କେନ୍ଦ୍ର ପରେ ରାଜ୍ୟ ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ
ଭୁବନେଶ୍ୱର : ପୁଣି ହ୍ରାସ ପାଇଲା ତେଲ ଦର । ଦୀପାବଳିରେ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାର ଦର କମ୍ କରିବା ପରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ସେ କହିଛନ୍ତି, ଇନ୍ଧନ ମୂଲ୍ୟ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ୩ ଟଙ୍କା ହ୍ରାସ କରାଯାଇଛି। ଏହା ନଭେମ୍ବର ୫ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ। ଏହି ଭାଟ୍ ହ୍ରାସ ଫଳରେ ରାଜ୍ୟ ସରକାର ପ୍ରାୟ ୨୦୦୦ କୋଟି ଟଙ୍କାର କ୍ଷତି ସହିବେ। ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରାଯିବା ସାରା ଦେଶରେ ସର୍ବନିମ୍ନ ତେଲ ଦର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନା ଯେ, ବୁଧବାର ତୈଳ ଦରରୁ ଉତ୍ପାଦ ଶୁଳ୍କ କମାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହାପରେ ଗୁରୁବାର ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଭ୍ୟାଟ୍ ହ୍ରାସ କରିଛନ୍ତି ଓଡିଶା ସରକାର । ରାଜ୍ୟ ସରକାରଙ୍କ ଭ୍ୟାଟ୍ ହ୍ରାସ ଘୋଷଣା ପରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଅତିରିକ୍ତ ୩ ଟଙ୍କା ରିହାତି ମିଳିବ । ତେବେ ନୂଆ ଦର ଗୁରୁବାର ମଧ୍ୟରାତ୍ରରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ଦେଶରେ ହୁ ହୁ ହୋଇ ବଢି ଚାଲିଥିଲା ପେଟ୍ରୋଲ ଓ ଡିଜେଲ୍ ଦର । ତୈଳ ଦର ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ମଧ୍ୟ ସେହି ଅନୁସାରେ ବଢି ଚାଲିଥିଲା । ମହଙ୍ଗା ମାଡରେ ଜନତା କଲବଲ ହେଉଥିଲେ । ଫଳରେ କେନ୍ଦ୍ର ସରକାରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଥିଲା । ତାର ପରିଣାମ ଉପ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ମାଟି କାମୁଡିବା ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଥିଲା । ତୈଳ ଦରରୁ ଉତ୍ପାଦ ଶୁଳ୍କ କମାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ ।
