୩ ଗୋଟି ପଞ୍ଚାୟତକୁ ବ୍ୟାଟେରୀ ଚାଳିତ ଅଳିଆ ଆବର୍ଜନା ଉଠା ଗାଡ଼ି ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ୱଛ ସର୍ବେକ୍ଷଣ ଗ୍ରାମୀଣ – ୨୦୨୧ ଅନୁଯାୟୀ ଜିଲା ଜଳ ଓ ପରିମଳ ମିଶନ ତରଫରୁ ସଦର ବ୍ଲକର ୩ ଗୋଟି ପଞ୍ଚାୟତକୁ ପ୍ରତ୍ୟକ ୯୯୦୦୦ ଟଙ୍କା ବ୍ୟୟରେ ୩ ଗୋଟି ବ୍ୟାଟେରୀ ଚାଳିତ ଅଳିଆ ଆବର୍ଜନା ଉଠା ଗାଡ଼ି ରବିବାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏବଂ ବ୍ଲକ ଉନ୍ନୟନ ଅଧିକାରୀ ନଗେନ୍ଦ୍ର ନାଥ ଖମାରି ଉପସ୍ଥିତ ରହି ଜୟଦେବ କସବା, ସାର୍ଥା ଏବଂ ଶାସଙ୍ଗ ଗ୍ରାମ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପ୍ରଦାନ କରିଛନ୍ତି ।
ସ୍ୱଚ୍ଛ ସର୍ବେକ୍ଷଣ ମିଶନ ୨୦୨୦-୨୧ ଏବଂ ୨୦୨୧-୨୨ ଅନୁଯାୟୀ ସଦର ବ୍ଲକର ମୋଟ ୨୧ ଗୋଟି ପଞ୍ଚାୟତକୁ ଏହି ବ୍ୟାଟେରୀ ଚାଳିତ ଗାଡ଼ି ପ୍ରଦାନ କରାଯିବାକୁ ଥିବାବେଳେ ରବିବାର ୩ ଗୋଟି ପଞ୍ଚାୟତକୁ ପ୍ରଦାନ କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଅନ୍ୟ ୧୮ ଟି ପଞ୍ଚାୟତକୁ ଏହି ଗାଡ଼ି ପ୍ରଦାନ କରାଯିବ । ସହର ଭଳି ଗ୍ରାମାଞ୍ଚଳକୁ ଅଳିଆ ଆବର୍ଜନା ମୁକ୍ତ ଏବଂ ପରିଷ୍କାର ରଖିବା ପାଇଁ ଏହି ଭଳି ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ମହିଳାମାନେ ସଶକ୍ତ ହେବା ସହିତ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ଏହିଭଳି ପଦକ୍ଷେପ ପାଇଁ ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ସାର୍ଥା ସରପଞ୍ଚ, ଜୟଦେବ କସବା ସରପଞ୍ଚ, ସଦର ବ୍ଲକ ଜିପିଓ, ବ୍ଲକ ଯୁବ ସଭାପତି ଦିଲ୍ଲୀପ ମହାନ୍ତି, ରେମୁଣା ଯୁବ ସଭାପତି, ହିଡ଼ିଗାଁ ପଞ୍ଚାୟତ ଯୁବ ସଭାପତି ପିତାମ୍ବର ବେହେରା, ଯୁବ ନେତା ଶକ୍ତିପଦ ରାୟ, ବିଶିଷ୍ଠ ଆଇନଜୀବୀ ବିଜୟ ଦାସ, ପଙ୍କଜ ଅଗ୍ରୱାଲ, ସୁଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
