ପଦାର୍ଥ ବିଜ୍ଞାନ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର
ନୂଆଦିଲ୍ଲୀ : ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର-୨୦୨୧ । ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ମୋଟ ୩ ଜଣଙ୍କୁ ଏଥିପାଇଁ ମନୋନୀତ କରାଯାଇଛି । ପଦାର୍ଥ ବିଜ୍ଞାନରେ ଉତ୍କୃଷ୍ଟ ଗବେଷଣା ପାଇଁ ବୈଜ୍ଞାନିକ ସୁକୋରୋ ମାନବେ, ବୈଜ୍ଞାନିକ କ୍ଲାଓସ ହାସେଲ୍ମାନ ଓ ବୈଜ୍ଞାନିକ ଜିଓର୍ଜିଓ ପାରିସୀଙ୍କୁ ନୋବେଲ ପୁରସ୍କାର ମିଳିବ । ଜଟିଳ ଭୌତିକ ବୈଜ୍ଞାନିକ ପ୍ରଣାଳୀ ଗବେଷଣା ପାଇଁ ଉକ୍ତ ୩ଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରିଯିବ । ରୟାଲ ସ୍ୱେଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ତିନିଜଣଙ୍କୁ ମନୋନୀତ କରାଯାଇଛି । ସୁକୋରୋ ମାନବେ ଓ କ୍ଲାଓସ ହାସେଲ୍ମାନ କାର୍ବନ ଡାଇଅକ୍ସାଇଡ ସହ ଗ୍ଲୋବାଲ ୱାର୍ମିଙ୍ଗ ବାବଦରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିଥିଲେ । ସେହିପରି ଜିଓର୍ଜିଓ ପାରିସୀ ଅଣୁଠାରୁ ଗ୍ରହ ପର୍ଯ୍ୟନ୍ତ ଭୌତିକ ପ୍ରଣାଳୀରେ ଦ୍ରୁତ ପରିବର୍ତନର ଗତି ବାବଦରେ ଗବେଷଣା କରିଛନ୍ତି ।
୧୯୩୩ରେ ଜାପାନରେ ସୁକୋରୋଙ୍କ ଜନ୍ମ ହୋଇଥିଳା । ସେ ୟୁନିର୍ଭସିଟି ଅଫ୍ ଟୋକିଓରେ ୧୯୫୭ରେ ପିଏଚ୍ଡି କରିଥିଲେ । ସେ ବର୍ତମାନ ଆମେରିକାର ପ୍ରିନ୍ସଟନ୍ ୟୁନିଭରସିଟିରେ ଜଣେ ବରିଷ୍ଠ ମହାକାଶଚାରୀ ବିଜ୍ଞାନଶାସ୍ତ୍ରୀ ଅଟନ୍ତି । ଜଳବାୟୁ ପରିବର୍ତନ ଉପରେ ସେ ତାଙ୍କର ଗବେଷଣା କରିଥିଲେ, ଯାହା ପରେ ତାଙ୍କୁ ମନୋନୀତ କରାଯାଇଛି । ସେହିପରି ୧୯୩୧ କ୍ଲାଓସ ହାସେଲ୍ମାନଙ୍କ ଜନ୍ମ ଜର୍ମାନୀରେ ହୋଇଥିଲା । ସେ ୧୯୫୭ରେ ଜର୍ମାନୀରେ ହିଁ ପିଏଚ୍ଡି କରିଥିଲେ । ବର୍ତମାନ ସେ ଜର୍ମାନୀର ମ୍ୟାକ୍ସ ପ୍ଲଙ୍କ ଇନଷ୍ଟିଚ୍ୟୁଟ ଅଫ୍ ମେଟ୍ରୋଲୋଜିର ପ୍ରଫେସର ଅଟନ୍ତି । ଜଳବାୟୁ ପରିବର୍ତନକୁ ନେଇ ସେ ଏକ ମଡେଲ ତିଆରି କରିଛନ୍ତି । ଅନ୍ୟପଟେ ୧୯୪୮ରେ ଇଟାଲୀରେ ଜନ୍ମିତ ଜିଓର୍ଜିଓ ପାରିସୀ ରୋମରୁ ହିଁ ୧୯୭୦ରେ ପିଏଚ୍ଡି କରିଥିଲେ । ବର୍ତମାନ ସେ ସ୍ପେନିଜ ୟୁନିର୍ଭସିଟି ଅଫ୍ ରୋମ୍ ରେ ପ୍ରଫେସର ଅଛନ୍ତି । ବିଶୃଙ୍ଖଳିତ ଜଟିଳ ପଦାର୍ଥରେ ଜିଓର୍ଜିଓ ଅନେକ ଲୁକ୍କାୟିତ ଢ଼ାଂଚା ଆବିଷ୍କାର କରିଥିଲେ । ତାଙ୍କର ଆବିଷ୍କାରଗୁଡ଼ିକ ଜଟିଳ ପ୍ରଣାଳୀର ସିଦ୍ଧାନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ । ପଦାର୍ଥ ବିଜ୍ଞାନ ବ୍ୟତୀତ ସେ ଗଣିତ, ଜୀବବିଜ୍ଞାନ, ସ୍ନାୟୁ ବିଜ୍ଞାନ ଏବଂ ମେସିନ୍ ଲର୍ନିଂରେ ଅନେକ ମେଟେରିଆଲ୍ସ ବିଷୟରେ ସୂଚନା ଦେଇଛନ୍ତି । ଏହି ନୋବେଲ ପୁରସ୍କାର ଗ୍ରହଣ କରୁଥିବା ୩ ବ୍ୟକ୍ତିଙ୍କୁ ନଗଦ ୧.୧୪ ମିଲିୟନ ଡଲାର ସହିତ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ ।
