ଆସନ୍ତାକାଲି ଠାରୁ ବଡ଼ ପରିବର୍ତ୍ତନ : ବଦଳିଯିବ ଏହି ସବୁ ନିୟମ, ଦେଖନ୍ତୁ ଆପଣଙ୍କ ପକେଟ ଉପରେ କ’ଣ ରହିବ ଏହାର ପ୍ରଭାବ ?
ନୂଆଦିଲ୍ଲୀ : ଅକ୍ଟୋବର ୧ ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ ବଡ଼ ପରିବର୍ତ୍ତନ । ବଦଳିଯିବ ଅନେକ ନିୟମ । ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଦୈନଦିନ ଜୀବନ ଓ ବଜେଟ ଉପରେ ପଡିପାରେ । ଅକ୍ଟୋବର ପହିଲାରୁ ବ୍ୟାଙ୍କ ଏବଂ ଏଟିଏମ ସହ ଜଡିତ ଅନେକ ନିୟମ ବଦଳିବାକୁ ଯାଉଛି । କେବଳ ଏତିକି ନୁହେଁ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ମଧ୍ୟ ପରିବର୍ତ୍ତନ ହେବ। ଏହାସହ ଆହୁରି କେତେକେ ଜରୁରୀ ପରିବର୍ତ୍ତନ ମଧ୍ୟ ହେବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ନିୟମ ବଦଳିବାକୁ ଯାଉଛି ଓ କଣ ରହିବ ପ୍ରଭାବ ।
ପ୍ରଥମତଃ ତିନୋଟି ବ୍ୟାଙ୍କର ଚେକବୁକ ଏବଂ ଏମଆଇସିଆର କୋଡ ଇନଭାଲିଡ ହୋଇଯିବ । ଏହି ବ୍ୟାଙ୍କ ଗୁଡିକ ହେଲେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ଶ, ୟୁନାଇଟେଡ ବ୍ୟାଙ୍କ ଇଣ୍ଡିଆ ଏବଂ ଆଲ୍ଲାହାବାଦ ବ୍ୟାଙ୍କ । ନିକଟରେ ଏହି ବ୍ୟାଙ୍କ ଗୁଡିକ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ ହୋଇଥିଲା । ତେଣୁ ଖାତାଧାରୀଙ୍କ ଆକାଉଣ୍ଟ ନମ୍ବର, ଆଇଏଫଏସସି କୋଡ, ଏମଆଇସିଆର କୋଡରେ ପରିବର୍ତ୍ତନ ହେବା କାରଣରୁ ଆସନ୍ତା କଟୋବାର ଠାରୁ ବ୍ୟାଙ୍କ ସିଷ୍ଟମ ପୁରୁଣା ଚେକବୁକ ରିଜେକ୍ଟ କରିଦେବ । ତେଣୁ ଏହି ବ୍ୟାଙ୍କର ସମସ୍ତ ପୁରୁଣା ଚେକବୁକ ଅମାନ୍ୟ ହୋଇଯିବ ।
ସେହିପରି ଆପଣଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡରେ ହେଉଥିବା ଅଟୋ ଡେବିଟ୍ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ନୂଆ ନିୟମ ଅନୁଯାୟୀ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ, ଏବଂ ମୋବାଇଲ୍ ୱାଲେଟରୁ ହେଉଥିବା କିଛି ଅଟୋ ଡେବିଟ୍ ସେତେବେଳ ପର୍ଯ୍ୟନ୍ତ ହୋଇପାରିବ ନାହିଁ, ଯେଉଁପର୍ଯ୍ୟନ୍ତ ଗ୍ରାହକ ମଞ୍ଜୁରୀ ଦେଇନାହାନ୍ତି । ଅର୍ଥାତ କଷ୍ଟମରଙ୍କ ଖାତାରୁ ଟଙ୍କା ସେତେବେଳେ ଡେବିଟ୍ ହେବ, ଯେତେବେଳେ ସେ ଏହାକୁ କନଫର୍ମ କରିବେ । ଏହି ନୋଟିଫିକେସନ୍ ଆପଣଙ୍କୁ ଏସଏମଏସ କିମ୍ବା ଇମେଲ୍ ଜରିଆରେ ମିଳିବ ।
ଅନ୍ୟପକ୍ଷରେ ଏଲପିଜି ସିଲିଣ୍ଡର ଦରରେ ପରିବର୍ତନ ହେବ । ପ୍ରତି ମାସ ଆରମ୍ଭରେ ଘରୋଇ ରୋଷେଇ ଗ୍ୟାସ ଏବଂ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ନୂଆ ଦର ଧାର୍ଯ୍ୟ କରାଯାଏ ।
ପେନସନ ନିୟମରେ ହେବ ପରିବର୍ତ୍ତନ । ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ସହ ଜଡିତ ନିୟମ ବଦଳିବ । ଦେଶର ସମସ୍ତ ପେନସନଭୋଗୀ ଯେଉଁମାନଙ୍କ ବୟସ ୮୦ କିମ୍ବା ତାଠୁ ଅଧିକ, ସେମାନେ ଦେଶର ସବୁ ହେଡ୍ ପୋଷ୍ଟ ଅଫିସର ଜୀବନ ପ୍ରମାଣ ସେଣ୍ଟରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ ଜମା କରିପାରିବେ । ଏଥିପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।
ବନ୍ଦ ହେବ ବେସରକାରୀ ମଦ ଦୋକାନ । ଦିଲ୍ଲୀରେ ବେସରକାରୀ ମଦ ଦୋକାନ ଗୁଡିକ ବନ୍ଦ ହେବାକୁ ଯାଉଛି । ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ତେବେ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କେବଳ ସରକାରୀ ଦୋକାନରେ ମଦ ବିକ୍ରି ହେବ ଏବଂ ନଭେମ୍ବର ୧୭ ରୁ ନୂଆ ନିୟମ ଅନୁଯାୟୀ ଦୋକାନ ଖୋଲିବ ।
