ଆଜି ପବିତ୍ର ଗଣେଶ ଚତୁର୍ଥୀ
ଆଜି ପବିତ୍ର ଗଣେଶ ଚତୁର୍ଥୀ । ହିନ୍ଦୁଶାସ୍ତ୍ରରେ ଗଣେଶଙ୍କୁ ସବୁ ଦେବାଦେବୀ ଙ୍କ ମଧ୍ୟରେ ଅଗ୍ରପୂଜ୍ୟ କୁହାଯାଏ । ଗଣେଶ ଙ୍କ ପୂଜା ପରେ ସମସ୍ତ ଦେବାଦେବୀ ଙ୍କ ପାର୍ବଣ ଆରମ୍ଭ ହେଇଯାଇଥIଏ । ଗଣେଶ ଙ୍କୁ ମଧ୍ୟ ବିଘ୍ନ ନାଶକ କୁହାଯାଇଥାଏ । ବିଶ୍ୱାସ ରହିଛି କି ଯେ କୌଣସି ବିଘ୍ନ ଆସିଲେ ପ୍ରଭୁ ଗଣେଶ ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବିଘ୍ନ ନାଶ ହେଇଥାଏ । ତେବେ ଏହି ଗଣେଶ ପୂଜା ଏଥର ସେପ୍ଟେମ୍ବର ୧୦ ତାରିଖରେ ପଡୁଛି । ଆସନ୍ତୁ ଜାଣିବା ଗଣେଶ ପୂଜାରେ କଣ କରିବା ଦ୍ୱାରା ଗଣେଶ ସନ୍ତୁଷ୍ଟ ହେଇଥାନ୍ତି । ସକାଳୁ ଉଠି ସ୍ନାନ ସାରି ଗଣେଶ ଙ୍କ ମନ୍ଦିର ରେ ବିଘ୍ନନାଶକ ଙ୍କୁ ଦର୍ଶନ କରନ୍ତୁ ଯଦି ମନ୍ଦିର ଯାଇପାରୁନାହାନ୍ତି ତେବେ ଘରେ ଠାକୁର ଘରେ ଗଣେଶଙ୍କୁ ଦର୍ଶନ କରି ଗୁଡ ଏବଂ ଦୁବ ଅର୍ପଣ କରନ୍ତୁ । ଏହିଦିନ ଘରକୁ ଗଣେଶ ଙ୍କର ମୂର୍ତି କିମ୍ବା ଫଟ ନେଇଆସନ୍ତୁ ଯାହାଙ୍କର ଶୁଣ୍ଢ ଡାହାଣ ପଟକୁ ଥିବ । ଗଣେଶ ଙ୍କ ଅତି ପ୍ରିୟ ଖସା ଲଡୁ ଏବଂ ମୁଗର ଲଡୁ ଯଦି ଆପଣ ଅର୍ପଣ କରିବେ ତେବେ ଭଗବାନ ଗଣେଶ ପ୍ରସନ୍ନ ହେଇଥାନ୍ତି । ଗରିବ ଲୋକଙ୍କୁ ଗୁଡ ବାଣ୍ଟିବା ଦ୍ୱାରା ସବୁ ବିଘ୍ନ ନାଶ ହେଇଥାଏ । ଏହିଦିନ ଶନିଦେବ ଙ୍କ ଅତି ପ୍ରିୟ ସମିଗଛର ପତ୍ର ଗଣେଶ ଙ୍କୁ ଭୋଗ ଭାବରେ ଚଢ଼ାଇବା ଦ୍ୱାରା ଗଣେଶ ଅତ୍ୟନ୍ତ ପ୍ରସନ ହେଇଥାନ୍ତି ।
‘ଓଁ ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନୋ ପ୍ରଭୋ । ମମ ବିଘ୍ନଂ ବିନାଶାୟ ଗଣାଧି ପତୟେ ନମଃ’ । । ଭାଦ୍ରବ(ଚାନ୍ଦ୍ର)ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଣେଶଙ୍କ ପୂଜା କରାଯାଏ । ଏହାର କର୍ମକାଳ ମଧ୍ୟାହ୍ନ । ଗଣେଶ = ଗଣ+ଈଶ ଅର୍ଥାତ୍ ଗଣ ମାନଙ୍କର ଈଶ୍ୱର ବା ଗଣଦେବତା । ଶ୍ରୀଗଣେଶ ପ୍ରଥମ ଅଗ୍ରପୂଜ୍ୟ ଓ ଆଦିସ୍ମରଣୀୟ । ବିଘ୍ନ ବିନାଶନ ହୋଇଥିବାରୁ ଯେ କୌଣସି ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା କରାଯାଏ । ଏହା ଏକ ସାର୍ବଜନୀନ ପୂଜା । ପ୍ରତ୍ୟେକ ଘରେ, ବିଦ୍ୟାଳୟରେ, କ୍ଲବରେ, ବ୍ୟବସାୟ ପ୍ରତିଷ୍ଠାନରେ ସମସ୍ତ ବର୍ଗର ଲୋକମାନେ ଏହି ପୂଜାକୁ ଅତି ଶ୍ରଦ୍ଧା, ଭକ୍ତିରେ କରିଥାଆନ୍ତି । ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା । ଅନ୍ୟନାମ ବିଘ୍ନେଶ । ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ । ପ୍ରାୟ ସବୁ ମନ୍ଦିରରେ ଗଣେଶ ମୂର୍ତ୍ତିର୍ ବିରାଜମାନ । “ଗଣେ, ନାରାୟଣ, ରୁଦ୍ର, ଅମ୍ବିକେ, ଭାସ୍କର ତଥା ।” ସନାତନ ଧର୍ମରେ ଯେ କୌଣସି ପୂଜା ବା ସଂକଳ୍ପ କରାଯାଏ, ପ୍ରଥମେ ଅଗ୍ରପୂଜ୍ୟ ପଂଚଦେବତା ଗଣେଶ, ନାରାୟଣ, ରୁଦ୍ର ( ଶିବ), ଅମ୍ବିକା, (ଦୂର୍ଗା) ଓ ଭାସ୍କର ( ସୂର୍ଯ୍ୟ)ଙ୍କୁ ଆବାହନ କରାଯାଏ । ଏମାନଙ୍କ ମଧ୍ୟରେ ଗଣେଶଙ୍କୁ ସର୍ବାଗ୍ରେ ପୂଜା କରାଯାଏ । ମୁଦ୍ଗଲ ପୁରାଣରେ ଗଣେଶଙ୍କର ଆଠ ଅବତାର ବିଷୟରେ ବର୍ଣ୍ଣନା ଦେଖାଯାଏ । ସେହି ଅବତାରମାନଙ୍କର ନାମ ଯଥାକ୍ରମେ ବକ୍ରତୁଣ୍ଡ, ଏକଦନ୍ତ, ମହୋଦର, ଗଜାନନ, ଲମ୍ବୋଦର, ବିକଟ, ବିଘ୍ନରାଜ ଏବଂ ଧୁମ୍ରବର୍ଣ୍ଣ । ମହାରାଷ୍ଟ୍ରରେ ଗଣେଶ ପୂଜାକୁ ଅତି ଧୁମଧାମରେ ପାଳନ କରାଯାଏ । ପୁନେଠାରେ ପ୍ରସିଦ୍ଧ ଅଷ୍ଟବିନାୟକ ମନ୍ଦିର ବିଦ୍ୟା, ବୁଦ୍ଧି ଆହରଣ ଓ ଅଶୁଭତ୍ୱ ଦୂର କରିବାପାଇଁ ପୂଜା କରାଯାଇଥାଏ । ଏକଦା ଶିବ ବହୁକାଳ ଧରି ତପସ୍ୟାରତ ଥିବା ସମୟରେ ପାର୍ବତୀ କୈଳାସପୁରରେ ଏକାକୀ ରହୁଥାନ୍ତି । ସେ ନିଜ ଶରୀରର ମଳକୁଟିରେ ଏକ ମୂର୍ତ୍ତି ଗଠନ କରି ତାକୁ ଜୀବନ୍ୟାସ ଦେଲେ । ଥରେ ପାର୍ବତୀ ଦ୍ୱାରଦେଶରେ ଗଣେଶଙ୍କୁ ଜଗାଇ ସ୍ନାନ କରିବାକୁ ଗଲେ । ନିର୍ଦ୍ଦେଶ ଦେଲେ ଯେପରି କେହି ଭିତରକୁ ପ୍ରବେଶ ନ କରିନ୍ତି । ସେହି ସମୟରେ ଶିବ ତପସ୍ୟାରୁ ଫେରି କୈଳାସପୁରରେ ପ୍ରବେଶ କରନ୍ତେ ଗଣେଶ ତାଙ୍କର ପଥରୋଧ କଲେ । ଯେତେ ବୁଝାଇଲେ ମଧ୍ୟ ମାତାଙ୍କ ଆଜ୍ଞାକୁ ଅବଜ୍ଞା କରି ନିଜ କର୍ତ୍ତବ୍ୟରୁ ଦୂରେଇ ଯାଇପାରିବେ ନାହିଁ ବୋଲି କହିବାରୁ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ହେଲା । ଯୁଦ୍ଧରେ ଶିବ ତାଙ୍କ ତ୍ରିଶୁଳରେ ଗଣେଶଙ୍କର ମୁଣ୍ଡଟି କାଟି ଦେଲେ । ପାର୍ବତୀ ପୁତ୍ରର ଛିନ୍ନ ଶରୀର ଦେଖି ବ୍ୟଥିତ ଓ କ୍ରୋଧିତ ହୋଇ ସୃଷ୍ଟିଙ୍କୁ ଧ୍ୱଂସ କରିବାକୁ ବାହାରିଲେ । ସମସ୍ତ ଦେବଗଣ ଆସି ପାର୍ବତୀଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କଲେ । ପାର୍ବତୀ ପୁତ୍ରର ପୁନଃ ଜୀବନ୍ୟାସ ଓ ସେ ସର୍ବାଗ୍ରେ ପୂଜିତ ହେବାପାଇଁ ନିଜ ଜିଦ୍ରେ ଅଟଳ ରହିଲେ । ଶିବ ନନ୍ଦୀଭୃଙ୍ଗୀ ଓ ଶିବଗଣଙ୍କୁ ଗଣେଶଙ୍କ ମୁଣ୍ଡ ଖୋଜି ଆଣିବାକୁ ନିର୍ଦ୍ଦେଶ ଦେଲେ । ଗଣେଶଙ୍କ ମୁଣ୍ଡ ନ ମିଳିବାରୁ ଉତ୍ତର ଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ଶିଶୁ ହାତୀଟିର ମୁଣ୍ଡକୁ କାଟି ଆଣିଲେ । ଏହାକୁ ଗଣେଶଙ୍କ ଛିନ୍ନ ଶରୀରରେ ରୋପଣ କରି ତାଙ୍କୁ ସଞ୍ଜିବନୀ ମନ୍ତ୍ରରେ ଜୀବନ୍ୟାସ ଦେବାରୁ ଗଣେଶ ଗଜାନନ ରୁପରେ ପୁର୍ନଜୀବନ ଲାଭ କଲେ । ବୋଧହୁଏ ଆଧୁନିକ ଚିକିତ୍ସାବିଜ୍ଞାନର ପ୍ଲାଷ୍ଟିକ୍ ସର୍ଜରୀର ପରିକଳ୍ପନା ଏହିଠାରୁ ଆସିଛି । ଯାହା ଚିକିତ୍ସାବିଜ୍ଞାନ ପାଇଁ ଏକ ଆହ୍ୱାନ ହୋଇ ଧୀରେ ଧୀରେ ସତ୍ୟରେ ସମ୍ଭବ ହୋଇ ପାରିଛି । ବର୍ତ୍ତମାନ ମଣିଷ ଅନ୍ୟମଣିଷର ବିଭିନ୍ନ ଅଙ୍ଗ ଯଥା କିଡ୍ନି, ଲିଭର ଏପରିକି ମାଙ୍କଡର ଅଙ୍ଗ ମଧ୍ୟ ମଣିଷ ଶରୀରରେ ରୋପଣ କରିବାରେ ସକ୍ଷମ ହେଲାଣି । ଛିନ୍ନ ମସ୍ତକକୁୁ ରୋପଣ କରିବା ଅସମ୍ଭବ ହେବ ନାହିଁ । ବ୍ୟାସଦେବଙ୍କର ୍ବିରଚିତ ମହାକାବ୍ୟ ମହାଭାରତର ସେ ଲେଖକ । ଥରେ ତାଙ୍କ ଲେଖନୀ ଭାଙ୍ଗିଯିବାରୁ ଲେଖାରେ ବ୍ୟାଘାତ ନ ଘଟାଇ ନିଜର ଗୋଟିଏ ଦାନ୍ତ ଭାଙ୍ଗି ସେଥିରେ ମହାଭାରତ ଲେଖିଥିଲେ । ଏଣୁ ସେ ଏକଦନ୍ତ । ପୂର୍ବେ ବୃନ୍ଦାବତୀ ଗଣେଶଙ୍କୁ ବିବାହପାଇଁ ମନସ୍ଥ କରିଥିଲେ, ଗଣେଶ ଏଥିରେ ରାଜି ନ ହେବାରୁ ବୃନ୍ଦାବତୀ ଗଣେଶଙ୍କୁ ଅଭିଶାପ ଦେଲେ “ତୁମେ ଦାରପରିଗ୍ରହ କରିବ” । ପ୍ରତିବଦଳରେ ଗଣେଶ ବୃନ୍ଦାବତୀଙ୍କୁ ଅଭିଶାପ ଦେଲେ “ତୁମେ ଅସୁର ଦ୍ୱାରା ଆକ୍ରମିତ ହେବ” । ଗଣେଶଙ୍କ ପ୍ରତି ବିଦ୍ୱେଷ ଭାବ ଯୋଗୁଁ ଗଣେଶଙ୍କୁ ତୁଳସୀ ଅର୍ପଣ କରାଯାଏ ନାହିଁ । ଏକାଦା ପାର୍ବତୀଙ୍କ ଉପସ୍ଥିତିରେ ମହାଦେବ ଦୁଇପୁଅ ଗଣେଶ ଓ କାତ୍ତିକେୟଙ୍କୁ ଡାକି କହିଲେ ତୁମ ଦୁହିଁଙ୍କୁ ଭିତରୁ ଯିଏ ପ୍ରଥମେ ପୃଥିବୀକୁ ୩ଥର ପରିକ୍ରମା କରିି ମୋ ନିକଟରେ ପହଞ୍ଚିବ ସେ ହେବ ଦେବମାନଙ୍କର ଦେବ । କାର୍ତ୍ତିକ ନିଜ ବାହାନ ମୟୁରରେ ବସି ପୃଥିବୀ ପରିକ୍ରମାରେ ବାହାରିଲେ । ଯେତେ ବେଳେ କାର୍ତ୍ତିକ ୩ଥର ପୃଥିବୀ ପରିକ୍ରମା କରି ଆସି ପିତାମାତାଙ୍କ ନିକଟରେ ପହଞ୍ଚି ଦେଖିଲେ ଗଣେଶ ପିତା ଶିବ ଓ ମାତା ପାର୍ବତୀଙ୍କ ନିକଟରେ ବସି ସ୍ମିତହାସ୍ୟ କରୁଛନ୍ତି । କାର୍ତ୍ତିକ ରହସ୍ୟ ଜାଣିବାକୁ ଚାହିଁବାରୁ ଗଣେଶ କହିଲେ ପିତାମାତା ଯେ ଆମକୁ ଜନ୍ମ ଦେଇଛନ୍ତି ସେ ହେଉଛନ୍ତି ବିଶ୍ୱବ୍ରହ୍ମାଣ୍ଡ ଠାରୁ ବଡ ଓ ପ୍ରକୃତ ପୃଥିବୀ । ଏଣୁ ତାଙ୍କୁ ମୁଁ ମୋ ମୂଷିକ ବାହନ ଉପରେ ବସି ୩ଥର ପୃଥିବୀକୁ ପରିକ୍ରମା କରିସାରିଛି । ଏଥିରୁ ଗଣେଶଙ୍କ ବୁଦ୍ଧିମତ୍ତାର ପରିଚୟ ମିଳିଲା । ନିଷ୍ପତ୍ତି ହେଲା ଗଣେଶ ବିଜୟୀ ହେଲେ ଓ ଅଗ୍ରପୁଜ୍ୟ ହେଲେ । ବିଜ୍ଞାନ କହେ ମଣିଷ ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୋଇଲେ ପୃଥିବୀର ଚମ୍ବକୀୟ ଶକ୍ତି ଦ୍ୱାରା ତାର ରକ୍ତଚାପରେ ଅସନ୍ତୁଳନ ଶରୀରରେ ବିଭିନ୍ନ ପ୍ରକାର ବ୍ୟାଧି ହୋଇଥାଏ । ଯାହା ଆମ ଶାସ୍ତ୍ର ଆମକୁ ବହୁ ପୂର୍ବରୁ ନିର୍ଦ୍ଦେଶ କରିଛନ୍ତି ।ଗଣେଶଙ୍କର ବାମପାଶ୍ୱର୍କୁ ଶୁଣ୍ଢକରି ଥିବା କୌଣସି ଗୃହରେ ବାସ୍ତୁଦୋଷ ଥିଲେ ଗୃହର ମୁଖ୍ୟଦ୍ୱାରରେ ଗୃହର ଭିତରକୁ ମୁହଁ ଓ ବାହାରପାଶ୍ୱର୍କୁ ପଛକରି ଅବସ୍ଥାପିତ କଲେ ସମସ୍ତ ବାସ୍ତୁଦୋଷ ଖଣ୍ଡନ ହୁଏ ଓ ଗୃହରେ ସୁଖ ଶାନ୍ତି ବିରାଜମାନ କରେ । ମଙ୍ଗଳମୟ ବିଘ୍ନ ବିନାଶକ ଗଣେଶଙ୍କର ମୁର୍ତ୍ତି ଦର୍ଶନ ଓ ନାମ ସ୍ମରଣରେ ମନୁଷ୍ୟମାନଙ୍କର ସର୍ବସିଦ୍ଧ ଓ ସର୍ବମଙ୍ଗଳ ଲାଭ ହୋଇ ଥାଏ । ‘ଓଁ ଗଂ ଗଣପତୟେ ନମଃ’ । ପ୍ରତ୍ୟେହ ୧୦୮ଥର ଜପ କଲେ ଛାତ୍ରଛାତ୍ରୀଙ୍କର ଅଶୁଭତ୍ୱ ଦୂର ହୋଇ ବିଦ୍ୟା ଓ ବୁଦ୍ଧିରେ ସଫଳତା ପ୍ରାପ୍ତ ହୋଇଥାଏ ।
ଗଣେଶପୂଜାର ଅନ୍ତର୍ନିହିତ ଉଦ୍ଦେଶ୍ୟ ହେଲା –
୧) ଭକ୍ତି : ପିତା ମାତାହିଁ ପୃଥିବୀଠାରୁ ବଡ, ତାଙ୍କୁ ଭକ୍ତି କରି ତାଙ୍କର ନିର୍ଦ୍ଦେଶକୁ ପାଳନ କରିବା ।
୨) ଗଣେଶଙ୍କ ବୃହତ୍ କର୍ଣ୍ଣ : ସବୁ କଥା ଶ୍ରବଣ କରିବା ଓ ଭଲ କଥାଗୁଡିକ ସ୍ୱତ୍ୱନ୍ତ୍ର କରି ରଖିଦେଇ ଅନାବଶ୍ୟକ କଥାକୁ ତ୍ୟାଗ କରିବା ।
୩) ଗଣେଶଙ୍କ ରାଶିଲଡୁ : ଉତ୍ତମ ଖାଦ୍ୟ ଖାଇବା ଯାହା ସ୍ନାୟୁକୁ ସବଳ କରିବ ଓ ମେଧା ବୃଦ୍ଧି କରିବ ।
୪) ଗଣେଶଙ୍କ ଶୁଣ୍ଢ : ମିଳିଥିବା ଶକ୍ତିକୁ ନିୟନ୍ତ୍ରଣରେ ରଖିବା ।
୫) କର୍ତ୍ତବ୍ୟ କର୍ମ : କର୍ତ୍ତବ୍ୟକର୍ମ ପ୍ରତି ଅଙ୍ଗୀକାର ବଦ୍ଧ ହେବା ।
୬) ଗଣେଶଙ୍କ ବାହନ: ତୁମ ପାଖରେ ଯାହା ସମ୍ବଳ ଅଛି ତାକୁ ବ୍ୟବାହାର କରି କିପରି ସଫଳତା ହାସଲ କରି ହେବ ସେଥିପାଇଁ ବୁଦ୍ଧିର ସଦୁପଯୋଗ କରି କର୍ମ କରିବା ।
୭) ଗଣେଶଙ୍କ ମୂଷିକ: କୌଣସି ପ୍ରାଣୀ ବା ଜୀବଜଗତରେ ଭେଦଭାବ ନ ରଖି ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ।
୮) ଗଣେଶଙ୍କ ମୁଣ୍ଡ: ଉତ୍ତର ଦିଗକୁ ମୁଣ୍ଡ କରି ନ ଶୋଇବା ।
୯) ଗଣେଶଙ୍କ ଜ୍ଞାନ: ତନ୍, ମନ୍, ଧନ୍ରେ ସୁଖୀ ରହିବାପାଇଁ ଜ୍ଞାନ ଆହରଣ କରିବା ।
୧୦) ବିସର୍ଜନ: ନିତ୍ୟ ଶରୀର ଯାହା ଦିନେ ମାଟିରେ ମିଶିବ ତାହା ଯେତେ ସୁନ୍ଦର ହେଲେ ମଧ୍ୟ ତା ପ୍ରତି ଆସକ୍ତ ନ ହୋଇ ତାର ଯତ୍ନ ନେବା ।
