ମୁମ୍ବାଇ ଡ୍ରଗ୍ସ ମାମଲାର ଓଡ଼ିଶା ଲିଙ୍କ୍ : ରାଉରକେଲାର ୨ ଯୁବକ ଗିରଫ
ମୁମ୍ବାଇ : ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଓଡ଼ିଶା ଲିଙ୍କ । ଆଜି ଏହି ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି ।ପୂର୍ବରୁ ଏହି ମାମଲାରେ ୧୨ ଜଣ ଗିରଫ ହୋଇଥିଲେ । ଆଜି ଗିରଫ ହୋଇଥିବା ୪ ଜଣଙ୍କୁ ମିଶାଇଲେ ଏହି ମାମଲାରେ ମୋଟ ୧୬ ଜଣ ଗିରଫ ହେଲେଣି । ଆଜି ଗିରଫ ହୋଇଥିବା ଏହି ୪ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଯୁବକ ଥିବା ଜଣାଯାଇଛି । ସେମାନେ ହେଲେ ରାଉରକେଲାର ମନିଷ ରାଜଗାରିଆ ଓ ଅବିନ ସାହୁ । ଏମାନେ ସେଦିନ ସେହି କ୍ରୁଜ ଜାହାଜରେ ଥିଲେ ବୋଲି ଜଣାଯାଇଛି । ସେମାନଙ୍କୁ ମୁମ୍ବାଇର ଏସପ୍ଲାଣ୍ଡ କୋର୍ଟ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ରିମାଣ୍ଡକୁ ପଠାଇଦେଇଛନ୍ତି । ଉଭୟଙ୍କୁ ଗିରଫ କରାଯାଇଥିବା ସୂଚନା ରହିଥିବା ବେଳେ ଏମାନେ ଡ୍ରଗ୍ସ ଯୋଗାଉଥିଲେ କିମ୍ବା ପାର୍ଟିରେ ସାମିଲ ଥିଲେ ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନା ଯେ, ପୂର୍ବରୁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ, ଅରବାଜ ମର୍ଚେଣ୍ଟ ଏବଂ ମୁନ୍ମୁନ୍ ଧମାଚେକୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି ଏନ୍ସିବି । ଏହି ୩ ଜଣ ଷ୍ଟାର କିଡ୍ଙ୍କ ସମେତ ୮ ଜଣଙ୍କୁ ଗିରଫ କରି ସତ ଓଗାଳୁଛି ଏନ୍ସିବି । ଆର୍ଯ୍ୟନ୍କୁ ଆସନ୍ତା ୭ ତାରିଖ ଯାଏଁ ରିମାଣ୍ଡରେ ନେଇ ତୁହାକୁ ତୁହା ଜେରା କରାଯାଉଥିବା ବେଳେ ନୂଆ ନୂଆ ଲିଙ୍କ୍ ସାମ୍ନାକୁ ଆସିବାରେ ଲାଗିଛି । ପୂର୍ବରୁ ସୁଶାନ୍ତ ସିଂହ ରାଜପୁତ ଗିରଫ ଘଟଣାରେ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ କରିଥିଲା ଏନ୍ସିବି । ତେବେ ରିୟା ମଧ୍ୟ ଓଡିଶାରୁ ଡ୍ରଗ୍ସ ନେଇ ସେବନ କରିବା ସହ କାରବାର କରୁଥିଲେ । ବଡ କଥା ହେଉଛି ଏବେ ଡ୍ରଗ୍ସ ଲିଙ୍କ୍ରେ ଓଡିଶା ବାରମ୍ବାର ଛନ୍ଦି ହୋଇଯାଉଛି । ଅନ୍ୟପକ୍ଷରେ ଆର୍ୟନ ହ୍ଵାଟ୍ସଆପ୍ରେ ଅଜଣା ଲୋକଙ୍କ ସହ ଚରସ କିଣିବା ଏବଂ ଟଙ୍କା ନେଣଦେଣ କରୁଥିବା ଜଣା ପଡିଛି। ଏହାର ସନ୍ଧାନ ଜାରି ରହିଥିବା ବେଳେ ଏବେ ଓଡିଶା ଲିଙ୍କ୍ ବାହାରିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । କାରଣ ଆର୍ୟନ ହ୍ଵାଟ୍ସଆପ୍ରେ କଥା ହେଉଥିବା ବେଳେ କୋଡ୍ ଓ୍ଵାର୍ଡର ବ୍ୟବହାର କରୁଥିଲେ। ସୋମବାର କେସ୍ର ଶୁଣାଣି ସମୟରେ କୋର୍ଟରେ ଆଡିସିନାଲ ସଲିସିଟର ଜେନେରାଲ ଅନିଲ୍ ସିଂହ କହିଛନ୍ତି, ଏନସିବି ଆର୍ୟନ ଖାନଙ୍କ ଫୋନ ଜବତ କରିଛି। ଏହି ଫୋନରେ ଏମିତି ଅନେକ ସନ୍ଦିଗ୍ଧ ଚାଟ୍ ମିଳିଛି, ଯାହା ଡିଲର୍ସଙ୍କ ସହ ତାଙ୍କର କନେକ୍ସନ ଆଡକୁ ଇସାରା କରୁଛି। କୋର୍ଟ ଆର୍ୟନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ପଠାଇଛନ୍ତି। ଏହି ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ସାମ୍ନା ସାମ୍ନି ବସାଯାଇ ଜେରା କରାଯିବ।
