ପ୍ରବଳ ବର୍ଷା ଯୋଗୁଁ କଟକ ସହର ଜଳାର୍ଣ୍ଣବ : ଯାତାୟତ ବାଧାପ୍ରାପ୍ତ
କଟକ : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅବପାତର ରୂପ ନେବା ପରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଜାରି ରହିଛି। ଫଳରେ ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ କଟକ ସହର ଏକାପ୍ରକାରର ଜଳାର୍ଣ୍ଣବ ହୋଇଛି । କେଉଁଠି ଆଣ୍ଠୁଏ ଉଚ୍ଚର ପାଣି ସୁଅ ଥିବାବେଳେ କେଉଁଠି ଘର ଭିତରେ ନର୍ଦ୍ଦମା ପାଣି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ଲଗାଣ ବର୍ଷା ଯୋଗୁଁ କଟକ ମହାନଗର ନିଗମ ୨୭ ନମ୍ବର ୱାର୍ଡରେ ଲୋକଙ୍କ ଘର ଭିତରେ ଅଂଟାଏ ଉଚ୍ଚର ବର୍ଷା ପାଣି ପ୍ରବେଶ କରିଛି । ଫଳରେ ଲୋକଙ୍କ ରୋଷେଇ ଓ ଖିଆପିଆ ତଥା ଯାଆସ ବନ୍ଦ ହୋଇଯାଇଛି । ପ୍ରଶାସନ ସେଠାରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ଶୁଖିଲା ଖାଦ୍ୟ ପ୍ରଦାନ ପାଇଁ ଦାବି ହୋଇଛି । ଅନ୍ୟପକ୍ଷରେ କଟକ-ଚାନ୍ଦବାଲି ରାସ୍ତା ଉପରେ ୫ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ସେହିପରି ସାଲେପୁର କୁଆଁପାଳ ରାସ୍ତାରେ ବର୍ଷା ପାଣି ଲହଡି ମାରୁଛି । ଫଳରେ ରାସ୍ତାର ଦୁଇ କଡରେ ଛିଡା ହୋଇଛି ଶହ ଶହ ଗାଡି । ଡ୍ରେନେଜ ବ୍ୟବସ୍ଥା ପୁରା ପୁରି ଫେଲ ମାରିଛି ।
ଜଳବନ୍ଦୀରେ ଚନ୍ଦ୍ରାଦେଇପୁର, ଲୁଣାହାର,ମାଛୁଆତି, ରୋଧପୁର, ବଟେଶ୍ୱର, ତହସିଲ, ବ୍ଲକ ଅଫିସ, ପୁରା ସାଲେପୁର ସହର । ଯାତାୟତ ପୁରା ବାଧାପ୍ରାପ୍ତ ହୋଇଛି । ଦୋକାନ ଘର ଠାରୁ ଆରମ୍ଭ କରି ମୁଖ୍ୟ ବଜାରକୁ ଲାଗି ରହିଥିବା ଗାଁ ଗୁଡିକରେ ଘର ଭିତରେ ପାଣି ପଶିଯାଇ ମାଟି ଘର ଭାଙ୍ଗି ପଡିଛି । ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ କୌଣସି ଉଦ୍ୟମ ଆରମ୍ଭ ହୋଇନହିଁ । ଲୋକେ ନାହଁ ନଥିବା ଦୁର୍ଦ୍ଦଶା ଭୋଗିବାକୁ ଲାଗିଲେଣି ।




