ଭୁବନେଶ୍ୱରରେ ଆଜି ଓ କାଲି ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର : ବାତ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ୨ ଦିନ ବନ୍ଦ ରହିବ ଟିକାକରଣ। ଭୁବନେଶ୍ୱରରେ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଟିକାକରଣ ବନ୍ଦ ରହିବ । ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେଣୁ ଟିକାକରଣ କେନ୍ଦ୍ରକୁ ନ ଆସିବା ପାଇଁ ବିଏମ୍ସି ଲୋକମାନଙ୍କୁ ପରାମର୍ଶ ଦେଇଛି । ତେବେ ମଙ୍ଗଳବାର ଅର୍ଥାତ୍ ୨୮ ତାରିଖରୁ ପୁଣି ଟିକାକରଣ ପ୍ରକିୟା ଆରମ୍ଭ କରାଯିବ। ଏନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ବାତ୍ୟା ‘ଗୁଲାବ’ ଘଣ୍ଟା ପ୍ରତି ୧୦ କିମି ବେଗରେ ସ୍ଥଳଭାଗକୁ ଗତି କରୁଛି । ଏହା ଆଜି ସନ୍ଧ୍ୟା ସୁଦ୍ଧା ଗୋପାଳପୁରର ଦକ୍ଷିଣ ଏବଂ କଳିଙ୍ଗପଟନମର ଉତ୍ତରରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫କିଲୋମିଟର ରହିବ । ପବନର ଗଷ୍ଟିଙ୍ଗ ବେଗ ଘଣ୍ଟାପ୍ରତି ସର୍ବାଧିକ ୯୫ କିଲୋମିଟର ହୋଇପାରେ । ଲ୍ୟାଣ୍ଡଫଲ ସମୟରେ ଶ୍ରୀକାକୁଲମ ବିଜୟନଗରମ୍ ଏବଂ ଗଞ୍ଜାମ ଉପକୂଳରେ ସମୁଦ୍ର ଜୁଆରିଆ ରହିବ । ସମୁଦ୍ର ଢେଉ ଅଧମିଟର ପର୍ଯ୍ୟନ୍ତ ଉଠିବ । ଏହାର ପ୍ରଭାବରେ ଆନ୍ଧ୍ର ଏବଂ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡିଶାର ୭ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ପଡିବ। ସମ୍ଭାବିତ ବାତ୍ୟା ନେଇ ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳକୁ ସତର୍କ ସୂଚନା ଜାରି କରିଛି । ଗଞ୍ଜାମ ଏବଂ ଗଜପତି ପାଇଁ ପ୍ରବଳ ବର୍ଷା ନେଇ ସର୍ବାଧିକ ଆଲର୍ଟ ଜାରି କରାଯାଇଛି ।
