ରାଜସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହ : ସୀମାରେ ସ୍ଥିତି ପରଖିବା ସହ ବିଏସଏଫ କ୍ୟାମ୍ପରେ କଲେ ରାତ୍ରୀ ଭୋଜନ
ଜୟପୁର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ରାଜସ୍ଥାନର ଜୟସଲମ ନିକଟରେ ଆନ୍ତର୍ଜାତୀୟ ସୀମାରେ ଭାରତୀୟ ସୁରକ୍ଷାବଳର ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ସେ ବିଏସଏଫ କ୍ୟାମ୍ପରେ ସୀମା ସୁରକ୍ଷା ବଳର ଅଧିକାରୀଙ୍କ ସହ ରାତ୍ରୀଭୋଜନ କରିଛନ୍ତି । ଆଜି ସନ୍ଧ୍ୟାରେ ଅମିତ ଶାହା ସୁରକ୍ଷା ବଳର ଏକ ସମ୍ମିଳନୀରେ ସେନାଧିକାରୀ ଓ ଯବାନଙ୍କ ବୀରତ୍ବକୁ ପ୍ରଶଂସା କରିଛନ୍ତି ।
ଭାରତ-ପାକ୍ ଆନ୍ତର୍ଜାତୀୟ ସୀମା ନିକଟରେ ଥିବା ସୀମା ସୁରକ୍ଷା ବଳ (ବିଏସଏଫ) ଶିବିରକୁ ଏହା କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ପ୍ରଥମ ଗସ୍ତ । ସେହପରି ଶନିବାର ସକାଳେ ଜୈସଲମେରରେ ପହଞ୍ଚିବା ପରେ ତାନୋଟ ରାୟ ମାତା ମନ୍ଦିରରେ ପ୍ରାର୍ଥନା କରିଥିଲେ ଶାହ । ଆସନ୍ତାକାଲି (ରବିବାର) ବିଏସଏଫର ୫୭ତମ ରାଇଜିଂ ଡେ’ ରେ ମଧ୍ୟ ଯୋଗ ଦେବେ । ପରେ ଜୟପୁର ଅଭିମୁଖେ ଯାତ୍ରା କରିବେ ଶାହ । ବିଏସଏଫ କ୍ୟାମ୍ପ ଓ ସୀମାରେ ସୁରକ୍ଷା ସମୀକ୍ଷା କରିବା ସହ କିଛି ରାଜନୈତିକ ତଥା ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଶାହଙ୍କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି (ରବିବାର) ରାଜସ୍ଥାନ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବା ପାଇଁ ଶାହା ଜୟପୁର ଯିବେ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତ ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ,ଜିଲ୍ଲା ମୁଖ୍ୟ ସାଂସଦ, ବିଧାୟକ, ପ୍ରଧାନ ଏବଂ ଉପପ୍ରଧାନମାନେ ଯୋଗଦେବାର କାର୍ଯ୍ୟକ୍ରମ ରଖାଯାଇଛି ।
ଜୟପୁରର ଜେଇସିସି ଅଡିଟୋରିୟମରେ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀକୁ ଶାହ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ବିଜେପିର ସାଂଗଠନିକ ସମୀକ୍ଷା, ଆଗାମୀ କାର୍ଯ୍ୟ ଯୋଜନା, ରାଜ୍ୟରେ ସମ୍ପୂର୍ଣ୍ଣ କୃଷକ ଋଣ ଛାଡ, ବିଦ୍ୟୁତ୍, ସ୍ବାସ୍ଥ୍ୟ, ଶିକ୍ଷା, ବେକାରୀ, ଆଇନ ଶୃଙ୍ଖଳା, ଅନ୍ୟାନ୍ୟ ବିଷୟ ମଧ୍ୟରେ ଆନ୍ଦୋଳନା ହେବା ସହ ଆଗାମୀ ରଣନୀତି ସମ୍ପର୍କର ସବିଶେଷ ଆଲୋଚନା କରାଯିବ ବୋଲି ସୂଚନା ରହିଛି ।
