ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା
- ପଞ୍ଚାୟତ ଓ ପୌର ନିର୍ବାଚନରେ ଓ.ବି.ସି. ଙ୍କ ସଂରକ୍ଷଣ କେତେ : ସୁରଥ ବିଶ୍ୱାଳ
ବାଲେଶ୍ୱର : ଆଜି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ବାଲେଶ୍ୱର ଆଗମନରେ ଜେଲ୍ ରୋଡ ସ୍ଥିତ ସଦର ବିଜେପି କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ସହ ଦଳର ବରିଷ୍ଠ ନେତୃବୃନ୍ଦ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସରକାରରେ ଓବିସିଙ୍କ ପାଇଁ ହୋଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ଉପଲବ୍ଧି ଉପରେ ଆଲୋଚନା କରିଛନ୍ତି ।
ଓଡିଶାରେ ପଛୁଆ ବର୍ଗଙ୍କ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା କମିଶନଙ୍କ ସୁପାରିଶ ଆଦୌ କାର୍ଯ୍ୟକାରୀ ହେଉନାହିଁ । ଦେଶର ଅଧିକାଂଶ ରାଜ୍ୟ ସମ୍ବିଧାନର ଅନୁଚ୍ଛେଦ ୯ ବଳରେ ୫୦ ପ୍ରତିଶତ ସଇରକ୍ଷଣ ସିଲିଂ ବ୍ୟବସ୍ଥାକୁ ଅତିକ୍ରମ କରି ନିଜ ନିଜ ରାଜ୍ୟର ପଛୁଆ ବର୍ଗଙ୍କୁ ସମସ୍ତ କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରିଥିବା ବେଳେ ଓଡିଶା ସରକାର କାହିଁକି ପଛଘୁଂଚା ଦେଉଛନ୍ତି ବୋଲି ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ଆତ୍ମନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଅଣଦେଖା କରିଛନ୍ତି । ଏପରିକି ରାଜ୍ୟରେ ୨୭ ପ୍ରତିଶତ ବହୁ ଦୂର କଥା ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି । ଶିକ୍ଷା ବିଭାଗର ସଦ୍ୟତମ ପ୍ରକାଶିତ ବିଜ୍ଞପ୍ତିରେ ୧୨୬୦ଟି ପିଇଟି ଶିକ୍ଷକ ନିଯୁକ୍ତି ପାଇଁ ଆହ୍ୱାନ କରାଯାଇଥିବା ବେଳେ ମାତ୍ର ୨୩ଟି ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହା ଶାସକ ବିଜେଡିର ପଛୁଆ ବର୍ଗଙ୍କ ପାଇଁ ଥିବା ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି । ତୁରନ୍ତ ଏହି ବିଜ୍ଞପ୍ତିକୁ ବାତିଲ କରି ଆବଶ୍ୟକ ସଂଖ୍ୟାରେ ପଛୁଆ ବର୍ଗଙ୍କ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରି ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଶ୍ରୀ ବିଶ୍ୱାଳ ଦାବୀ ଜଣାଇଛନ୍ତି । ଗତ ୨୦୨୦ ମସିହା ଫେବୃୟାରୀ ମାସରେ ରାଜ୍ୟ ସରକାର ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବା ପାଇଁ ବିଧାନସଭାରେ ରିଜୋଲୁସନ ପାସ୍ କରାଇଥିଲେ ଏବଂ ୨୦୨୧ ମସିହା ଜାନୁଆରୀ ୩ ତାରିଖରେ ରାଜ୍ୟ ଓବିସି କମିଶନ ଖୁବ ଶୀଘ୍ର ଓବିସି ଜନଗଣନା କରି ସେମାନଙ୍କ ସଂରକ୍ଷଣ ସୁନିଶ୍ଚିତ କରାଇବେ ବୋଲି କହିଥିଲେ । ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ରାଜ୍ୟର ସଂଖ୍ୟାଧିକ ପଛୁଆ ବର୍ଗଙ୍କୁ ଶାସକ ବିଜେଡି ଦଳ ସର୍ବଦା ପ୍ରତାରଣା କରିଆସିଛି ଏବଂ ନିଜ ଦୋଷକୁ ଲୁଚାଇବା ପାଇଁ ବିଭିନ୍ନ ସମୟରେ ବିଭ୍ରାନ୍ତ କରିବାର ଅପଚେଷ୍ଟା କରୁଛି ବୋଲି ସଦର ନେତା ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସୁଜିତ ଦେବ, ସର୍ବେଶ୍ୱର ପାତ୍ର, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସତ୍ୟଜିତ ମିଶ୍ର, ବିଜୟ ପାଣିଗ୍ରାହୀ, ଦୁକୁଲ ଘଡେଇ, ବିବେକ ମହାନ୍ତି, ଚନ୍ଦ୍ରଶେଖର ନନ୍ଦ, ବିବେକାନନ୍ଦ ରାଉତ, ରାଜେନ୍ଦ୍ର ଚାଟାର୍ଜୀ, ଜୟନ୍ତ ଜେନା, ଧୀରଜ ମହାନ୍ତି, ପବନ କମିଳା, ଅରୁପ ଜେନା, ସରୋଜ ହାଜରା, ସସ୍ମିତା ଦାଶ, ଅନିତା ଦାସ, ସୁସ୍ମିତା ଶୁକ୍ଳା, ସ୍ୱର୍ଣ୍ଣପ୍ରିୟା ନାଥ, ବବଲୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


