ତାଲିବାନୀଙ୍କ କ୍ରୁରତା : ଜୁନିୟର ମହିଳା ଭଲିବଲ୍ ଟିମର ମହିଳା ଖେଳାଳିଙ୍କୁ ହତ୍ୟା
କାବୁଲ୍: ଆଫଗାନିସ୍ତାନରେ ତାଲିବାନଙ୍କ କ୍ରୁରତା ସବୁ ସୀମା ଟପିଛି । ଏବେ ତାଲିବାନୀ ଆତଙ୍କୀ ଆଫଗାନିସ୍ତାନ ଜୁନିୟର ମହିଳା ଭଲିବଲ୍ ଟିମର ଜଣେ ସଦସ୍ୟଙ୍କର ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପର୍ସିଆନ୍ ଇଣ୍ଡିପେଣ୍ଡେଂଟ ୱେବସାଇଟର ରିପୋର୍ଟ ମୁତାବକ, ତାଲିବାନୀ ଆତଙ୍କୀମାନେ ଟିମର ଏହି ସଦସ୍ୟଙ୍କ ବେକ କାଟି ତା’ର ହତ୍ୟା କରିଛନ୍ତି । ଏକ ସାକ୍ଷାତକାରରେ କୋଚ୍ ସୁରାୟା ଅଫଜାଲି (ବଦଳାଯାଇଥିବା ନାଁ) କହିଛନ୍ତି, ତାଲିବାନୀମାନେ ଚଳିତ ମାସରେ ମହଜବିନ୍ ହାକିମି ନାମକ ଜଣେ ମହିଳା ଖେଳାଳିଙ୍କ ହତ୍ୟା କରିଛନ୍ତି । କୋଚ୍ କହିଛନ୍ତି ଯେ ଏହି ଭୟଙ୍କର ହତ୍ୟା ସମ୍ପନ୍ଧରେ କାହାରିକୁ ସୂଚନା ମିଳିନାହିଁ, କାରଣ ତାଲିବାନୀ ସେହି ଖେଳାଳିଙ୍କର ପରିବାରକୁ ଏ ସମ୍ବନ୍ଧରେ କଥା ନହେବାକୁ ଧମକ ଦେଇଥିଲେ । ଅଶରଫ୍ ଗନି ସରକାରର ପତନ ପୂର୍ବରୁ ମହଜବିନ କାବୁଲ ନଗର ପାଳିକା ଭଲିବଲ୍ କ୍ଲବ୍ ପକ୍ଷରୁ ଖେଳୁଥିଲେ ଏବଂ ଟିମର ଷ୍ଟାର୍ ଖେଳାଳିଙ୍କ ମଧ୍ୟରେ ସାମିଲ୍ ଥିଲେ । କୋଚଙ୍କ କହିବା ମୁତାବକ, କିଛି ଦିନ ତଳେ ମହଜବିନର କଟା ମୁଣ୍ଡ ଏବଂ ରକ୍ତ ଜୁଡୁବୁଡ଼ୁ ବେକର ଫଟୋ ସୋଶାଲ ମିଡିଆରେ ସାମ୍ନାକୁ ଆସିଥିଲା ।
ଆଫଗାନ ଜାତୀୟ ମହିଳା ଭଲିବଲ୍ ଟିମର କୋଚ୍ କହିଛନ୍ତି, ଅଗଷ୍ଟରେ ତାଲିବାନର ପୂର୍ଣ୍ଣ କବଜା ପୂର୍ବରୁ ଟିମର ଦୁଇଜଣ ଖେଳାଳି ଦେଶ ଛାଡ଼ିବାରେ ସଫଳ ହୋଇଥିଲେ । ହେଲେ ମହଜବିନ ହକିମି ସେହି ମହିଳା ଖେଳାଳିଙ୍କ ମଧ୍ୟରେ ସାମିଲ୍ ଥିଲେ, ଯେଉଁମାନେ ଦେଶ ଛାଡ଼ିପାରି ନଥିଲେ । କୋଚ୍ ଅଫଜାଲି କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ କବଜା ପରେ ସେମାନେ ଲଗାତର ମହିଳା ଆଥଲେଟଙ୍କୁ ଖୋଜି ଖୋଜି ବାହାର କରୁଥିଲେ । ବିଶେଷକରି ତାଲିବାନୀ ମହିଳା ଭଲିବଲ୍ ଟିମର ସଦସ୍ୟଙ୍କ ସନ୍ଧାନରେ ଥିଲେ, ଯେଉଁମାନେ ଅନେକ ବିଦେଶୀ ଓ ଘରୋଇ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ମିଡିଆ କାର୍ଯ୍ୟକ୍ରମରେ ଲଗାତର ନଜର ଆସୁଥିଲେ । ଅଫଜାଲି କହିଛନ୍ତି, ଭଲିବଲ୍ ଟିମର ସବୁ ଖେଳାଳି ଓ ବାକି ମହିଳା ଆଥଲେଟ୍ ଅତ୍ୟନ୍ତ ଖରାପ ସ୍ଥିତି ଅଛନ୍ତି । ସେମାନଙ୍କ ମନରେ ଭୟ ଓ ନିରାଶା ରହିଛି । ସମସ୍ତେ ପଳାୟନ କିମ୍ବା ଲୁଚିବାକୁ ବାଧ୍ୟ ହେଉଥିଲେ । ୧୯୭୮ରେ ଆଫଗାନ୍ ରାଷ୍ଟ୍ରୀୟ ମହିଳା ଭଲିବଲ୍ ଟିମର ଗଠନ ହୋଇଥିଲା ଏବଂ ଏହା ଦୀର୍ଘ ଦିନ ଧରି ଦେଶର ଯୁବତୀଙ୍କ ପାଇଁ ଆଶା ଓ ସଶକ୍ତିକରଣର ମାଧ୍ୟମ ଥିଲା । ହେଲେ ମହଜବିନଙ୍କ ମୃତ୍ୟୁ ସମସ୍ତଙ୍କ ଭୟଭୀତ କରିଦେଇଛି ।
