ଉତ୍ତରାଖଣ୍ଡକୁ ୧୮୦୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ
ଡେରାଡୁନ: ଉତ୍ତରାଖଣ୍ଡ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଶନିବାର ରାଜଧାନୀ ଡେରାଡୁନରେ ପ୍ରାୟ ୧୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପ ମଧ୍ୟରେ ବହୁଚର୍ଚ୍ଚିତ ଦିଲ୍ଲୀ-ଡେରାଡୁନ୍ ଇକୋନୋମିକ୍ କରିଡର ଅନ୍ତର୍ଭୁକ୍ତ ରହିଛି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୮,୩୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ଦିଲ୍ଲୀ-ଡେରାଡୁନ୍ ଯାତ୍ରା ସମୟକୁ ୬ ଘଣ୍ଟାରୁ ପ୍ରାୟ ୨.୫ ଘଣ୍ଟାକୁ ହ୍ରାସ କରିବା ସମ୍ଭବପର ହୋଇପାରିବ ବୋଲି ଆଶା କରାଯାଇଛି ।
ଆହୁରି ମଧ୍ୟ, ବନ୍ୟପ୍ରାଣୀ-ଯାନବାହନ ଧକ୍କାକୁ ଏଡାଇବା ପାଇଁ ଗଣେଶପୁର-ଡେରାଡୁନ୍ ବିଭାଗରେ ଏକାଧିକ ବନ୍ୟପ୍ରାଣୀ ପାସ ମଧ୍ୟ ନିର୍ମାଣ କରାଯାଇଛି । ଦିଲ୍ଲୀ-ଡେରାଡୁନ୍ ଅର୍ଥନୈତିକ କରିଡରରେ ୫୦୦ ମିଟର ବ୍ୟବଧାନରେ ପ୍ରାୟ ୪୦୦ରୁ ଅଧିକ ୱାଟର ରିଚାର୍ଜ ପଏଣ୍ଟରେ ବର୍ଷା ଜଳ ଅମଳ ପାଇଁ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡରରୁ ହାଲଗୋଆ, ସାହାରନପୁରରୁ ଭଦ୍ରାବାଦ, ହରିଦ୍ବାରକୁ ସଂଯୋଗ କରୁଥିବା ଗ୍ରୀନ୍ ଫିଲ୍ଡ ଆଲାଇନମେଣ୍ଟ ପ୍ରକଳ୍ପ ୨,୦୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହେବ। ଏହା ଉତ୍ତମ ଯୋଗାଯୋଗ ଯୋଗାଇବା ସହ ଦିଲ୍ଲୀରୁ ହରିଦ୍ବାର ପର୍ଯ୍ୟନ୍ତ ଯାତ୍ରା ସମୟ ହ୍ରାସ କରିବ ।
ମନୋହରପୁରରୁ କାଙ୍ଗ୍ରି ପର୍ଯ୍ୟନ୍ତ ୧୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ହେବାକୁ ଥିବା ହରିଦ୍ବାର ରିଙ୍ଗ ରୋଡ୍ ପ୍ରକଳ୍ପ, ବିଶେଷ କରି ଶିଖର ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ପାଇଁ ସହାୟକ ହେବା ସହ କୁମାଓନ୍ ଜୋନ୍ ସହିତ ଯୋଗାଯୋଗ ସୁଦୃଢ କରିବ ବୋଲି ଆଶା ରଖାଯାଇଛି । ପ୍ରାୟ ୧୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଡେରାଡୁନ-ପୌନତା ସାହେବ (ହିମାଚଳ ପ୍ରଦେଶ) ସଡକ ପ୍ରକଳ୍ପ ଯାତ୍ରା ସମୟ ହ୍ରାସ କରିବା ସହ ଦୁଇ ସ୍ଥାନ ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ଆନ୍ତରାଜ୍ୟ ପର୍ଯ୍ୟଟନକୁ ବୃଦ୍ଧି କରିବ ବୋଲି ଲକ୍ଷ୍ୟ ରଖାଯାଇଛି ।
ସେହିପରି ଡେରାଡୁନକୁ ଶିଶୁ ବନ୍ଧୁତ୍ବପୂର୍ଣ୍ଣ ସହର ଭାବେ ବିକଶିତ କରିବା ପାଇଁ ମଧ୍ୟ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉନ୍ନତ ଯୋଗାଯୋଗ, ପାନୀୟ ଜଳ ଯୋଗାଣ, ପରିମଳ, ଡ୍ରେନେଜ ସିଷ୍ଟମର ବିକାଶ ପାଇଁ ପାଇଁ ୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଯମୁନା ନଦୀ ଉପରେ ନିର୍ମିତ ୧୨୦ ମେଗାୱାଟ ଭିଆସି ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ପ୍ରାୟ ୧,୭୦୦ କୋଟିରୁ ଅଧିକ ବ୍ୟୟବରାଦ କରାଯାଇଛି । ସେଠାରେ ଏକ ହିମାଳୟ ସଂସ୍କୃତି କେନ୍ଦ୍ରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ହିମାଳୟ ସଂସ୍କୃତି କେନ୍ଦ୍ରରେ ଏକ ରାଜ୍ୟ ସ୍ତରୀୟ ସଂଗ୍ରହାଳୟ, ୮୦୦ ସିଟ୍ ଆର୍ଟ ଅଡିଟୋରିୟମ୍, ଲାଇବ୍ରେରୀ, ସମ୍ମିଳନୀ ହଲ୍ ଇତ୍ୟାଦିର ସୁବିଧା ରହିଛିି । ଏହା ପର୍ଯ୍ୟଟକଙ୍କୁ ସଂସ୍କୃତି ସମ୍ପର୍କରେ ଧାରଣା ଦେବା ସହ ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବ ।
