ଚୀନକୁ ଶ୍ରୀଲଙ୍କାର ଶକ୍ତ ଝଟକା : ଜୈବିକ ଖାଦ୍ୟର ଟ୍ରିପ ଖାରଜ
କଲମ୍ବୋ : ଋଣ ଜାଲରେ ଫସାଇ ଶୋଷଣ କରୁଥିବା ଚୀନକୁ ଶ୍ରୀଲଙ୍କା ଦେଲା ଶକ୍ତ ଝଟକା। ଚୀନରୁ ରପ୍ତାନୀ ହୋଇଥିବା ଖରାପ ଗୁଣବତ୍ତାର ଅର୍ଗାନିକ ଫର୍ଟିଲାଇଜର (ଜୈବିକ ଖାଦ୍ୟ)ର ଟ୍ରିପ ଖାରଜ କରିଛି ଶ୍ରୀଲଙ୍କା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିଜ୍ଞ ଲଢେଇ ଆରମ୍ଭ ହୋଇ ଯାଇଛି। ଶ୍ରୀଲଙ୍କାକୁ ଦୁନିଆର ପ୍ରଥମ ପୂର୍ଣ୍ଣ ଜୈବିକ ଚାଷ ବିଶିଷ୍ଟ ଦେଶରେ ପରିଣତ କରିବା ଉଦ୍ଦେଶ୍ୟରେ କଲୋମ୍ଵୋ ଚୀନ କମ୍ପାନୀ କିଙ୍ଗଦାଓ ସିଭିନ ବାୟୋ ଟେକ୍ ଗ୍ରୁପ ସହ ରାଜିନାମା କରିଥିଲା। ଏହି ଆଧାରରେ ଚୀନ ଶ୍ରୀଲଙ୍କାକୁ ଜାହାଜରେ ଜୈବିକ ଉର୍ବରକ ପଠାଇଥିଲା। ମାତ୍ର ୨୦ ହଜାର ଟନର ପ୍ରଥମ ଟ୍ରିପକୁ ଶ୍ରୀଲଙ୍କା ପକ୍ଷରୁ ଖାରଜ କରାଯିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।
ଶ୍ରୀଲଙ୍କାର ଏଜେନ୍ସି ନ୍ୟାସନାଲ ପ୍ଲାଣ୍ଟ କ୍ଵାରଣ୍ଟିନ ସର୍ଭିସ୍ ମାଲ ନେବାକୁ ମନା କରି ଦେଇଛି। ସଂସ୍ଥା କହିଛି ଯେ, କାର୍ଗୋରୁ ନିଆଯାଇଥିବା ଉର୍ବରକର ନମୂନା ରୋଗୀଣା ରହିଛି, ଯାହା ଫସଲକୁ କ୍ଷତି ପହଞ୍ଚାଇପାରେ। ବିବିସି ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା କୃଷି ବିଭାଗର ନିର୍ଦ୍ଦେଶକ ଜେନେରାଲ ଡ. ଅଜନ୍ତା ଡି ସିଲଭା କହିଛନ୍ତି, କାର୍ଗୋରୁ ମିଳିଥିବା ନମୂନା ନିମ୍ନମାନର ଥିବା ଯାଞ୍ଚରୁ ଜଣା ପଡିଛି। ଏଥିରୁ ଏମିତି ବ୍ୟାକ୍ଟେରିଆ ମିଳିଛି ଯାହା ଗାଜର ଏବଂ ଆଳୁ ପରି ଫସଲକୁ ବରବାଦ କରିପାରେ ବୋଲି ଅଧିକାରୀ କହିଛନ୍ତି।
ଫଳରେ ମାଲ୍କୁ ଶ୍ରୀଲଙ୍କାରେ ଅନଲୋଡ କରିବାକୁ ଅନୁମତି ମିଳିନାହିଁ। ଚୀନ ଦୂତାବାସ ଉର୍ବରକର ଗୁଣବତ୍ତା ଉପରେ କୌଣସି ସଫେଇ ଦେଇ ନାହିଁ। ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଓ୍ଵାଙ୍ଗ ବେନବିନ କହିଛନ୍ତି, କାର୍ଗୋ ବା ଜାହାଜର ତୃତୀୟ ପର୍ଯ୍ୟାୟର ପରୀକ୍ଷା ସରି ସାରିଛି। ଚୀନ ସର୍ବଦା ରପ୍ତାନୀର ଗୁଣବତ୍ତାକୁ ଅଧିକ ଗୁରୁତ୍ଵ ଦେଇଥାଏ। ଚୀନ ସଂସ୍ଥା କିଙ୍ଗଦାଓ ସିଭିନ ଶ୍ରୀଲଙ୍କା ମିଡିଆ ଉପରେ ଚୀନ ଉଦ୍ୟୋଗ ଏବଂ ଚୀନ ସରକାରଙ୍କ ଛବି ଖରାପ କରିବା ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରିଛି। ଏପରିକି ଛବି ଖରାପ କରିଥିବାରୁ ଶ୍ରୀଲଙ୍କାଠୁ ଚୀନ କମ୍ପାନୀ ୮ ମିଲିୟନ ଡଲାର କ୍ଷତିପୂରଣ ଦାବି କରିଛି। ଚୀନ କହିଛି, ଶ୍ରୀଲଙ୍କାର ଯାଞ୍ଚ ମାନଦଣ୍ଡ ବିଶ୍ଵସ୍ତରୀୟ ନୁହେଁ।
