‘ଗୁଲାବ’ ପ୍ରଭାବରେ ଭୁବନେଶ୍ୱର-କଟକରେ ପ୍ରବଳ ବର୍ଷା
ଭୁବନେଶ୍ୱର : ଭୀଷଣ ରୂପ ନେଇଥିବା ବାତ୍ୟା ‘ଗୁଲାବ’ ଏବେ ଗୋପାଳପୁରଠାରୁ ୨୭୦ କିଲୋମିଟର ଦୂରରେ ଅଛି ଏବଂ ଏହାର ବେଗ ଘଣ୍ଟା ପ୍ରତି ୧୦ କିଲୋମିଟର ଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୫ କି.ମି ପବନ ବହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।
ସେହିପରି ଭୁବନେଶ୍ୱରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଗୋଟିଏରୁ ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ୨/୩ ସେଣ୍ଟିମିଟର ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କି.ମି ରହିବ। ସ୍ଥଳବିଶେଷରେ ୫୫ କି.ମି ଛୁଇଁପାରେ। ପ୍ରବଳ ବର୍ଷା ଦ୍ୱାରା ନାଳ ନର୍ଦମାରେ ପାଣି ଆସିବ। ସୁରକ୍ଷିତ ଭାବେ ଘରେ ରହିବା, ଅଯଥା ବାହାରକୁ ବାହାରିବା ନାହିଁ, ଟ୍ରାଫିକ୍ ଜାମ୍ ନିୟନ୍ତ୍ରଣ ଏବଂ ବିଦ୍ୟୁତ୍ ତାର ପଡ଼ି ରହିଥିଲେ ପାଖକୁ ନଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
