ନୀଳଗିରି ଜଗନ୍ନାଥ ମନ୍ଦିରରେ ପର୍ଯ୍ୟଟକଙ୍କୁ ପୂଜକଙ୍କ ର୍ଦୁବ୍ୟବହାର ! ଫଟୋ ଉଠା ଓ ଦାନ ନାମରେ ଟଙ୍କା ଦାବୀ
ନୀଳଗିରି : ବାଲେଶ୍ୱର ଜିଲା ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରିକୁ ଏବେ ବହୁମାତ୍ରାରେ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି । ହେଲେ ପର୍ଯ୍ୟଟକ ମାନଙ୍କୁ ମନ୍ଦିର ଭଳି ପବିତ୍ର ସ୍ଥାନରେ ର୍ଦୁବ୍ୟବହାର ନେଇ ଅଭିଯୋଗ ଆସିଛି । ଫଳରେ ଏଭଳି ଘଟଣାକୁ ନେଇ ସାଧାରଣରେ ଆଲୋଚନା ହେବା ସହ ଯଦି ମନ୍ଦିରରେ ପୂଜକମାନେ ପର୍ଯ୍ୟଟକଙ୍କୁ ର୍ଦୁବ୍ୟବହାର କରନ୍ତି ତେବେ ନୀଳଗିରି ପ୍ରତି ପର୍ଯ୍ୟଟକଙ୍କ ଆସ୍ଥା ତୁଟିଯିବ ବୋଲି ସେମାନେ କହିଛନ୍ତି ।
ସୂଚନା ଯେ, ନୀଳଗିରି ଜଗନ୍ନାଥମନ୍ଦିର, ରାଜବାଟି, ରଘୁନାଥ ଜୀଉ ମଠ, ଚଣ୍ଡିମନ୍ଦିର, ପଞ୍ଚଲିଙ୍ଗେଶ୍ୱର, କୁଲଡି଼ହା ଅଭୟାରଣ୍ୟକୁ ଦୈନନ୍ଦିନ ବଙ୍ଗୀୟ ପର୍ଯ୍ୟଟକ ସମେତ ରାଜ୍ୟର ବିଭିନ୍ନ ଜିଲାରୁ ପର୍ଯ୍ୟଟକମାନେ ବୁଲି ଆସୁଛନ୍ତି । ସୋମବାର ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ପରିବାର ନୀଳଗିରି ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ଜଣେ ଯୁବତୀ ଫଟୋ ଉଠାଉଥିଲେ । ମନ୍ଦିର ଭିତରେ ଫଟୋ ଉଠାଇବା ବାରଣ ଥିବାରୁ ଜଣେ ପୂଜକ ତାଙ୍କୁ ଗାଳିଗୁଲଜ କରି ମୋବାଇଲ ଛଡା଼ଇବା ସହ ୨୦୦ ଟଙ୍କା ଜୋରିମାନା ମାଗିଥିଲେ । ହେଲେ ଯୁବତୀ ଜଣକ ହାତଯୋଡ଼ି କ୍ଷମା ମାଗିବା ସହ ଜୋରିମାନା ଯଦି ଦେବି ତାହଲେ ପରିଚାଳନା ଅଧିକାରୀଙ୍କୁ ଦେବି ବୋଲି କହିବାରୁ ପୂଜକ ହଡ଼ବଡ଼େଇ ଯାଇ ତାଙ୍କୁ ଛାଡ଼ି ଦେଇଥିଲେ । ପରେ ମହିଳା ଜଣକ ୨୦ ଟଙ୍କା ଦାନ ଦେଇଥିବା ବେଳେ ପୂଜକ ଜଣକ ତାଙ୍କୁ ୧୦୦ ଟଙ୍କା ଦିଅ ବୋଲି କହିଥିଲେ । ମହିଳା ଜଣକ ମୁଁ ଖୁସିରେ ଯାହା ଦେବି ମୋ ପାଖରେ ଆଉ ନାହିଁ କହିବାରୁ ପୂଜକ ତାଙ୍କୁ ଭିକ ମାଗି ଦିଅ ବୋଲି କହିଥିଲେ । ଏଭଳି ର୍ଦୁବ୍ୟବହାର ପାଇ ପରିବାର ଲୋକେ ଆସି ବାହାରେ କିଛି ଅଞ୍ଚଳବାସୀଙ୍କୁ କହିବାରୁ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।ଏନେଇ ଠାକୁରମାହାଲ ନିର୍ବାହୀ ଅଧିକାରୀ ବିଷ୍ଣୁମୋହନ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହନ୍ତି, ଘଟଣାକୁ ନେଇ କୌଣସି ଅଭିଯୋଗ ପାଇନାହାନ୍ତି । ପର୍ଯ୍ୟଟକମାନେ ହେଉଛନ୍ତି ଆମର ଅତିଥି । ସେମାନଙ୍କୁ ସଠିକ୍ ବ୍ୟବହାର କରିବା ମାନବିକତାର ପରିଚୟ । ଯଦି ଏଭଳି ଅଭିଯୋଗ ଆସେ ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

