ଡେନ୍ମାର୍କ ଓପନ୍ରେ ସିନ୍ଧୁ, ଶ୍ରୀକାନ୍ତ ଓ ସମୀରଙ୍କ ବିଜୟ ଅଭିଯାନ
ଓଡେନ୍ସେ : ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହ କିଦାମ୍ବି ଶ୍ରୀକାନ୍ତ ଓ ସମୀର ବର୍ମା ଚଳିତ ଡେନ୍ମାର୍କ ଓପନ୍ ବ୍ୟାଡ୍ମିଂଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ମଙ୍ଗଳବାର ମହିଳା ଏକକ ମୁକାବିଲାରେ ବିଶ୍ୱ ବିଜୟିନୀ ସିନ୍ଧୁ ୨୧-୧୨, ୨୧-୧୦ରେ ତୁର୍କିର ନେସଲିହାନ ୟିଗିଟଙ୍କୁ ପରାସ୍ତ କରିଥିଲେ । ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ୨୦୧୭ ବିଜେତା ଶ୍ରୀକାନ୍ତ ୨୧-୧୪, ୨୧-୧୧ରେ ନିଜ ଦେଶର ବି ସାଇ ପ୍ରଣୀତଙ୍କୁ ପରାସ୍ତ କରିଥିଲେ । ସେହିପରି ସମୀର ୨୧-୧୭, ୨୧-୧୪ରେ ୨୧ତମ ମାନ୍ୟତାପ୍ରାପ୍ତ କୁନ୍ ଲାଭୁଟ ଭିତିଦସର୍ନଙ୍କୁ ହରାଇଥିଲେ । ପରବର୍ତୀ ରାଉଣ୍ଡରେ ଚତୁର୍ଦଶ ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତ ବିଶ୍ୱର ୧ ନମ୍ବର ଜାପାନ୍ର କେେଂଟା ମୋମୋତାଙ୍କୁ ଏବଂ ୨୮ ମାନ୍ୟତାପ୍ରାପ୍ତ ସମୀର ତୃତୀୟ ମାନ୍ୟତାପ୍ରାପ୍ତ ଡେନ୍ମାର୍କର ଆନ୍ଦେର୍ସ ଆେଂଟାନସେନ୍ଙ୍କୁ ଭେଟିବେ ।
ପୁରୁଷ ଯୁଗଳରେ ଭାରତୀୟ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଏବଂ ଏମ୍ଆର୍ ଅର୍ଜୁନ ଓ ଧ୍ରୁବ କପିଳ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି । ସାତ୍ୱିକ ଓ ଚିରାଗ ୨୩-୨୧, ୨୧-୧୫ରେ ଇଂଲଣ୍ଡର କଲମ ହେମିଂ ଓ ଷ୍ଟିଭେନ୍? ଷ୍ଟଲଉଡ୍ଙ୍କୁ ଏବଂ ଅର୍ଜୁନ ଓ ଧ୍ରୁବ ୨୧-୧୯, ୨୧-୧୫ରେ ଇଂଲଣ୍ଡର ଅନ୍ୟ ଏକ ଯୋଡ଼ି ବେନ୍ ଲେନ୍ ଓ ସିନ୍ ଭେଣ୍ଡିଙ୍କୁ ପରାସ୍ତ କରିଥିଲେ । ତେବେ ଅନ୍ୟ ଏକ ଭାରତୀୟ ଯୋଡ଼ି ମନୁ ଅତ୍ରି ଓ ବି ସୁମିତ ରେଡ୍ଡୀଙ୍କ ଅଭିଯାନ ଶେଷ ହୋଇଛି । ପ୍ରଥମ ରାଉଣ୍ଡରେ ଏହି ଯୋଡ଼ି ୧୮-୨୧, ୧୧-୨୧ରେ ମାଲେସିଆର ଜୋ ଜି ଫେଇ ଓ ନୁର ଇଜୁଦ୍ଦିନ୍ଙ୍କଠୁ ହାରିଯାଇଥିଲେ ।
