ସୁପରସଣ୍ଡେରେ ସୁପର ଫାଇଟ୍ : ଆଜି ଭାରତ-ପାକ୍ ହାଇଭୋଲଟେଜ୍ ମ୍ୟାଚ୍, ଆସନ୍ତୁ ଜାଣିବା କାହା ପଲା କେତେ ଭାରି
ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି । ସୁପର-୧୨ରେ ଆସନ୍ତାକାଲି ବହୁ ପ୍ରତୀକ୍ଷିତ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳାଯିବ। ସୁପରସଣ୍ଡେରେ ସୁପର ଫାଇଟ୍ : ଆଜି ଭାରତ-ପାକ୍ ହାଇଭୋଲଟେଜ୍ ମ୍ୟାଚ୍ । ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଫ୍ୟାନଙ୍କ ମନରେ ଉତ୍ସାହ ଦେଖା ଦେଇଛି। କେଉଁ ଟିମ୍ ଏହି ମ୍ୟାଚ୍ ଜିତିବ, ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଦୁଇ ଦେଶ ମଧ୍ୟରେ ରାଜନୀତିକ ବିଭେଦତା କାରଣରୁ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇପାରୁନାହିଁ। ଯେଉଁକାରଣରୁ ଭାରତ ଓ ପାକିସ୍ତାନ ଟିମ୍ କେବଳ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟରେ ପରସ୍ପର ବିରୋଧରେ ଖେଳୁଛନ୍ତି। ୨୦୧୯ ବିଶ୍ୱକପ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ୮୯ ରନରେ ବିଜୟୀ ହୋଇଥିଲା। ଦିନିକିଆ ହେଉ କି ଟି-୨୦ ପ୍ରତି ବିଶ୍ୱକପରେ ଭାରତର ରେକର୍ଡ ପାକିସ୍ତାନ ବିପକ୍ଷରେ ଶତପ୍ରତିଶତ ରହିଛି। ଦିନିକିଆ ଓ ଟି-୨୦ ବିଶ୍ୱକପରେ ଭାରତ ୧୨ଥର ପାକିସ୍ତାନକୁ ଧୂଳି ଚଟାଇଛି। ଅନ୍ୟପକ୍ଷରେ ପାକିସ୍ତାନ ଗୋଟିଏ ବି ମ୍ୟାଚ୍ ଜିତିପାରିନାହିଁ। ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀକୁ ଦିନିକିଆ ବିଶ୍ୱକପରେ ୭ଥର ଓ ଟି-୨୦ ବିଶ୍ୱକପରେ ୫ଥର ହରାଇଛି। ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଶେଷଥର ଲାଗି ୨୦୧୬ରେ ପରସ୍ପରକୁ ଭେଟିଥିଲେ। ସେହି ମ୍ୟାଚରେ ଭାରତ ୬ ୱିକେଟରେ ପାକିସ୍ତାନକୁ ହରାଇଥିଲା। ତେବେ ଆସନ୍ତୁ ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଗୁଡ଼ିକ ଉପରେ ନଜର ପକାଇବା।
ଅନ୍ୟପକ୍ଷରେ ଆଇସିସି ପ୍ରତିଯୋଗିତାରେ ଭାରତକୁ ମାତ୍ର ୩ ଥର ହରାଇଛି ପାକିସ୍ତାନ। ଏହି ତିନିଟି ଯାକ ବିଜୟ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ହାସଲ କରିଛି। ଶେଷ ଥର ପାଇଁ ପାକିସ୍ତାନ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ଭାରତକୁ ପରାସ୍ତ କରିଥିଲା। ଏକଦିବସୀୟ ବିଶ୍ବକପ୍ରେ ଭାରତ ପାକିସ୍ତାନକୁ ୭ ଥର ହରାଇଛି। ଭାରତକୁ ପାକିସ୍ତାନ କିନ୍ତୁ ଥରେ ହେଲେ ବି ହରାଇପାରିନି। ଟି-୨୦ରେ ଭାରତ ପାକିସ୍ତାନ ମୋଟ ଉପରେ ୮ ଥର ପରସ୍ପରର ମୁକାବିଲା କରିଛନ୍ତି। ସେଥିରୁ ଭାରତ ୭ଟି ଜିତିଥିଲା ବେଳେ ପାକିସ୍ତାନ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି। ଟି-୨୦ରେ ଭାରତର ସର୍ବୋଚ୍ଚ ସ୍କୋର ହେଉଛି ୧୯୨/୫। ଯାହାକୁ ଭାରତ ୨୦୧୨ ମସିହାରେ ଅହମଦାବାଦଠାରେ ହାସଲ କରିଥିଲା। ଦୁଇ ଦଳ ମଧ୍ୟରେ ସର୍ବନିମ୍ନ ଦଳଗତ ସ୍କୋର ପାକିସ୍ତାନ କରିଛି। ୨୦୧୬ ଏସିଆ କପ୍ରେ ଢାକାଠାରେ ଭାରତୀୟ ବୋଲରମାନେ ପାକିସ୍ତାନକୁ ମାତ୍ର ୮୩ ରନ୍ରେ ଅଲଆଉଟ୍ କରି ଦେଇଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାଁରେ ରହିଛି। ୨୦୧୨ର ଟି-୨୦ ବିଶ୍ୱକପ୍ରେ କଲମ୍ବୋ ଠାରେ ସେ ଖେଳିଥିବା ୭୮ ରନ୍ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହୋଇ ରହିଛି। ସେହିପରି ସବୁଠାରୁ ଭଲ ବୋଲିଂ ଚିତ୍ର ମହମ୍ମଦ ଆସିଫଙ୍କ ନାଁରେ ଅଛି। ୨୦୦୭ ପ୍ରଥମ ଟି-୨୦ ବିଶ୍ୱକପ୍ରେ ଡର୍ବାନ ଠାରେ ମାତ୍ର ୧୮ ରନ୍ ବ୍ୟୟ କରି ୪ ୱିକେଟ୍ ହାସଲ କରିଥିଲେ। ଗତ ଦଶନ୍ଧିରେ ପାକିସ୍ତାନ ୧୨୯ ଟି ଟି-୨୦ ଖେଳି ୭୭ଟିରେ ବିଜୟୀ ହୋଇଛି। ୪୫ ମ୍ୟାଚ୍ରେ ପରାଜିତ ହୋଇଥିଲା ବେଳେ ୨ ମ୍ୟାଚ୍ ଟାଇ ରହିଛି। ୫ ମ୍ୟାଚ୍ର ଫଳାଫଳ ମିଳିନି। ଏଣୁ ଗତ ଦଶନ୍ଧିରେ ପାକିସ୍ତାନର ଟି-୨୦ ବିଜୟ ୫୯.୭% ରହିଛି। ଅନ୍ୟପକ୍ଷରେ ଭାରତ ଏହି ସମୟ ମଧ୍ୟରେ ୧୧୫ ମ୍ୟାଚ୍ ଖେଳି ୭୩ଟିରେ ବିଜୟୀ ହୋଇଛି। ୩୭ ମ୍ୟାଚ୍ରେ ଭାରତ ହାରିଥିଲା ବେଳେ ୨ ମ୍ୟାଚ୍ ଟାଇ ରହିଛି। ୩ ମ୍ୟାଚ୍ର ଫଳାଫଳ ମିଳିନି।
କେଉଁ କେଉଁ ଦଳ ସହ ମୁକାବିଲା କରିବ ଭାରତ :
ସୁପର-୧୨ରେ ଭାରତ ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବ୍ୟତୀତ ଅନ୍ୟ ଦୁଇ ଦଳ ସହ ମୁକାବିଲା କରିବ। ଭାରତ ଅକ୍ଟୋବର ୨୪ରେ ନିଜର ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ନିଜର ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୩୧ରେ ଦୁବାଇରେ ନ୍ୟୁଜିଲାଣ୍ଡ ବିରୋଧରେ, ନଭେମ୍ବର ୩ରେ ଆବୁଧାବିରେ ଆଫଗାନିସ୍ତାନର ମୁକାବିଲା କରିବ ଭାରତ। ଏହି ତିନି ମ୍ୟାଚ୍ ପରେ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ନଭେମ୍ବର ୫ରେ ଗ୍ରୁପ ବିର ଶୀର୍ଷରେ ଥିବା ଦଳ ସହ ମୁକାବିଲା କରିବ। ଆଉ ଏହି ଦଳ ହେଉଛି ସ୍କଟଲାଣ୍ଡ। ଯୋଗ୍ୟତାପର୍ଯ୍ୟାୟର ସମସ୍ତ ମୁକାବିଲା ଜିତି ଗ୍ରୁପ ବିରେ ସ୍କଟଲାଣ୍ଡ ଶୀର୍ଷରେ ରହିଛି। ଏହା ପରେ ନଭେମ୍ବର ୮ରେ ଗ୍ରୁପ ଏର ଦ୍ଵିତୀୟ ସ୍ଥାନରେ ଥିବା ନାମ୍ବିଆଙ୍କୁ ଭେଟିବ ଭାରତ। କାର୍ଯ୍ୟସୂଚୀ : ଭାରତ ବନାମ ପାକିସ୍ତାନ, ଅକ୍ଟୋବର ୨୪(ଦୁବାଇ, ସନ୍ଧ୍ୟା ୭ଟା ୩୦), ଭାରତ ବନାମ ନ୍ୟୁଜିଲାଣ୍ଡ, ଅକ୍ଟୋବର ୩୧(ଦୁବାଇ, ସନ୍ଧ୍ୟା ୭ଟା ୩୦), ଭାରତ ବନାମ ଆଫଗାନିସ୍ତାନ, ନଭେମ୍ବର ୩(ଆବୁଧାବି, ସନ୍ଧ୍ୟା ୭ଟା ୩୦), ଭାରତ ବନାମ ସ୍କଟଲାଣ୍ଡ, ନଭେମ୍ବର ୫(ଦୁବାଇ, ସନ୍ଧ୍ୟା ୭ଟା ୩୦), ଭାରତ ବନାମ ନାମ୍ବିଆ, ନଭେମ୍ବର ୮(ଦୁବାଇ, ସନ୍ଧ୍ୟା ୭ଟା ୩୦) ।
