ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୩୮୨ ପଞ୍ଚାୟତରେ ହେବ ଭୋଟ୍
ଭୁବନେଶ୍ୱର : ରବିବାର ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଂଚାୟତରେ ଉଭୟ ସରପଂଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ରାଜ୍ୟର ୫୬୫୩୪୦୫ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୮୪୯୫ଟି ବୁଥ୍ ଚୂଡ଼ାନ୍ତ ହୋଇଥିବାବେଳେ ସେଥିରୁ ୨୭୭୩ଟି ଉତେଜନା ପ୍ରବଣ ବୋଲି ଚିହ୍ନଟ ହୋଇଛି । ରାଜ୍ୟ ନିର୍ବାଚନ କମିଶନର ସଚିବ ରବୀନ୍ଦ୍ରନାଥ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ କେବଳ ଝାରସୁଗୁଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଅନୁଷ୍ଠିତ ହେବ । ଏହି ବ୍ଲକଗୁଡ଼ିକରେ ୧୭୧ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୬୭୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ମୋଟ ୫୬.୫୪ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତାକାଲି ମତଦାନ ପରେ ଆଉ ଦୁଇଟି ପର୍ଯ୍ୟାୟ ଭୋଟ ଫେବୃୟାରୀ ୨୨ ଓ ୨୪ତାରିଖରେ ହେବ । ଏହି ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣର ଗଣତି ଫେବୃୟାରୀ ୨୬ରୁ ୨୮ତାରିଖ ମଧ୍ୟରେ ହେବ ।
ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନବେଳେ ଯେଉଁ ଯେଉଁ ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରିଦିଆ ଯାଇଥିଲା ସେସବୁ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା ୨୩ ତାରିଖରେ ପୁନଃଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ନିଷ୍ପତି ନେଇଛନ୍ତି । ସେସବୁ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଘଟିକାଠାରୁ ଅପରହ୍ନ ୩ ଘଟିକା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ । ବିଭିନ୍ନ କାରଣ ଯୋଗୁଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନବେଳେ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା, ଭଦ୍ରକ ବ୍ଲକ୍ ର ୪ଟି, ବନ୍ତ ବ୍ଲକ୍ ର ଗୋଟିଏ, ଢେଙ୍କାନାଳ ଜିଲ୍ଲ ଗନ୍ଦିଆ ବ୍ଲକ୍ ର ୪ଟି, ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍ ର ୯ଟି, ଧର୍ମଶାଳା ବ୍ଲକ୍ ର ୨ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକ୍ ର ୩ଟି ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ର ଗୋଟିଏ, ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍ ର ଗୋଟିଏ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ ର ଗୋଟିଏ, ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ୍ ର ୩ଟି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ର ୧୦ଟି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ର ଗୋଟିଏ, ଶୁଳିଆପଦା ବ୍ଲକ୍ ର ଦୁଇଟି ସ୍ଥାନରେ ପୁନଃଭୋଟଗ୍ରହଣ କରାଯିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
