ମୁମ୍ବାଇରେ ପ୍ରଦର୍ଶିତ ହେଲା ବିଶ୍ବର ସର୍ବବୃହତ ଖଦି ନିର୍ମିତ ତ୍ରିରଙ୍ଗା
ମୁମ୍ବାଇ : ନୌସେନା ଦିବସରେ ବିଶ୍ବର ସର୍ବବୃହତ ତ୍ରିରଙ୍ଗା ପ୍ରଦର୍ଶିତ କରିଛି ଭାରତୀୟ ନୌସେନା । ମୁମ୍ବାଇର ଐତିହାସିକ ଗେଟ-ଓ୍ବେ ଅଫ ଇଣ୍ଡିଆ ନିକଟରରେ ଏହି ବିଶାଳକାୟ ତ୍ରିରଙ୍ଗାକୁ ପଶ୍ଚିମ ନୌସେନା କମାଣ୍ଡ ପକ୍ଷରୁ ପ୍ରଦର୍ଶିତ କରାଯାଇଛି ।
ଏହି ବିଶାଳ ତ୍ରିରଙ୍ଗା ସମ୍ପୂର୍ଣ୍ଣ ଖଦିରେ ନିର୍ମିତ ହୋଇଥିବାବେଳେ ଏହାର ଲମ୍ବ ୨୨୫ ଫୁଟ ଓ ପ୍ରସ୍ତ ୧୫୦ ଫୁଟ ବିଶିଷ୍ଟ । ସେହିପରି ଏହାର ଓଜନ ପ୍ରାୟ ୧,୪୦୦ କିଲୋଗ୍ରାମ ବୋଲି ସୂଚନା ରହିଛି । ଜାତୀୟ ନୌସେନା ନୌସେନା ଦିବସରେ ଦେଶ ଓ ପ୍ରତିଟି ଭାରତୀୟ ପାଇଁ ସୁରକ୍ଷାର ପ୍ରତିଶ୍ରୁତି ଏବଂ ପ୍ରତିବଦ୍ଧତାକୁ ଦର୍ଶାଇବା ପାଇଁ ଏହି ବିଶ୍ବର ସର୍ବବୃହତ ତ୍ରିରଙ୍ଗା ପ୍ରଦର୍ସିତ କରାଯାଇଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି । ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଭାରତ ନୌସେନା ଦିବସ ପାଳନ କରିଥାଏ । ୧୯୭୧ ଭାରତ-ପାକ ଯୁଦ୍ଧରେ କରାଚି ବନ୍ଦରରେ ପ୍ରବେଶ କରି ଅଦ୍ଭୁତପୂର୍ବ ପରାକ୍ରମ ଦେଖାଇଥିଲା ଭାରତୀୟ ନୌସେନା । ସେହି ଦିନକୁ ନୌସେନା ଦିବସ ଭାବେ ସାରା ଦେଶ ପାଳନ କରି ଆସୁଛି ।
