ଶୋଇଥିବା ବେଳେ ଅଘଟଣ : ଡିବିରି ନିଆଁରେ ପୋଡି ହୋଇ ବୃଦ୍ଧ ଦମ୍ପତି ମୃତ
କେନ୍ଦୁଝର : ଡିବିରି ନିଆଁରେ ପୋଡି ହୋଇ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ । ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ପରେ ଡାକ୍ତରଖାନାରେ ସ୍ୱାମୀଙ୍କର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜଡିଚାତର ଗ୍ରାମରେ । ମୃତ ଦମ୍ପତି ହେଉଛନ୍ତି ଗ୍ରାମର ଲାଲମୋହନ ମହାନ୍ତ ଓ ତାଙ୍କ ପତ୍ନୀ ଲବଙ୍ଗ ମହାନ୍ତ ।
ସୂଚନା ଯେ, ଉଭୟ ଦମ୍ପତି ବୁଧବାର ଦିନ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବିଛଣାରେ ଡିବିରିରୁ ନିଆଁ ଲାଗି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ସ୍ତ୍ରୀ ଲବଙ୍ଗଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲାଲମୋହନଙ୍କର ଗତ ଗୁରୁବାର ରାତିରେ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା । ଏନେଇ ଖବର ପାଇ ତୁରୁମୁଙ୍ଗା ପୋଲିସ କେନ୍ଦୁଝରରେ ପହଞ୍ଚି ଲାଲମୋହନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
