ଏଲଆଇସିର ନୂତନ ପରିଚାଳନା ନିର୍ଦେଶକ ବିଷ୍ଣୁଚରଣ ପଟ୍ଟନାୟକ
ଭୁବନେଶ୍ୱର : ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ନୂତନ ପରିଚାଳନା ନିର୍ଦେଶକ ଭାବେ ବିଷ୍ଣୁଚରଣ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ୧୯୮୬ରେ ଜଣେ ‘ଡାଇରେକ୍ଟ୍ ରିକୃଇଟ୍’ ପ୍ରଥମ ଶ୍ରେଣୀୟ ଅଧିକାରୀ ଭାବେ ସେ ଭାରତୀୟ ଜୀବନ ବୀମାର ଭଦ୍ରକ ଶାଖାରେ ନିଯୁକ୍ତି ପାଇଥିଲେ। ପରେ ସେ ଭୁବନେଶ୍ୱର ସ୍ଥିତ ରାଜଭବନ ଶାଖାର ବରିଷ୍ଠ ଶାଖା ପରିଚାଳକ ଓ ବ୍ରହ୍ମପୁର ଡିଭିଜନ୍ର ବରିଷ୍ଠ ଡିଭିଜ୍ନାଲ୍ ମ୍ୟାନେଜର୍ ଭାବେ ନିଯୁକ୍ତ ହୋଇ କାର୍ଯ୍ୟ ସମ୍ପାଦନ କରିଥିଲେ। ଗ୍ରାହକ କେନ୍ଦ୍ରିକ ଆଭିମୁଖ୍ୟ ରଖୁଥିବା ବିଷ୍ଣୁଚରଣ ସର୍ବଦା ଭାରତୀୟ ଜୀବନ ବୀମାର କର୍ମଚାରୀ ଓ ଏଜେଣ୍ଟ୍ମାନଙ୍କର ମଙ୍ଗଳ କାମନା କରନ୍ତି। ତାଙ୍କର ପ୍ରତ୍ୟେକ କାର୍ଯ୍ୟରୁ ଅସାଧାରଣ ସଫଳତାର ନିଦର୍ଶନ ମିଳେ।
ସୂଚନା ଯେ, ଶ୍ରୀ ପଟ୍ଟନାୟକ ହେଉଛନ୍ତି ଗଞ୍ଜାମ ଜିଲାର ଭଞ୍ଜନଗର ନିକଟ ଭାଲିଆଖାଇ ଗ୍ରାମର ବାସିନ୍ଦା ସ୍ବର୍ଗତ ସଚ୍ଚିଦାନନ୍ଦ ଏବଂ ସ୍ନେହଲତା ପଟ୍ଟନାୟକ ପୁତ୍ର। ସମଗ୍ର ଛାତ୍ର ଜୀବନରେ ବିଷ୍ଣୁଚରଣ ଥିଲେ ଅତ୍ୟନ୍ତ ମେଧାବୀ। ଶିକ୍ଷା ଗ୍ରହଣ ସହ ଫୁଟ୍ବଲ୍, କ୍ରିକେଟ୍ ଏବଂ ଅନ୍ୟାନ୍ୟ ଖେଳରେ ସେ ହାଇସ୍କୁଲ୍ର ପ୍ରତିନିଧିତ୍ୱ କରୁଥିଲେ। ଢେଙ୍କାନାଳର ଲକ୍ଷ୍ମୀଧର ମୁନିସିପାଲ୍ ହାଇସ୍କୁଲ୍ରୁ ଅଧ୍ୟୟନ ଶେଷ କରି ସେ ଭୁବନେଶ୍ୱର ସ୍ଥିତ ‘ବିଜେବି କଲେଜ’ରୁ ସ୍ନାତକ ଡିଗ୍ରୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।
