍ତି। ଉଦ୍ଧାର ପାଇଁ ସେମାନେ ସୋସିଆଲ ମିଡିଆରେ ଆକୁଳ ନିବେଦନ କରିଛନ୍ତି। ସୁମିରେ ଖାଦ୍ୟ ଏବଂ ଜଳ ଯୋଗାଣ ପ୍ରାୟ ବନ୍ଦ ହୋଇଗଲାଣି।
ସେମାନେ ପ୍ରତି ଘଣ୍ଟାଏରେ ସୁମି ସହରର ସ୍ଥିତି ସଂକ୍ରାନ୍ତରେ ପୋଷ୍ଟ୍ କରୁଛନ୍ତି ଏବଂ ସରକାର ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାପାଇଁ ଅନୁରୋଧ କରିଛନ୍ତ। ସୁମିରେ ଏବେ ପ୍ରାୟ ୭୦୦ରୁ ଅଧିକ ମେଡିକାଲ୍ ଛାତ୍ର ଫସି ରହିଛନ୍ତି ଏବଂ ସେମାନଙ୍କ ଉଦ୍ଧାର ନେଇ କେତେକ ବସ୍ ବ୍ୟବସ୍ଥା ହେଉଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି। ତେବେ ଗୁଳିଗୋଳା ବର୍ଷା ଭିତରେ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିବାରୁ କିଛି ଘଣ୍ଟା ପାଇଁ ଯୁଦ୍ଧ ବିରତି ନିମନ୍ତେ ଭାରତ ଶୁକ୍ରବାର ଦିନ ରୁଷ୍ ଓ ୟୁକ୍ରେନ୍କୁ ଅନୁରୋଧ କରିଛି।
