ନିର୍ବାଚନୀ ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ : ଡିଜିପି
ଭୁବନେଶ୍ୱର : ନିର୍ବାଚନ ସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ପୋଲିସ କୋହଳ ମନୋଭାବ ନଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ନିର୍ବାଚନ ସମୟରେ ଗୋଟିଏ ଦୁଇଟି ସ୍ଥାନରେ ହିଂସା ହୋଇଛି । ଆମେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଅନ୍ୟ ପର୍ଯ୍ୟାୟରେ ଭୋଟିଂ କିଭଳି ହେବ ଶାନ୍ତିପୂର୍ଣ୍ଣ ହେବ ତାହା ଦେଖିବୁ ବୋଲି କହିଛନ୍ତି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ନିର୍ବାଚନୀ ହିଂସା ନେଇ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପୋଲିସ ଡିଜି ସୁନୀଲ କୁମାର ବଂଶଲ ଉପସ୍ଥିତ ଥିଲେ ।
ସୂଚନା ଯେ, ଗତ ବୁଧବାର ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖାଦେଇଥିଲା । ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ ଚାପମାଣିକ ପଂଚାୟତ କାଶିଝରିଆ ଗାଁ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ୮ ଓ ୯ ନମ୍ବର ବୁଥ୍ ରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଦୁର୍ବୃତମାନେ ୯ ନମ୍ବର ବୁଥ୍ ର ଭୋଟ ବାକ୍ସକୁ ଲୁଟି ନେଇଥିଲେ । କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ର ୯ ନମ୍ବର ବୁଥ୍ ରୁ ମଧ୍ୟ ଭୋଟବାକ୍ସ ଲୁଟ୍ ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଳାର ସୁଜନପୁର ପଂଚାୟତର ଦୁର୍ଗାପୁର ଅଙ୍ଗନବାଡ଼ି କେନ୍ଦ୍ର ବୁଥ ନଂ ୧ରେ ଦୁର୍ବୃତମାନେ କବାଟ ଭାଙ୍ଗି ଦେବାସହିତ ବାଲାଟ ପେପର ଓ ଷ୍ଟାମ୍ପକୁ ନେଇ ପଳାଇଥିଲେ । ସେହିଭଳି, ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ୍ ନିହଲପ୍ରସାଦ ପଂଚାୟତର ୪ଟି ମତଦାନ କେନ୍ଦ୍ରରେ ହିଂସାକାଣ୍ଡ ଘଟିଛି । ୩ଟି ମତଦାନ କେନ୍ଦ୍ରରେ କିଛି ବ୍ୟକ୍ତି ଜବରଦସ୍ତ ପଶି ଗଣ୍ଡଗୋଳ କରିବା ଫଳରେ ସେଠାରେ ଭୋଟଦାନ ବନ୍ଦ ହୋଇଥିବା ବେଳେ ଆଉ ଏକ ମତଦାନ କେନ୍ଦ୍ରରେ ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ କରି ଦୁର୍ବୃତମାନେ ଗୋଟିଏ ଭୋଟ୍ ବାକ୍ସ ଉଠାଇନେଇଛନ୍ତି । ଗତକାଲି ରାଜ୍ୟ ନିର୍ବାଚନ କମିଶନର କହିଥିଲେ ଯେ ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ୍, ଯାଜପୁର ଜିଲ୍ଲାର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ।
