ମନ୍ତ୍ରୀ ପ୍ରତାପ ଜେନାଙ୍କୁ କରାଗଲା ଏୟାରଲିଫ୍ଟ, ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର : ଏୟାରଲିଫ୍ଟ ମାଧ୍ୟମରେ ପହଂଚିଲେ ଭୁବନେଶ୍ୱରରେ ମନ୍ତ୍ରୀ ପ୍ରତାପ ଜେନା। ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । ସ୍ଥାନୀୟ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚିବା ପରେ ତାଙ୍କର ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କୁ ଫୁଲବାଣୀରୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଅଣାଯାଇଥିଲା।
ସୂଚନା ଯେ, ଗତ ଶନିବାର ରାତିରୁ ପ୍ରତାପ ଜେନା ଅସୁସ୍ଥ ଥିବା ବେଳେ ଆଜି ଜ୍ୱର ବଢିଥିଲା। ଏପରିକି ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥିଲେ। କନ୍ଧମାଳ ଗସ୍ତରେ ଥିବା ବେଳେ ହଠାତ୍ ଏମିତି ଅସୁସ୍ଥ ହୋଇପଡିଥିଲେ। ଗତକାଲି ପ୍ରତାପ ଅସୁସ୍ଥ ହେବା ପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ। ଆଜି ଦେହ ଅଧିକ ଅସୁସ୍ଥ ହେବାରୁ ସଙ୍ଗେସଙ୍ଗେ ତାଙ୍କୁ ଏୟାରଲିଫ୍ଟ କରି ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଅଭିମୁଖେ ଉଡାଣ ଭରିଥିଲା। ପ୍ରତାପ ଜେନା ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଗସ୍ତରେ ଥିଲେ। ମାସକ ପୂର୍ବରୁ ମଧ୍ୟ ପ୍ରତାପ ଜେନା ଅସୁସ୍ଥ ହୋଇଥିଲେ। ସେତେବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଲା। ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିଲା ।
