ଆଖି ବୁଜିଲା ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ଦନ୍ତାହାତୀ !
କଟକ : ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ଦନ୍ତାହାତୀ ଶେଷରେ ଆଖିବୁଜିଛି। ମହାନଦୀର ପାଣିରେ ଭାସି ଭାସି ସେ ନୂଆ ଶାସନ ନିକଟରେ ଲାଗିଥିବା ସୂଚନା ମିଳିଛି।
ସୂଚନା ଯେ, ଗୁରୁବାର ଚନ୍ଦକାରୁ ୧୭ଟି ହାତୀ ଆଠଗଡ଼ ଅଞ୍ଚଳକୁ ପଶି ଆସିଥିଲେ। ରାଜନଗର, ସୁକାଶନ ସଂରକ୍ଷିତ ଜଙ୍ଗଲ ଓ କନ୍ଦରପୁର କାଜୁ ଜଙ୍ଗଲରେ ସେମାନଙ୍କ ଗତିବିଧି ଦେଖିବାକୁ ମିଳିଥିଲା। ଏହି ହାତୀପଲରେ ୪ଟି ଦନ୍ତା, ୪ଟି ଛୁଆ, ୯ଟି ମାଈ ହାତୀ ଥିଲେ। ଉକ୍ତ ହାତୀପଲ ମହାନଦୀ କୂଳେକୂଳେ ନଦୀ ପାରି ହେଉ ଥିବାବେଳେ ୬ଟି ହାତୀ ଆଠଗଡ଼ ନୂଆଶାସନ ଓ ୨ଟି ଅନନ୍ତପୁରକୁ ଯାଇଥିଲାବେଳେ ୮ଟି ହାତୀ ସାନମୁଣ୍ଡଳୀରେ ରହିଯାଇଥିଲେ। ମାତ୍ର ଏହି ହାତୀପଲର ଦଳପତି କୁହାଯାଉଥିବା ଦନ୍ତାହାତୀଟି ମହାନଦୀର ମୁଣ୍ଡଳୀ ବ୍ରିଜ୍ ତଳେ ପାଣି ସ୍ରୋତରେ ରାତି ୪ଟାରୁ ଫସି ଯାଇଥିଲା। ଏ ସଂପର୍କରେ ଖବର ପାଇଁ ବନବିଭାଗ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହାତୀକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଦୀର୍ଘ ସମୟ ଧରି ହାତୀ ପାଣିରେ ଫସି ରହିଥିବାରୁ ତାକୁ କଦଳୀ ଫେଣା ଖାଇବାକୁ ଦେଇ କୂଳକୁ ଆଣିବାକୁ ଚେଷ୍ଟା କରାଯାଇଥିଲା। ଖବରପାଇ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ଦିନ ପ୍ରାୟ ୧୧ଟା ସୁଦ୍ଧା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ୍ରାଫ ଟିମ୍ରେ ୧୦ ଜଣ ଥିବାବେଳେ ହାତୀଙ୍କୁ ଘଉଡ଼ାଇବା ପାଇଁ ପାୱାର ବୋଟ୍ରେ ୫ ଜଣ, ଦୁଇ ଜଣ ସାମ୍ବାଦିକଙ୍କ ସହିତ ନଈ ଭିତରକୁ ଯାଇଥିଲେ। ବୋଟ୍ରେ ଯାଇଥିବା ୭ ଜଣ ହାତୀ ପଛ ପାଖକୁ ଯାଇ ଘଉଡ଼ାଉ ଥିବାବେଳେ ବୋଟ୍ଟି ଭାରସାମ୍ୟ ହରାଇ ସ୍ରୋତରେ ବୁଡ଼ି ଯାଇଥିଲା। ସେପଟେ ବୁଡ଼ିଯାଇଥିବା ସଦସ୍ୟମାନଙ୍କୁ ବ୍ରିଜ ଉପରୁ ଦଉଡି ପକା ଯାଇ ଉଦ୍ଧାର କରୁଥିବା ବେଳେ ଓଡ୍ରାଫ ଟିମ୍ର ଜଣେ ସଦସ୍ୟ ଉପରକୁ ଆସୁଥିବା ବେଳେ ଖସି ପଡି ନିଖୋଜ ହୋଇ ଯାଇଥିଲେ। ସାମ୍ବାଦିକ ଅରିନ୍ଦମ ଦାସ ନଈ ଭିତରକୁ ପ୍ରାୟ ୪ କିଲୋମିଟର ଯାଏ ଭାସି ଯାଇଥିଲେ। ପ୍ରାୟ ୨୦ ମିନିଟ୍ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ନିଖୋଜ ଓଡ୍ରାଫ୍ ବୁଡ଼ାଳି ସୀତାରାମ ମର୍ମୁଙ୍କ ମଧ୍ୟ ମୃତ୍ୟୁ ହୋଇଛି ।
