କଟକରେ ବଢିଚାଲିଛି ଅପରାଧ : ୩ବନ୍ଧୁକ ସହ ୧୬ରାଉଣ୍ଡ ଗୁଳି ଜବତ, ୪ଗିରଫ
କଟକ : ଚୋରାରେ ବନ୍ଧୁକ କାରବାର କରୁଥିବା ୪ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିିବାରେ ବାଦାମବାଡି ଥାନା ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତମାନେ ସଦର ଥାନା ଅନ୍ତର୍ଗତ ଝିଙ୍କିରିଆର ନବ ଓରଫ ଜ୍ଞାନରଂଜନ ସାହୁ(୪୦), ବାଦାମବାଡି ଥାନା ଅନ୍ତର୍ଗତ ଶଙ୍କରପୁର ଡିହସାହିର ପପୁ ଓରଫ ପ୍ରକାଶ ରାଉତ(୩୫) ଓ ବଳଭଦ୍ରପୁର ବାଲିସାହିର ଜିତୁ ଓରଫ ପ୍ରମୋଦ କୁମାର ରାଉତ ଏବଂ ଚାଉଳିଆଗଂଜ ଥାନା ଅନ୍ତର୍ଗତ ଗତିରାଉତପାଟଣାର ସୁଶାନ୍ତ ପରିଡା(୪୯) । ପୋଲିସ ସେମାନଙ୍କଠାରୁ ଗୋଟିଏ ୯ଏମଏମ ଦେଶୀ ବନ୍ଧୁକ, ଗୋଟିଏ ୭.୬୫ ଏମଏମ ପିସ୍ତଲ, ଗୋଟିଏ ସିକ୍ସର ରିଭଲଭର, ୧୬ ରାଉଣ୍ଡ ଗୁଳି ଜବତ କରିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆଜି ଝାଞ୍ଜିରୀମଙ୍ଗଳା ଗଡା ନିକଟରେ ଜ୍ଞାନ ବୁଲୁଥିବାର ଏକ ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ଥାନା ଏସଆଇ ଦିଲ୍ଲିପ ମହାନ୍ତି ସଦଳବଳେ ଚଢଉ କରି ନବକୁ କାବୁ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ସେ ତା ନିକଟରୁ ଏକ ବନ୍ଧୁକ ଜବତ କରାଯାଇଥିବା ବେଳେ ଜେରା ବେଳେ ସେ ପପୁଠାରୁ ଏହି ବନ୍ଧୁକ କିଣିଥିବା କହିଥିଲା । ପରେ ପୋଲିସ ଚଡଉ କରି ପପୁକୁ ଗିରଫ କରିଥିଲା । ତା ଠାରୁ ମଧ୍ୟ ମାରଣାସ୍ତ୍ର ଜବତ ହୋଇଥିଲା । ଏଥିସହିତ ସେ ପ୍ରମୋଦ ଓ ସୁଶାନ୍ତକୁ ବନ୍ଧୁକ ବିକ୍ରି କରିଥବା ସ୍ୱୀକାର କରିଥିଲା । ପୋଲିସ ଉଭୟଙ୍କୁ ମଧ୍ୟ ଗିରଫ କରିଥିଲା । ଅଭିଯୁକ୍ତ ଜ୍ଞାନ ବିରୋଧରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଥିଲା ବେଳେ ପପୁ ବିରୋଧରେ ୫, ସୁଶାନ୍ତ ବିରୋଧରେ ୨ଟି ମାମଲା ରହିଥିବା ଜଣାପଡିଛି । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
