ନବାବୀ ପନିର
ଆବଶ୍ୟକ ସାମଗ୍ରୀ :
ପନିର ୨୦୦ଗ୍ରାମ (ଛୋଟ ଛୋଟ ଖଣ୍ଡରେ କଟା ହୋଇଥିବା), ପିଆଜ ୩ଟି (ପତଳା କରି କଟା ହୋଇଥିବ), ଅଦା-ରସୁଣ ବଟା ୨ ଟେବୁଲ୍ ଚାମଚ, କଟା ହୋଇଥିବା କଞ୍ଚା ଲଙ୍କା ୨ଟା, ଅଧ କପ୍ ଟମାଟୋ ପ୍ୟୁରି, କାଜୁ ୨୫ ଗ୍ରାମ, ନଡ଼ିଆ ପାଉଡର ୩ ଟେବୁଲ୍ ଚାମଚ (ଶୁଖିଲା କୋରା ନଡ଼ିଆ ହେଲେ ବି ଚଳିବ), ଲଙ୍କାଗୁଣ୍ଡ ଅଧ ଚାମଚ, ଜୀରାଗୁଣ୍ଡ ଅଧ ଚାମଚ, ଧନିଆଗୁଣ୍ଡ ୧ ଚାମଚ, ଅଳ୍ପ ଟିକେ ହଳଦୀ, ଗରମ ମସଲା ପାଉଡର ଅଧ ଚାମଚ, ଦହି ଅଧ କପ୍, କେଶର ସାମାନ୍ୟ (ଅଳ୍ପ ଉଷୁମ ପାଣି ବା କ୍ଷୀରରେ ଭିଜାଇ ରଖିବେ), କସୁରୀ ମେଥି ୧ ଚାମଚ, ଚିନି ୧ ଚାମଚ, ଲୁଣ ସ୍ୱାଦ ଅନୁସାରେ ।
ପ୍ରସ୍ତୁତି ପ୍ରଣାଳୀ :
କାଚୁକୁ ଟିକେ ଭାଜି ସେଥିରେ ନଡ଼ିଆଗୁଣ୍ଡ କିମ୍ବା କୋରା ନଡ଼ିଆ ମିଶାଇ ଅଳ୍ପ ଟିକେ ପାଣି ଦେଇ ମସୃଣ କରି ବାଟି ନିଅନ୍ତୁ । କଡ଼େଇରେ ସାମାନ୍ୟ ଟିକେ ତେଲ ଗରମ କରି ସେଥିରେ ପିଆଜ ପକାଇ ହାଲୁକା ଆଞ୍ଚରେ ଅଳ୍ପ ନରମ କରି ଭାଜି ନିଅନ୍ତୁ । ଥଣ୍ଡା କରି ବାଟି ନିଅନ୍ତୁ । କଡ଼େଇରେ ଅଳ୍ପ ତେଲ ଗରମ କରି ପନିର ଖଣ୍ଡକୁ ଲାଲ ହେବା ଯାଏଁ ଭାଜନ୍ତୁ । ଏହାପରେ ଭଜା ପନିରଗୁନିକ ଦହିରେ ଭଲ କରି ଗୋଳାଇ ରଖନ୍ତୁ । ଏଥର କଡ଼େଇରେ ବାକି ତେଲ ଗରମ କରି ବଟା ପିଆଜ ପକାଇ ଦୁଇ ମିନିଟ୍ କଷିବା ପରେ ସେଥିରେ ଅଦା-ରସୁଣ ପେଷ୍ଟ, କଟା କଞ୍ଚାଲଙ୍କା, ଟମାଟୋ ପ୍ୟୁରି ମିଶାଇ ହାଲୁକା ଆଞ୍ଚରେ କଷନ୍ତୁ । ଟିକେ କଷି ହୋଇଆସିଲା ବେଳକୁ ସେଥିରେ ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ, ଜୀରା ଗୁଣ୍ଡ, ହଳଦୀ, ଗରମ ମସଲା ପକାଇ ଭଲ କରି କଷନ୍ତୁ । ଟିକେ ଶୁଖା ହୋଇଆସିଲେ କାଜୁ ପେଷ୍ଟ ମିଶାନ୍ତୁ । ଶେଷରେ କେଶର ପାଣି, ଲୁଣ, ଚିନି କସୁରୀ ମେଥି ଓ ଦହି ଗୋଳା ହୋଇଥିବା ପନିର ମିଶାଇ ଟିକେ ଏପଟ ସେପଟ କରି କପେ ପାଣି ମିଶାଇ ଫୁଟିବାକୁ ଦିଅନ୍ତୁ । ବହଳିଆ ହୋଇଆସିଲେ ଗ୍ୟାସ୍ ବନ୍ଦ କରନ୍ତୁ । ରୁଟି, ପରଟା, ପୁରୀ, ନାନ୍ ଭଳି ଖାଦ୍ୟ ସହିତ ଖାଇବାକୁ ଏହା ବେଶ୍ ସୁଆଦିଆ ।
