ଜି-୭ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କଲେ ଆମେରିକା ରାଷ୍ଟ୍ରପତି, ଜାଣନ୍ତୁ କ’ଣ ରହିଛି ରଣନୀତି
ୱାସିଂଟନ : ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । କ୍ଷେପଣାସ୍ତ୍ର ମାଡ କରି ୟୁକ୍ରେନର ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବସଂବିଧ୍ବସ୍ତ କରିଦେଇଛି ଋଷିଆ । ଋଷ ଆକ୍ରମଣରେ ୟୁକ୍ରେନର ଅନେକ ନାଗରିକ ଏବଂ ସୈନିକଙ୍କ ମୃତ୍ୟୁ ଘଟିଥିବାର ମଧ୍ୟ ଖବର ମିଳିଛି । ଏହି ମହାଯୁଦ୍ଧକୁ ଏଡାଇବାକୁ ତଥା ଋଷକୁ ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ବିଶ୍ବ ନେତା । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ବାଇଡେନ ଗୁରୁବାର ଜି-୭ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ଋଷ ବିରୋଧରେ ଅଧିକ କଟକଣା ଲାଗୁ କରିବା ପାଇଁ ବାଇଡେନ ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଆଦି ସହଯୋଗୀ ଜି-୭ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛନ୍ତି । ତେବେ କ’ଣ ରଣନୀତି ସ୍ଥିର ହୋଇଛି ତାହା ପ୍ରଘଟ ହୋଇନାହିଁ ।
ହ୍ବାଇଟ ହାଉସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ବାଇଡେନ ଭର୍ଚୁଆଲରେ ଜି-୭ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ବାଇଡେନ ଏବଂ ଅନ୍ୟ ନେତାମାନେ ୟୁକ୍ରେନ ଉପରେ ରାଷ୍ଟ୍ରପତି ପୁଟିନଙ୍କ ଅନୁଚିତ୍ ହମ୍ଲା ପ୍ରସଙ୍ଗରେ ମିଳିତ ପ୍ରତିକ୍ରିୟା ଉପରେ ଚର୍ଚ୍ଚା କରିଛନ୍ତି । ଜି-୭ ବୈଠକ ପୂର୍ବରୁ ରାଷ୍ଟ୍ରପତି ବାଇଡେନ ହ୍ବାଇଟ ହାଉସରେ ଥିବା ଯୁଦ୍ଧ ପ୍ରକୋଷ୍ଠରେ ନିଜର ଜାତୀୟ ସୁରକ୍ଷା ପରିଷଦ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଏଥିରେ ବାଇଡେନ ପ୍ରଶାସନର ବହୁ ଗୁରୁତ୍ବପୂର୍ଣ୍ଣ ସାମରିକ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହା ମଧ୍ୟରେ ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ(ନାଟୋ) ଚେତାବନୀ ଦେଇ କହିଛି, ରୁଷ ନିଜର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇ ତୁରନ୍ତ ୟୁକ୍ରେନରୁ ହଟି ଯାଉ। ଏହା ସହିତ ନିଜର ନିଜର ୧୦୦ରୁ ଅଧିକ ଲଢୁଆ ଜାହାଜ ମୁତୟନ କରିଛି ନାଟାେ। ରୁଷର ଆଭିମୁଖ୍ୟକୁ ପୁରା ଦେଶ ଦେଖୁଛି। ୟୁକ୍ରେନ ଉପରେ ନିଜର ଶକ୍ତି ଦେଖାଉଛି ରୁଷ। ନାଟୋ ସାଧାରଣ ସଂପାଦକ ଜେନ୍ସ ଷ୍ଟୋଲଟେନବର୍ଗ ୟୁକ୍ରେନ ଉପରେ ରୁଷର କାର୍ଯ୍ୟାନୁଷ୍ଠାନକୁ ଅକାରଣ ଏବଂ ଅନୁଚିତ ବୋଲି ଦର୍ଶାଇଛନ୍ତି। ସେହିପରି ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ଆମେରିକା ଚିନ୍ତିତ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ଆମେରିକାର ପଦାତିକ ବାହିନୀ ୟୁରୋପରେ ମୁତୟନ ହେବାପାଇଁ ମୁଁ ମଞ୍ଜୁରି ଦେଇଛି। କିନ୍ତୁ ୟୁକ୍ରେନ ଯାଇ ଆମେରିକା ସୈନ୍ୟ ରୁଷିଆ ବିରୋଧରେ ଲଢ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି ବାଇଡେନ କହିଛନ୍ତି।
