ଦେଶରେ ଆଉ ୨୩,୫୨୯ କରୋନା ସଂକ୍ରମିତ ଚିହ୍ନଟ ଓ ୩୧୧ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହ ପାରି କରିଛି । ମୋଟ ପରୀକ୍ଷା କରାଯାଉଥିବା ନମୁନା ମଧ୍ୟରୁ ୦.୮୨% ସଂକ୍ରମିତ ବାହାରୁଛନ୍ତି । ସଂପ୍ରତି ଦୈନିକ ସଂକ୍ରମଣ ହାର ୧.୫୬% ଏବଂ ସାପ୍ତାହିକ ସଂକ୍ରମଣ ୧.୭୪% ରହିଛି । ସେହିପରି ଦେଶରେ ଆରୋଗ୍ୟ ହାର ୯୭.୮୫% ରହିଥିବା ଜଣାଯାଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଦେଶରେ ମୋଟ ୫୬.୮୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ଦେଶରେ ୮୮.୩୪ କୋଟି ପାନ ଟିକାଦାନ କରାଯାଇଛି ।
ଗୁରୁବାର ଗତ ୨୪ଘଣ୍ଟାରେ ୨୩ହଜାର ୫୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨୮ହଜାର ୭୧୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୭ଲକ୍ଷ ୩୯ହଜାର ୯୮୦କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୮ହଜାର ୦୬୨ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩୦ଲକ୍ଷ ୧୪ହଜାର ୮୯୮ଜଣ ସୁସ୍ଥ ହୋଇଥିବା ବେଳେ ୨ଲକ୍ଷ ୭୭ହଜାର ୦୨୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
