ରାୟଗଡା ଗସ୍ତରେ ବିଏସଏଫ ଅତିରିକ୍ତ ଡିଜି, ମାଓ ମୁକାବିଲା ସମୀକ୍ଷା କଲେ
ରାୟଗଡା : ବିଏସଏଫ ଅତିରିକ୍ତ ଡିଜି ପି. ଭି. ରାମଶାସ୍ତ୍ରୀ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ମାଓ ମୁକାବିଲାର ସମୀକ୍ଷା କରିଛନ୍ତି । ବିଏସଏଫର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆସି ଅତିରିକ୍ତ ଡିଜି ଜେକେପୁର ହେଲିପ୍ୟାଡରେ ଅବତରଣ କରିବା ପରେ ୬୮ ବାଟାଲିୟନ ମୁଖ୍ୟାଳୟକୁ ଯାଇଥିଲେ । ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଏସଏଫର ସମସ୍ତ ଅଧିକାରୀ ଉପସ୍ଥିତ ଥିବା ବେଳେ ଅତିରିକ୍ତ ଡିଜି ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା, ମାଓ ମୁକାବିଲା ରଣକୌଶଳ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ମାଓବାଦୀ ଦମନ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ପୋଲିସ ଓ ବିଏସଏଫ ମଧ୍ୟରେ ସମନ୍ବୟ ରକ୍ଷା କରି କିଭଳି ମାଓବାଦୀଙ୍କ ବିରୋଧରେ ଅପରେସନ ଠିକ୍ ଭାବେ ଆଗେଇବ ତାହା ଆଲୋଚନା ହୋଇଥିଲା । ଏତଦବ୍ୟତୀତ ବିଏସଏଫ ତରଫରୁ ଏକ ନୂତନ କ୍ୟାମ୍ପ ପ୍ରତିଷ୍ଠା ନେଇ ସ୍ଥାନ ନିରୁପଣ ହୋଇଥିବା ଜଣାପଡିଛି।
୬୮ ବାଟାଲିୟନରେ କାର୍ଯ୍ୟରତ ଯବାନ ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ମାଓ ମୁକାବିଲାରେ ନିୟୋଜିତ ହୋଇଥିବାରୁ ସମସ୍ତ କ୍ୟାମ୍ପର କମାଣ୍ଡାଂଟ୍, ଅପରେସନ୍ ମୁଖ୍ୟଙ୍କ ସହ ଡିଜି ଆଲୋଚନା କରିବା ସହ ଦୃଢ଼ତାର ସହ ମାଓ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ପୁଲିସ୍ ସହ ସମନ୍ୱୟ ରକ୍ଷା କରି ଅପରେସନକୁ ଜୋରଦାର୍ କରିବାକୁ ସମୀକ୍ଷା ବୈଠକରେ ନିଷ୍ପତି ହୋଇଛି । ଏଥି ସହିତ ବିଏସଏଫ୍ ମୁଖ୍ୟାଳୟ ଓ ନୂତନ କ୍ୟାମ୍ପ ପ୍ରତିଷ୍ଠା ପାଇଁ ସ୍ଥାନ ନିରୁପଣ ହୋଇଥିବାରୁ ଅତିରିକ୍ତ ଡିଜି ପରିଦର୍ଶନ କରି କ୍ୟାମ୍ପ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ସଂଧ୍ୟା ୫ଟାରେ ସମୀକ୍ଷା ବୈଠକ ସାରି ଅତିରିକ୍ତ ଡିଜି କୋରାପୁଟ ଅଭିମୁଖେ ଫେରି ଯାଇଛନ୍ତି ।
