ଆଜି ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ରେ ମାଲକାନଗିରିର ବଣ୍ଡା ଜନଜାତି
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁରରେ ଆସନ୍ତାକାଲି ଫେସ୍ବୁକ୍ ଓ ଟୁଇଟର ପେଜ୍ ମାଧ୍ୟମରେ ମାଲକାନଗିରିର ବଣ୍ଡା ଜନଜାତିଙ୍କ ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଉଚ୍ଚ ପର୍ବତଶୃଙ୍ଗରେ ବଣ୍ଡା ଜନଜାତିଙ୍କ ବସତି ଅଟେ । ଏହା ମାଲକାନଗିରିର ପୂର୍ବାଂଚଳ ଘାଟର କୋଡାଇକାମ୍ ବେରୁ ପର୍ବତମାଳାର ଅଂଶ ବିଶେଷ । ବଣ୍ଡା ଜନଜାତି କୃଷିଜୀବୀ ସଂପ୍ରଦାୟର ଅଟନ୍ତି । ସେମାନେ ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଂଟାନ୍ତି । ବଣ୍ଡା ଜନଜାତିଙ୍କର ଅନନ୍ୟ ବ୍ୟକ୍ତିଗତ ବୈଶିଷ୍ଟ୍ୟପୂର୍ଣ୍ଣ ଚେହେରା ସେମାନଙ୍କୁ ବିଶ୍ୱରେ ଅନ୍ୟମାନଙ୍କଠାରୁ ପୃଥକ କରିଥାଏ । ବଣ୍ଡା ଜନଜାତି ପୁରୁଷମାନେ ସରୁ ତଥା ଲମ୍ବା କପଡ଼ା ବ୍ୟବହାର କରିଥାନ୍ତି । ବଣ୍ଡା ଜନଜାତିର ମହିଳାମାନଙ୍କର ପୋଷାକପରିଚ୍ଛଦ ଏବଂ ବେଶଭୂଷା ଅସାଧାରଣ ଅଟେ । ସେମାନେ ଶରୀରର ଉପରଭାଗକୁ ମାଳି ଓ ପିତଳରେ ତିଆରି ଓଜନିଆ ମାଳି ଦ୍ୱାରା ଆଚ୍ଛାଦିତ କରିଥାନ୍ତି । ବଣ୍ଡା ଜନଜାତି ମହିଳାମାନେ ଯେଉଁ ସରୁ ତଥା କ୍ଷୁଦ୍ର କପଡ଼ା ବ୍ୟବହାର କରନ୍ତି, ତାହାକୁ ‘ନାଡ଼ି’ କୁହାଯାଏ ।
ବଣ୍ଡା ଜନଜାତିମାନେ ଛୋଟ ନଡ଼ାଛପର କୁଡ଼ିଆରେ ବସବାସ କରନ୍ତି । ବଣ୍ଡା ଜନଜାତିଙ୍କ ଗ୍ରାମ ସ୍ୱୟଂକ୍ରିୟ ଅଟେ । ଗ୍ରାମ ମୁଖ୍ୟ ‘ନାଏକ’, ଗ୍ରାମସଭାର ପରିଚାଳନା କରୁଥିବା ‘ଚାଲାଣ’ ଗ୍ରାମର ବାର୍ତାବାହକ ‘ବାରିକ’ଙ୍କ ଦ୍ୱାରା ସାମାଜିକ ଶୃଙ୍ଖଳା ବଜାୟ ରହିଥାଏ । ବଣ୍ଡା ଜନଜାତିମାନେ ପ୍ରାୟତଃ ପ୍ରକୃତିର ବିଭିନ୍ନ ଉପାଦାନକୁ ପୂଜା କରିଥାନ୍ତି । ନୃତ୍ୟ ଓ ସଂଗୀତ ବଣ୍ଡା ଜନଜାତିଙ୍କର ଜୀବନର ମୁଖ୍ୟ ଅଂଶ ଅଟେ ।
