୭ ଯାଏଁ ରାଜ୍ୟରେ ବର୍ଷା, ଖୁବଶୀଘ୍ର ଫେରିବ ଶୀତ!
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ପାଗ ମୁଖ୍ୟତଃ କୋହଲା ରହିବ। ଫଳରେ ଶୀତର ଲେଉଟାଣି ନେଇ ଖବର ଆସୁଛି। ଆଉ ମାତ୍ର ୨ ଦିନ ପରେ ରାଜ୍ୟକୁ ଶୀତ ପୁଣି ଫେରିବ। ଆସନ୍ତା ୭ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବ । ପାରଦ ନିମ୍ନଗାମୀ ହେବ ଓ ପୁଣି କମ୍ବଳ ଖୋଜା ଆରମ୍ଭ ହୋଇଯିବ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ଜିଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ସେହିପରି ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଜିଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏଥିସହ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ବର୍ତ୍ତମାନ ପାଗ ମେଘୁଆ ରହିବା ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ନିମ୍ନସ୍ତରରେ ରହୁଛି । ତେବେ ଏହାପରେ ରାତିର ତାପମାତ୍ରା ସାମାନ୍ୟ କମିବ। ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର କୋଟପାଡ଼ରେ ୭୪ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୫୫.୪ ମିମି ବର୍ଷା ରେକର୍ଡ କରାଯାଇ ଥିବା ବେଳେ ଭବାନୀପାଟଣା, ଛତ୍ରପୁର, କୋରାପୁଟ, ଗୋପାଳପୁରରେ ହାଲୁକା ବର୍ଷା ହୋଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରେକର୍ଡ କରାଯାଇଛି।
