ପଞ୍ଚାୟତ ନିର୍ବାଚନ : ଜିଲା ପରିଷଦ ଲଢେଇରେ ପୂର୍ବତନ ବିଧାୟକଙ୍କ ଝିଅ ଓ ବୋହୁ
କେନ୍ଦ୍ରାପଡ଼ା : ପାଖେଇ ଆସୁଛି ପଞ୍ଚାୟତ ଭୋଟ । ନିର୍ବାଚନୀ ମାହୋଲ ସରଗରମ ହୋଇଗଲାଣି। ବାଜା ଆଉ ନାଚରେ ଗାଁ ଦାଣ୍ଡ ଦୁଲୁକୁଛି । ହାତରେ କମ ସମୟ, ତେଣୁ ଭୋଟରଙ୍କ ପାଖରେ ପହଞ୍ଚିବା ଲାଗି ସବୁ କଳା-କୌଶଳ ଆପଣାଇଛନ୍ତି ପ୍ରାର୍ଥୀ । ଭୋଟରଙ୍କ ପାଖରେ ପହଞ୍ଚିବା ଲାଗି ଡୋର-ଟି-ଡୋର୍ କ୍ୟାମ୍ପେନରେ ଝାଳ ବୁହାଉଛନ୍ତି ପ୍ରାର୍ଥୀ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲାରେ ଦୁଇ ଜଣ ପୂର୍ବତନ ବିଧାୟକଙ୍କ ସମ୍ପର୍କୀୟା ଚଳିତ ପଞ୍ଚଯାତ ନିର୍ବାଚନରେ ଜିଲା ପରିଷଦ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ଜଣେ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ବିଶ୍ବନାଥ ମଲିକଙ୍କ ଝିଅ ବିଜୟାଲକ୍ଷ୍ମୀ ମଲିକ ଓ ଅନ୍ୟ ଜଣେ ପାଟକୁରାର ପୂର୍ବତନ ବିଧାୟକ ଚକ୍ରଧର ଶତପଥୀଙ୍କ ବୋହୂ ଡଲି ଶତପଥୀ।
ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ ୧୫ ନଂ. ଜୋନ୍ ପୂର୍ବତନ କଂଗ୍ରେସ ବିଧାୟକ ବିଶ୍ଵନାଥ ମଲିକଙ୍କ ଝିଅ ବିଜୟାଲକ୍ଷ୍ମୀ ମଲିକ ବିଜେପି ଟିକେଟ୍ରେ ମଇଦାନକୁ ଓହ୍ଲାଇଛନ୍ତି। ବିଶ୍ଵନାଥ ତତ୍କାଳୀନ ପଟ୍ଟାମୁଣ୍ଡାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୪ ଓ ୧୯୮୦ ମସିହାରେ ସେ କଂଗ୍ରେସ ଟିକେଟ୍ରୁ ଲଢ଼ି ବିଜୟ ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପରିବାର ବିଜେପିରେ ଯୋଗ ଦେଇଥିଲେ। ବିଜୟାଲକ୍ଷ୍ମୀ ଦିବଂଗତ ବିଧାୟକଙ୍କ ବଡ଼ଝିଅ। ପଞ୍ଚାୟତ ନିର୍ବାଚନ ତାଙ୍କ ପାଇଁ ନୂଆ ନୁହେଁ । ୨୦୧୭ ମସିହାରେ ସେ ବୃକ୍ର ତରଡ଼ିପାଳ ପଞ୍ଚାୟତରୁ ସମିତି ସଭ୍ୟ ନିର୍ବାଚନରେ ଲଢ଼ି ପ୍ରତିପକ୍ଷ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ବିଜୟ ଦେଇଥିଲେ। ତେବେ ପ୍ରଥମ ଥର ପାଇଁ ଜିଲା ପରିଷଦ ନିର୍ବାଚନରେ ସେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ନିର୍ବାଚନରେ ବିଜୟ ଲାଭ କଲେ ତରଡ଼ିପାଳ ପଞ୍ଚାୟତ ତଥା ଜୋନ୍ ଅଧୀନ ଅନ୍ୟ ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ପୂର୍ବତନ ବିଧାୟକଙ୍କ ଝିଅ ଭାବେ ବିଜୟାଲକ୍ଷ୍ମୀ ନିର୍ବାଚନରେ କିଛି ପ୍ରଭାବୀ ପ୍ରଦର୍ଶନ କରିବେ ବୋଲି ଦଳର ଆଶା ଅଛି । ପ୍ରମୁଖ ପ୍ରତିଦ୍ବନ୍ଦୀ ଭାବେ ତାଙ୍କ ସହ ବିଜେଡି ଓ କଂଗ୍ରେସ ଦଳର ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦିତାରେ ଅଛନ୍ତି । ବାପାଙ୍କ ନୀତି, ଆଦର୍ଶକୁ ପାଥେୟ କରି ସେ ରାଜନୀତିକୁ ଆସିଛନ୍ତି।
ସେହିପରି ପାଟକୁରାର ପୂର୍ବତନ ବିଧାୟକ ଚକ୍ରଧର ଶତପଥୀଙ୍କ ବୋହୂ ଡଲି ଶତପଥୀ ଗରଦପୁର ବ୍ଲକ୍ ଅଧୀନ ୧୧ ନଂ. ଜୋନ୍ରେ ଜିଲା ପରିଷଦ ସଭ୍ୟ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଶ୍ରୀମତୀ ଶତପଥୀ ସ୍ବର୍ଗତ ବିଧାୟକଙ୍କ ଏକମାତ୍ର ପୁଅ ଆଲୋକ ରଞ୍ଜନ ଶତପଥୀଙ୍କ ପତ୍ନୀ । ସେ ଉଚ୍ଚଶିକ୍ଷିତା। ଏକାଡେମିକ୍ କ୍ୟାରିୟର ଶେଷ ପରେ କିଛିଦିନ ସାମ୍ବାଦିକତା କ୍ଷେତ୍ରରେ କାମ କରିଥିଲେ । ସ୍କୁଲ ଶିକ୍ଷକରୁ କ୍ୟାରିୟର ଆରମ୍ଭ କରିଥିବା ଚକ୍ରଧର ୧୯୬୭ ମସିହା ବିଧାନସଭା ନିର୍ବାଚନରେ ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ପ୍ରାର୍ଥୀ ହୋଇ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ପରାଜିତ କରିଥିଲେ। ଗରଦପୁର ବ୍ଳକ୍ ଅଧ୍ୟକ୍ଷ ଭାବେ ମଧ୍ୟ ସେ ନିର୍ବାଚିତ ହୋଇଥିଲେ। ଚକ୍ରଧରଙ୍କ ପରେ ତାଙ୍କ ପରିବାର କେହି ସଦସ୍ୟ ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେଇ ନଥିଲେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ବୋହୂ ଶ୍ରୀମତୀ ଶତପଥୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇଛନ୍ତି । ନିର୍ବାଚନ ରାଜନୀତିରେ ସେ ସମ୍ପୂର୍ଣ୍ଣ ନୂଆ। ଶ୍ୱଶୁରଙ୍କ ଲୋକପ୍ରିୟତା, ଜନହି କତର କାର୍ଯ୍ୟ ତଥା ଜନସମ୍ପର୍କର ଫାଇଦା ତାଙ୍କୁ ନିର୍ବାଚନରେ ମିଳିପାରେ ବୋଲି ସେ ଆଶା ବାନ୍ଧିଛନ୍ତି । ସେ ବିଜେପି ଟିକେଟ୍ ନିର୍ବାଚନରେ ଭାଗ ନେଇଛନ୍ତି। ସ୍ଵାମୀ ଆଲୋକ ପ୍ରତ୍ୟକ୍ଷ ରାଜନୀତିରେ ନହେଲେ ବି କଲେଜ ରାଜନୀତିରେ ସକ୍ରିୟ ଥିଲେ।
