ବନ୍ୟା ଆଶଙ୍କାରେ ଆତଙ୍କିତ ଅଞ୍ଚଳବାସୀ : ବିପଦ ସଂକେତ ଟପିଲା ଜଳକା
ବାଲେଶ୍ୱର : ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତେବେ ବାଲେଶ୍ୱର ଜିଲାର ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଏହି ପରିପ୍ରେକ୍ଷୀରେ ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଲଘୁଚାପ ଯୋଗୁଁ ଲଗାଣ ବର୍ଷାରେ ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଛି । ଉପରମୁଣ୍ଡ ପୋଡେଶୀ ମୟୁରଭଞ୍ଜ ରେ ପ୍ରବଳ ବର୍ଷା ଲାଗି ରହିବା ଫଳରେ ବାଲେଶ୍ୱର ଜିଲା ଵସ୍ତା ମଧ୍ୟ ଦେଇ ପ୍ରବାହିତ ଜଳକା ନଦୀ ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ରବିବାର ଅପରାହ୍ନ ୩ଟା ବେଳେ ମଥାନୀଠାରେ ୫.୬୬ ମିଟର ଥିବା ବେଳେ ସନ୍ଧ୍ୟା ୬ଟା ସମୟରେ ୫.୬୭ ମିଟର ରେ ପହଞ୍ଚି ଥିବା ବିଭାଗୀୟ ଯନ୍ତ୍ରୀ ଅଶୋକ ଦାସ ପ୍ରକାଶ କରିଛନ୍ତି। ପାଣି ପାଗ ବିଭାଗର ଆକଳନ ଅନୁସାରେ ବର୍ଷା ଯଦି ଲାଗି ରହେ ବଡ ଧରଣର ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଏଭଳି ସ୍ଥିତିରେ ତଳିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି ।
