ଟି-୨୦ ବିଶ୍ୱକପ୍ : ବାଂଲାଦେଶକୁ ୬ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା
ଆବୁଧାବି : ଆବୁଧାବି ଠାରେ ମଙ୍ଗଳବାର ଟି୨୦ ବିଶ୍ୱକପ୍ ଗ୍ରୁପ-୧ର ଏକ ମ୍ୟାଚରେ ଦକ୍ଷିଣ-ଆଫ୍ରିକା ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ମାତ୍ର ୮୫ରନର ବିଜୟ ଲକ୍ଷ୍ୟ ରଖିଥିଲା ବାଂଲାଦେଶ । ଏଥିରେ ବାଂଲାଦେଶକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟ ପାଇ ସେମିଫାଇନାଲ ଦୌଡ଼ରେ ନିଜ ସ୍ଥିତିକୁ ଦୃଢ କରିଛି ।
ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଆରମ୍ଭରୁ ହିଁ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଇନିଂସ ଶେଷ ପର୍ଯ୍ୟନ୍ତ ଦଳ ଏହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା । ସ୍କୋର ୨୨ ରନ ହୋଇଥିବାବେଳେ ବାଂଲାଦେଶ ଦୁଇଟି ଓ୍ବିକେଟ ହରାଇଥିଲା । ସେହିପରି ସ୍କୋର ୩୪ ହୋଇଥିବାବେଳେ ପୁଣି ଥରେ ଲଗାତାର ୨ଟି ଓ ସ୍କୋର ୮୪ ହୋଇଥିବା ବେଳେ ଶେଷ ଦୁଇ ଓ୍ବିକେଟ ହରାଇ ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଓ ନରଜି ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ବାଂଲାଦେଶ ଦ୍ବାରା ରଖାଯାଇଥିଲା ୮୫ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୩.୩ ତମ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଅଧିନାୟକ ଟେମ୍ବା ବାଭୁମା ସର୍ବାଧିକ ରନ କରିଥିଲେ ।
