ଟି୨୦ ବିଶ୍ୱକପ୍ : ଓ୍ବେଷ୍ଟଇଣ୍ଡିଜକୁ ୬ ଓ୍ବିକେଟରେ ହରାଇଲା ଇଂଲଣ୍ଡ
ଦୁବାଇ : ଦୁବାଇ ଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡ ଓ୍ବେଷ୍ଟଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଛି । ଓ୍ବେଷ୍ଟଇଣ୍ଡିଜ ଦ୍ବାରା ରଖାଯାଇଥିବା ୫୬ରନର ଲକ୍ଷ୍ୟକୁ ଇଂଲଣ୍ଡ ୮.୨ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଇଂଲଣ୍ଡ ପକ୍ଷରୁ ବଟଲର ସର୍ବାଧିକ ୨୪ ରନ କରିଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡଜ୍ ଆରମ୍ଭରୁ ହିଁ ନିୟମିତଭାବେ ଓ୍ବିକେଟ ହରାଇ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ଶେଷ ପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା । ଦଳର ଜଣେ ମାତ୍ର ବ୍ୟାଟ୍ସମ୍ୟାନ (କ୍ରିସ ଗେଲ ୧୩) ଦୁଇ ଅଂକ ଛୁଇଁପାରିଥିଲେ । ଦଳ ୧୪.୧ ଓଭରରେ ୫୫ ରନ କରିପାରିଥିଲା । ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଓପନର ଲେଣ୍ଡଲ୍ ସିମନ୍ସ ଏବଂ ଇଭିନ୍ ଲୁଇସ୍ ଫେଲ ମାରିଥିଲେ । ସିମନ୍ସ ୩ ରନ କରି ଆଉଟ ହୋଇଥିବା ବେଳେ ଲୁଇସ୍ ୬ ରନ କରି ଆଉଟ ହୋଇଥିଲେ । କେବଳ କ୍ରିସ୍ ଗେଲ ଦୁଇ ଅଙ୍କ (୧୩ରନ) କରିଥିଲେ । ସିମ୍ରନ ହେଟମାୟର ୯ ରନ, ଡ୍ବେନ୍ ବ୍ରାଭୋ ୫ ରନ, ନିକୋଲାସ ପୁରନ୍ ୧ ରନ, କିରଣ ପୋଲାର୍ଡ ୬ ରନ, ଆନ୍ଧ୍ରେ ରସେଲ ୦ ରନ, ଓବେଡ୍ ମାକ୍କେ ୦, ରବି ରାମପାଲ ୩ ରନ କରି ଆଉଟ ହୋଇଥିଲେ । ଆକେଲ ହୁସେନ୍ ୬ ରନ କରି ଅପରାଜିତ ଥିଲେ । ଇଂଲଣ୍ଡରୁ ସ୍ପିନର ଆଦିଲ ରସିଦ ଘାତକ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ଆଦିଲ ରସିଦ ମାତ୍ର ୨.୨ ଓଭରରେ ୨ ରନ ଦେଇ ୪ଟି ଓ୍ବିକେଟ ନେଇଥିଲେ । ସେହିପରି ମୋଇନ ଅଲ୍ଲୀ ୪ ଓଭରରେ ୧୭ ରନ ୨ ଓ୍ବିକେଟ, କ୍ରିସ୍ ଓକସ୍ ୨ ଓଭରରେ ୧୨ ରନ ୧ ଓ୍ବିକେଟ୍, ଟାଇମଲ ମିଲସ୍ ୪ ଓଭରରେ ୧୭ ରନ ୨ ଓ୍ବିକେଟ, କ୍ରିସ ଜୋର୍ଡନ ୨ ସଭରରେ ୭ ରନ ଦେଇ ୧ ଓ୍ବିକେଟ ନେଇଥିଲେ ।
