ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏନେଇ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଜନ୍ମବାର୍ଷିକୀ ଅବସରରେ ପଣ୍ଡିତ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ସେହିପରି କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ସମାଧିସ୍ଥଳ ଶାନ୍ତିବନ ଯାଇଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର୍ଲାଲ୍ ନେହେରୁଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ମଧ୍ୟ ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଲେଖିଛନ୍ତି, ସତ୍ୟ, ଏକତା ଏବଂ ଶାନ୍ତି ଉପରେ ଗୁରୁତ୍ବାରୋପ କରୁଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରୁଛି।
ସୂଚନା ଯେ, ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜବାହର୍ଲାଲ୍ ନେହେରୁ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ୧୯୬୪ ମସିହା ମେ ୨୭ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ଶିଶୁ ଦିବସ ଅବସରରେ ଦେଶ ତଥା ରାଜ୍ୟର ଶିକ୍ଷାନୁଷ୍ଠାନ, ବିଭିନ୍ନ ସ୍ବେଚ୍ଛା ସେବୀ ଅନୁଷ୍ଠାନ ପକ୍ଷରୁ ଶିଶୁ ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
