ବାଲେଶ୍ୱର : ‘ପ୍ରୋଜେକ୍ଟ ରକ୍ଷକ’ ପ୍ରଶିକ୍ଷଣ କର୍ମଶାଳା ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ) ପକ୍ଷରୁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ଉଦ୍ଘାଟିତ ହୋଇଯାଇଛି । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ସହିତ ‘ପ୍ରକଳ୍ପ ରକ୍ଷକ’ ଭଳି ପ୍ରଶିକ୍ଷଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଦୁର୍ଘଟଣା ଘଟିବାର ଘଣ୍ଟାଏ ମଧ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ହସ୍ପିଟାଲରେ ପହଞ୍ଚାଇବା ଭଳି ମହତ କାର୍ଯ୍ୟ ଆଉ କିଛି ନାହିଁ । ସମାଜସେବା ପ୍ରତି ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କ ଏହିଭଳି ସେବା ଏକ ସୁଯୋଗ । ଶିବିରରୁ ଟ୍ରେନିଂ ନେଉଥିବା ବ୍ୟକ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତମ ବ୍ୟକ୍ତିତ୍ୱର କର୍ତ୍ତବ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ପୌରୋହିତ୍ୟ କରିଥିଲେ । ନୂଆଦିଲୀର ଅଟୋମେଟିଭ ସ୍କିଲ ଡେଭେଲୋପମେଣ୍ଟ କାଉନସିଲ, ରେଡକ୍ରସ ସୋସାଇଟି, ଗ୍ରୀନ ଅର୍ବାନ ମୋବିଲିଟି ପାର୍ଟନରସିପ ଓ ଜର୍ମାନ କର୍ପୋରେସନ ପ୍ରଭୃତି ସଂଗଠନ ମିଳିତ ସହଯୋଗରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଦୁଇ ଜଣ ମାଷ୍ଟର ଟ୍ରେନର କର୍ମଶାଳାରେ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବାର ସୂଚନା ଦେଇଥିଲେ । ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣର ସମ୍ପାଦକ ବ୍ରଜବନ୍ଧୁ ଭୋଲ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରୋଜେକ୍ଟ ରକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ନଭେମ୍ବର ୧୦ ତାରିଖରେ ଭୁବନେଶ୍ୱରର ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଅଭିଯାନରେ ୩୦ଟି ଜିଲାର ମୋଟ ୩୦ହଜାର ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ପ୍ରଦାନର ଲକ୍ଷ୍ୟ ରହିଥିବା ସେ କହିଥିଲେ । ପ୍ରଶିକ୍ଷଣ ନେଉଥିବା ବ୍ୟକ୍ତି ଦୁର୍ଘଟଣା ସ୍ଥଳରେ ପହଞ୍ôଚ ପୀଡ଼ିତଙ୍କୁ ଉଦ୍ଧାର ସହ ହସପିଟାଲ ପହଞ୍ଚାଇ ସେମାନଙ୍କ ଜୀବନ ରକ୍ଷା କରିପାରିବେ । ଏଣ ୁସେମାନଙ୍କୁ ଏହି ଅଭିଯାନରେ ‘ରକ୍ଷକ’ର ମାନ୍ୟତା ଦିଆଯାଇଛି । ତେବେ ପ୍ରଥମ ଘଣ୍ଟାଏ ମଧ୍ୟରେ ଦୁର୍ଘଟଣାଗ୍ରସ୍ତଙ୍କୁ ହସପିଟାଲରେ ପହଞ୍ଚାଉଥିବା ଉତ୍ତମ ବ୍ୟକ୍ତିତ୍ୱ ବା ଗୁଡ଼ ସମରିଟିଆନଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଉପଆରକ୍ଷୀ ଅଧୀକ୍ଷକ ଆଲୋକ କୁମାର ରାୟ, ମାଷ୍ଟର ଟ୍ରେନର ଆଦିତ୍ୟ ଚୌଧୁରୀ ଓ ଡ. ବିକ୍ରମ କେଶରୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । କର୍ମଶାଳାରେ ଇଞ୍ଜିନିୟରିଂ, ଏନଫୋର୍ସମେଣ୍ଟ, ଏଜୁକେଶନ ଓ ଏମରଜେନ୍ସି ପ୍ରଭୃତି ବିଷୟ ସମ୍ପର୍କରେ ପ୍ରଶିକ୍ଷକମାନଙ୍କୁ ତାଲିମ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲା ରେଡକ୍ରସର ୪୮ଜଣ ଓ ସାଧାରଣ ବର୍ଗର ୬ଜଣ ପ୍ରଶିକ୍ଷକ ଯୋଗ ଦେଇଛନ୍ତି । ଜିଲା ସଡ଼କ ସୁରକ୍ଷା ଅଧିକାରୀ ନେତ୍ରାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
