ଟି-୨୦ ବିଶ୍ୱକପ୍ : ଦକ୍ଷିଣ ଆଫ୍ରିକାକୁ ୮୫ରନର ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ
ଆବୁଧାବି : ଆବୁଧାବି ଠାରେ ମଙ୍ଗଳବାର ଟି୨୦ ବିଶ୍ୱକପ୍ ଗ୍ରୁପ-୧ର ଏକ ମ୍ୟାଚରେ ଦକ୍ଷିଣ-ଆଫ୍ରିକା ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ମାତ୍ର ୮୫ରନର ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ । ଆଜିର ଲଜ୍ଜାଜନକ ପ୍ରଦର୍ଶନ ସହ ଚଳିତ ବିଶ୍ବକପରେ ବାଂଲାଦେଶର ନୈରାଶ୍ୟଜନକ ଖେଳ ଜାରି ରହିଛି । ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳିଥିବାବେଳେ ଗୋଟିଏ ମ୍ୟାଚ ବି ଜିତିପାରିନାହିଁ । ଫଳରେ ଗ୍ରୁପ-୧ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ବାଂଲାଦେଶ ଦଳ ।
ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଆରମ୍ଭରୁ ହିଁ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଇନିଂସ ଶେଷ ପର୍ଯ୍ୟନ୍ତ ଦଳ ଏହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା । ସ୍କୋର ୨୨ ରନ ହୋଇଥିବାବେଳେ ବାଂଲାଦେଶ ଦୁଇଟି ଓ୍ବିକେଟ ହରାଇଥିଲା । ସେହିପରି ସ୍କୋର ୩୪ ହୋଇଥିବାବେଳେ ପୁଣି ଥରେ ଲଗାତାର ୨ଟି ଓ ସ୍କୋର ୮୪ ହୋଇଥିବା ବେଳେ ଶେଷ ଦୁଇ ଓ୍ବିକେଟ ହରାଇ ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଓ ନରଜି ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
