ଦକ୍ଷିଣନରସିଂହପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ତ୍ରିମୁଖୀ ଲଢ଼େଇ
ନୀଳଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ ଚଳଚଞ୍ଚଳ । ପଞ୍ଚାୟତ ନିର୍ବାଚନ ମତଦାନ ଯେତିକି ପାଖେଇ ଆସୁଛି ଗାଁ ରାଜନୀତି ସେତିକି ସରଗରମ ହେଉଛି । ନୀଳଗିରି ନିର୍ବାଚନ ମଣ୍ଡଳୀର ଔପଦା ବ୍ଲକର ଦକ୍ଷିଣ ନରସିଂହପୁର ପଞ୍ଚାୟତ ନିର୍ବାଚନ ସରଗରମ ଚାଲିଥିବା ବେଳେ ସରପଞ୍ଚ ପ୍ରାର୍ଥୀ ଭାବେ ଭାଜପା ସମର୍ଥରେ ଅଶୋକ ଜେନା, ତାଙ୍କର ଚିହ୍ନ ସୂର୍ଯ୍ୟ, ସେହିପରି ବିଜେଡି ସମର୍ଥନରେ ଦୀପ୍ତିକାନ୍ତ ମୁଦୁଲି, ତାଙ୍କର ଚିହ୍ନ ଲଙ୍ଗଳ, ଓ ମହାମେଣ୍ଟ ପକ୍ଷରୁ ଜୟଦେବ ବେହେରା (ଜୁଲୁ) ତାଙ୍କର ଚିହ୍ନ ଖୋଲା ଛତା ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଅଶୋକ ଜେନା ୨୦୧୭ ନିର୍ବାଚନରେ ଉକ୍ତ ପଞ୍ଚାୟତରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକଙ୍କ ସହଯୋଗରେ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଶ୍ରୀ ଜେନାଙ୍କ ନିଜର ସଚୋଟତା, ଲୋକାଭିମୁଖୀ କାର୍ଯ୍ୟ ଓ ଜନସେବାକୁ ପୁଞ୍ଜି କରି ଉନ୍ନୟନମୂଳକ କାର୍ଯ୍ୟକୁ ଆହୁରି ଆଗକୁ ନେବା ପାଇଁ ଭୋଟରଙ୍କ ପାଖକୁ ଯାଉଛନ୍ତି । ଅନୁରୁପ ଭାବେ ବିଜେଡି ସମର୍ଥୀତ ଦୀପ୍ତିକାନ୍ତ ମୁଦୁଲି ନବୀନ ପଟ୍ଟନାୟକଙ୍କ ତୃଣମୁଳ ସ୍ତରରେ ଲୋକାଭିମୁଖୀ କାର୍ଯ୍ୟକୁ ପଞ୍ଚାୟତସ୍ତରରେ ଆହୁରି ଆଗକୁ ନେବା ପାଇଁ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ମହାମେଣ୍ଟରୁ ସରପଞ୍ଚ ପ୍ରାର୍ଥୀ ଜୟଦେବ ବେହେରା (ଜୁଲୁ) ନିର୍ବାଚନ ରଣାଙ୍ଗନରେ ଉଭୟ ଦଳକୁ କଡ଼ା ଟକ୍କର ଦେବାରେ ଲାଗିଛନ୍ତି । ମହାମେଣ୍ଟର ପ୍ରାର୍ଥୀମାନଙ୍କୁ ସିପିଆଇ, ସିପିଆଇ(ଏମ) ଓ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ବେଳେ ଅସନ୍ତୁଷ୍ଟ ବିଜେଡି କର୍ମୀମାନେ ମଧ୍ୟ ପ୍ରଚାର ମଇଦାନରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ବେହେରା କହିଛନ୍ତି ସେ ଜୟଯୁକ୍ତ ହେଲେ ଏ ବିଜୟ ମୋର ନୁହେଁ । ମୋ ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତିଙ୍କର ବିଜୟ ହେବ ।
