ଭାରତୀୟ ଅଟୋ ମୋବାଇଲ ଉଦ୍ୟୋଗକୁ ଦୁନିଆରେ ଏକ ନମ୍ବର କରିବାର ଅଛି : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ
ନୂଆଦିଲ୍ଲୀ : ଭାରତୀୟ ଅଟୋ ମୋବାଇଲ ଉଦ୍ୟୋଗକୁ ପାଞ୍ଚ ବର୍ଷରେ ଇଲେକ୍ଟ୍ରିକ ବାହାନ ରପ୍ତାନୀ ପାଇଁ ଦୁନିଆରେ ଏକ ନମ୍ବର କରିବାର ଅଛି। ଭାରତର ଭବିଷ୍ୟତ ବହୁତ ଉଜ୍ଜ୍ଵଳ। ବର୍ତ୍ତମାନ ଆମ ଦେଶରେ ଅଟୋ ମୋବାଇଲ ଉଦ୍ୟୋଗର ଟର୍ଣ୍ଣ ଓଭର ୭.୫ ଲକ୍ଷ କୋଟି ଟଙ୍କା। ପାଞ୍ଚ ବର୍ଷ ଭିତରେ ଦେଶରେ ଏହା ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯିବ। ଆଉ ଏହି ଉଦ୍ୟୋଗ ହିଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ସବୁଠୁ ଅଧିକ ରୋଜଗାର, ରପ୍ତାନୀ ଏବଂ ରାଜସ୍ଵ ସୃଷ୍ଟି କରୁଛି ବୋଲି କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି।
ଏକ କାର୍ଯ୍ୟକ୍ରମକୁ ଭର୍ଚୁଆଲି ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ଦୃଷ୍ଟି ଏବଂ ପ୍ରତିବଦ୍ଧତା ପାଞ୍ଚ ବର୍ଷରେ ଇଲେକ୍ଟ୍ରିକ କାର, ସ୍କୁଟର, ବସ୍, ଅଟୋ ରିକ୍ସା ଏବଂ ଟ୍ରକ ରପ୍ତାନୀ ପାଇଁ ଭାରତୀୟ ଅଟୋ ମୋବାଇଲ୍ସ ଉଦ୍ୟୋଗକୁ ଦୁନିଆରେ ଏକ ନମ୍ବର କରିବାର ଅଛି। ଆମର ଉଦ୍ଦେଶ୍ୟ ରପ୍ତାନୀ ବଢାଇବା, ଆମଦାନୀ କମ କରିବା ଏବଂ ପାରିପାର୍ଶ୍ଵିକ ପରିବେଶ ବିଷୟରେ ଚିନ୍ତା କରିବା ବୋଲି ଗଡକରୀ କହିଛନ୍ତି। ସେହିପରି ବେଙ୍ଗାଲୁରୁ ଷ୍ଟାର୍ଟଅପ୍, ବ୍ୟବସାୟ ଏବଂ ଗବେଷଣା ପ୍ରତିଷ୍ଠାନ ଦ୍ଵାରା ହୋଇଥିବା କାର୍ଯ୍ୟର ବେଶ୍ ପ୍ରଶଂସା କରିଛନ୍ତି। ବଳକା ଜଳ, ଇଥେନାଲ, ଇଲେକ୍ଟ୍ରିକ ଗାଡି ଏବଂ ଫ୍ଲେକ୍ସ ଇଞ୍ଜିନରୁ ଏଲଏନଜି, ଗ୍ରୀନ ହାଇଡ୍ରୋଜେନକୁ ପ୍ରୋତ୍ସାହନ ଦେବା ଉପରେ ସରକାରଙ୍କ ଯୋଜନା ଉପରେ ଉଲ୍ଲେଖ କରିଛନ୍ତି ଗଡକରୀ। କେନ୍ଦ୍ର ମନ୍ତ୍ରୀ ଲୋକଙ୍କୁ ଇଲେକ୍ଟ୍ରିକ୍ କିମ୍ବା ଫ୍ଲେକ୍ସ ଇଞ୍ଜିନି ବିଶିଷ୍ଟ ଗାଡି କିଣିବାକୁ ଅପିଲ୍ କରିଛନ୍ତି, ଯାହା ପ୍ରଦୂଷଣ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ପରିବହନ କ୍ଷେତ୍ର ଉପରେ ଗଡକରୀ କହିଛନ୍ତି, ଆମର ପ୍ରଥମ ପ୍ରାଥମିକତା ଜଳ ମାର୍ଗ, ଦ୍ଵିତୀୟ ରେଲଓ୍ଵେ, ତୃତୀୟ ସଡକ ଏବଂ ଚତୁର୍ଥ ବିମାନ ଯାତ୍ରା। ମାତ୍ର ଦୁର୍ଭାଗ୍ୟରୁ ଏବେ ୯୦ ପ୍ରତିଶତ ଯାତ୍ରୀ ସଡକରେ ଯାତାୟତ କରୁଛନ୍ତି ଏବଂ ୭୦ ପ୍ରତିଶତ ମାଲ୍ ହିଁ ସଡକରେ ପରିବହନ କରାଯାଉଛି।
ସେ କହିଛନ୍ତି, ମୁଁ ଯେବେ ମନ୍ତ୍ରୀ ପଦ ସମ୍ଭାଳିଲି, ସେହି ସମୟରେ ଜାତୀୟ ରାଜପଥ ୯୬,୦୦୦ କିମି ଥିଲା। ବର୍ତ୍ତମାନ ଆମ ପାଖରେ ୧,୪୭,୦୦୦ ଟଙ୍କା ରହିଛି। ସେହି ସମୟରେ ଜାତୀୟ ରାଜପଥ ନିର୍ମାଣର ଗତି ପ୍ରତି ଦିନ ୨ କିମି ଥିଲା, ଯାହା ଏବେ ପ୍ରତି ଦିନ ୩୮ କିମିକୁ ବୃଦ୍ଧି ଘଟିଛି। ଜାତୀୟ ରାଜପଥ ନିର୍ମାଣ ସମ୍ଵନ୍ଧରେ ଆମେ ବର୍ତ୍ତମାନ ଦୁନିଆରେ ସବୁଠୁ ଉଚ୍ଚ ସ୍ଥାନରେ ରହିଛନ୍ତି। ହାଇଓ୍ଵେ ରୋଡ୍ର କାମକୁ ରେକର୍ଡ ସମୟରେ ପୂରା କରିବାର ଉଦାହରଣ ଦେଇ କହିଛନ୍ତି, ଆମେ ସଡକ ନିର୍ମାଣରେ ଆଗରେ ଅଛନ୍ତି। ମୋର ମିଶନ, ମୋର ଲକ୍ଷ୍ୟ ତିନି ବର୍ଷରେ ଭାରତୀୟ ସଡକକୁ ୟୁଏସ-ମାନକ କରିବା। ୨୬ ଗ୍ରୀନ ଏକ୍ସପ୍ରେସ୍ ହାଇଓ୍ଵେ ଉପରେ ମନ୍ତ୍ରୀ କହିଛନ୍ତି, ଚେନ୍ନାଇରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଗ୍ରୀନ ଏକ୍ସପ୍ରେସ ହାଇଓ୍ଵେ ନିର୍ମାଣ କରୁଛୁ ବୋଲି ଗଡକରୀ କହିଛନ୍ତି।
