ବାଲେଶ୍ୱର ଜିଲା ଆନ୍ତଃ କ୍ଲବ ଭିଜନ-୨୪ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ : ୟୁ ଏଣ୍ଡ ମି କ୍ଲବ ଚମ୍ପିୟାନ
ବାଲେଶ୍ୱର : ଓଡ଼ିଶା କ୍ରିକେଟ ଏସୋସିଏସନ୍ ଦ୍ୱାରା ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ କ୍ରିକେଟ୍ ପ୍ରତିଭା ଅନ୍ୱେଷଣ ପାଇଁ ୧୯ ବର୍ଷରୁ କମ୍ ଓ ସିନିୟର ଆନ୍ତଃ କ୍ଲବ ଭିଜନ-୨୦୨୪ କ୍ରିକେଟ ପ୍ରତୀଯୋଗିତା ସୋମବାର ଉଦ୍ଯାପିତ ହୋଇଛି । ପ୍ରତିଯୋଗିତାର ଫାଇନାଲ ଖେଳ ସମ୍ରାଟ କ୍ଲବ ଓ ୟୁ ଏଣ୍ଡ ମି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ସମ୍ରାଟ କ୍ଲବ ବ୍ୟାଟିଂ ନିଷ୍ପତ୍ତି ନେଇ ମୋଟ୍ ୫୦ ଓଭରରେ ୭ ଉଇକେଟ ହରାଇ ୨୬୧ ରନ କରିଥିଲେ । ଏହାର ଜବାବରେ ୟୁ ଏଣ୍ଡ ମି କ୍ଲବ ୪୫.୩ ଓଭରରେ ୬ ଉଇକେଟ ହରାଇ ୨୬୨ ରନ୍ କରି ମ୍ୟାଚ ବିଜୟୀ ହୋଇଥିଲେ ।
ପୁରସ୍କାର ବିତରଣୀ ଉତ୍ସବରେ କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ୟୁ ଏଣ୍ଡ ମି ଦଳକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିବା ବେଳେ ସହ ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ସମ୍ରାଟ କ୍ଲବକୁ ରନର୍ସ ଅଫ୍ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ୟୁ ଏଣ୍ଡ ମି କ୍ଲବର ଖେଳାଳୀ ସବ୍ୟସାଚି ଆଚାର୍ଯ୍ୟ ୨ ଉଇକେଟ ଓ ୧୦୧ ରନ୍ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ଉପସଭାପତି ବିରେଦ୍ର ସ୍ୱାଇଁ ପ୍ରଦାନ କରିଥିଲେ । ସମ୍ରାଟ କ୍ଲବର ଖେଳାଳୀ ନଉତମ ଭଞ୍ଜ ଆଜିର ମ୍ୟାଚ୍ରେ ସର୍ବାଧିକ ୧୫୫ ରନ୍ ସହ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ୍ ଦି ସିରିଜ ଟ୍ରଫି ବରିଷ୍ଠ ସଭ୍ୟ ସୁକାନ୍ତ କୁମାର ନାୟକ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ପୂର୍ବରୁ ଜିଲା କ୍ରିକେଟ୍ ଯୁଗ୍ମ ସମ୍ପାଦକ ସୁଜୟ କୁମାର ଆଚାର୍ଯ୍ୟ ଉକ୍ତ ପ୍ରତିଯୋଗିତାର ସମ୍ୟକ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ଜଗଦିଶ ବେହେରା, ସଞ୍ଜୟ ଲେଙ୍କା, କାର୍ତ୍ତିକ ଚନ୍ଦ୍ର ନାୟକ, ନିମାଇଁ ଚରଣ ରାଉତରାୟ, ତରୁଣ କୁମାର ଚାଟାର୍ଜୀ ଏବଂ ରବିଦ୍ର କୁମାର ସାହୁ, ଜନ୍ମେଜୟ ଦେ, ସାଦିକ ଅଲ୍ଲୀ ଖାଁ, ସୁବିର ନାୟକଙ୍କ ସମେତ ସଂଘର ଅନ୍ୟାନ୍ୟ ସଭ୍ୟ ଓ ଜିଲାର ବହୁ ପୁରାତନ ଖେଳାଳି ଉପସ୍ଥିତ ଥିଲେ ।
