ଆଇଆଇଏଫଏ-୨୦୨୨କୁ ହୋଷ୍ଟ କରିବେ ସଲମାନ
ଆବୁଧାବି : ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଆଇଏଫଏ )୨୦୨୨ କୁ ହୋଷ୍ଟ କରିବାକୁ ଯାଉଛନ୍ତି ବଲିଉଡ଼ ସୁପରଷ୍ଟାର ସଲମାନ ଖାନ । ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଆଇଆଇଏଫଏ ପରିବାରର ଜଣେ ସଦସ୍ୟ ହୋଇ ମୁଁ ବହୁତ ଉପଭୋଗ କରିଛି । ଚଳିତ ବର୍ଷ ମୋତେ ହୋଷ୍ଟ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ଅତ୍ୟଧିକ ଖୁସି ଆଛି । ଚଳିତ ଆଇଆଇଏଫଏ ଇଭେଣ୍ଟ ୟାସ ଦ୍ୱୀପ, ଆବୁଧାବିରେ ଆୟୋଜିତ କରାଯାଇଛି ଯାହା ମୋ ମନପସନ୍ଦର ସ୍ଥାନ ।
ସେ ପୁଣି କହିଛନ୍ତି ଚଳିତ ବର୍ଷ ଭାରତର ସ୍ବାଧୀନତାର ୭୫ ତମ ବର୍ଷ ଏବଂ ୟୁଏଇର ୫୦ ତମ ବାର୍ଷିକୀ-ସୁବର୍ଣ୍ଣ ଜୟନ୍ତୀକୁ ଦୃଷ୍ଟିରେ ରଖି ଏହି ଇଭେଣ୍ଟ ବହୁ ଆଡମ୍ବର ସହ ପାଳିତ ହେବ । “ଗତ ୨୧ବର୍ଷ ମଧ୍ୟରେ, ଆଇଆଇଏଫ୍ କେବଳ ଭାରତୀୟ ସିନେମାକୁ ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମ ଦେଇନାହିଁ, ବରଂ ଏହା ଆମ ପ୍ରଶଂସକଙ୍କୁ ନେଇ ବିଶ୍ୱବ୍ୟାପୀ କରେଇବା ସହ ଏକ ଚମତ୍କାର ସୁଯୋଗ ସୃଷ୍ଟି କରିଛି । ୨୦୨୨ ର ଆୟୋଜନ କରିବାକୁ ମୁଁ ଗର୍ବିତ ଏବଂ ଉତ୍ସାହିତ ଅଛି । ଆଇଆଇଏଫ୍ ୱିକେଣ୍ଡ୍ ଆୱାର୍ଡସ୍ ୟାସ୍ ଦ୍ୱୀପ, ଆବୁଧାବି ଏହି ଗ୍ରାଣ୍ଡ ଇଭେଣ୍ଟ ମାଧ୍ୟମରେ ଆମ ସିନେମାକୁ ସାରା ବିଶ୍ୱରେ ପରିଚିତ କରୁଛୁ ”ବୋଲି ସେ କହିଛନ୍ତି । ମାର୍ଚ୍ଚ ୧୮-୧୯, ୨୦୨୨ ରେ ଆବୁଧାବିରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଗ୍ରାଣ୍ଡ ଇଭେଣ୍ଟ । ଆଇଆଇଏଫଏର ୨୨ ତମ ସଂସ୍କରଣ ବହୁ କଳାକାରଙ୍କ ସହ ଇଣ୍ଡଷ୍ଟ୍ରିର ବହୁ ନାମିଦାମୀ ବ୍ୟକ୍ତି ସାମିଲ ହେବା ନେଇ ସୂଚନା ମିଳିଛି ।
