ଆଜି ଧରାବତରଣ କରିବେ ବିଘ୍ନ ବିନାଶକ
ଗଣଦେବତା ଗଣେଶ। ବିଘ୍ନ ବିନାଶକ, ଗଜାନନ। ପଞ୍ଚ ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ସେ ମଧ୍ୟ ବିଦ୍ୟାଦାତା, ବିଘ୍ନହର୍ତ୍ତା। ତାଙ୍କୁ ପୂଜିଲେ ମିଳେ ସାଧନାରେ ସିଦ୍ଧି। କେହି କେହି ତାଙ୍କୁ ଆରାଧନା କରନ୍ତି ଗଣେଶ ନାମରେ। ପୁଣି କେହି କହନ୍ତି ଏକଦନ୍ତ। ବିନାୟକ, ଗଣପତି ନାମରେ ବି ସେ ପୂଜିତ ହୁଅନ୍ତି ଭକ୍ତମାନଙ୍କ ଦ୍ବାରା। ସେ ବିଦ୍ୟା ଦିଅନ୍ତି, ସୁଖ ସମୃଦ୍ଧି ପ୍ରଦାନ କରନ୍ତି। ଭଗବାନ ଶଙ୍କର ଓ ମାତା ପାର୍ବତୀଙ୍କ ଗେହ୍ଲା ନନ୍ଦନ ସୌଭାଗ୍ୟ ଆଣନ୍ତି, କାର୍ଯ୍ୟକୁ ସଫଳ କରନ୍ତି। ବୁଦ୍ଧି, ଜ୍ଞାନ ଦିଅନ୍ତି, ସୁଖ ସମୃଦ୍ଧି ପ୍ରଦାନ କରନ୍ତି। ସର୍ବ ଦେବତାଙ୍କ ମଧ୍ୟରେ ସେ ହିଁ ପ୍ରଥମେ ପୂଜା ପାଆନ୍ତି। ସେହି କାରଣରୁ କେବଳ ବିଦ୍ୟାର୍ଥୀ ନୁହନ୍ତି, ସାରା ଭାରତରେ ସବୁ ବର୍ଗର ଶ୍ରଦ୍ଧାଳୁ ଗଣେଶଙ୍କୁ ପୂଜା କରନ୍ତି। ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। କେବଳ ହିନ୍ଦୁମାନେ ଗଣେଶଙ୍କୁ ପୂଜା କରି ନ ଥାନ୍ତି ବରଂ ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଏ। ଚଳିତ ବର୍ଷ ଏହା ୨୨ ଅଗଷ୍ଟ (ଶନିବାର)ରେ ପଡ଼ୁଛି। ଏହି ତିଥିରେ ପ୍ରଭୁ ଗଣେଶଙ୍କ ପୂଜା କରିବାର ବିଶେଷ ମହତ୍ୱ ରହିଛି। ଗଣେଶ ଚତୁର୍ଥୀକୁ ବିନାୟକ ଚତୁର୍ଥୀ ମଧ୍ୟ କୁହାଯାଏ। ଗଜାନନଙ୍କୁ ଧରାପୃଷ୍ଠରେ ଅବତରଣ କରିବା ପାଇଁ ସମସ୍ତେ ଅନେଇ ବସିଛନ୍ତି। ଲଡ଼ୁ ପ୍ରିୟ ଗଣେଶ ଭିନ୍ନ ଭିନ୍ନ ଢଙ୍ଗରେ ତାଙ୍କର ସ୍ୱାଗତ ପାଇଁ ଆରମ୍ଭ ହୋଇଗଲାଣି ଆୟୋଜନ। ଯଦିଓ କୋଭିଡ୍-୧୯ ପାଇଁ ଚଳିତ ବର୍ଷ ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ତଥାପି ଗଣେଶ ପୂଜାଙ୍କୁ ନେଇ ଉତ୍ସାହ କମିନାହିଁ। ସମସ୍ତେ ଘରେ ଘରେ ଗଣେଶଙ୍କୁ ଆବାହନ କରିବାକୁ ଅନାଇ ବସିଛନ୍ତି।
ଗଣେଶଙ୍କ ଜନ୍ମ ବୃତ୍ତାନ୍ତ :
ଶିବ ପୁରାଣ ଅନୁସାରେ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଗଣେଶଙ୍କୁ ଦ୍ୱାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ୍ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଗଣେଶ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ। ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରିଲେ ଗଣେଶ ଶୁଣି ନ ଥିଲେ। ଏହାପରେ କ୍ରୋଧରେ ମହାଦେବ ଗଣେଶଙ୍କ ଶିର ଚ୍ଛେଦନ କଲେ। ପାର୍ବତୀ ଏହା ଜାଣିବା ପରେ ଭୀଷଣ କ୍ରୋଧିତ ହୋଇଥିଲେ। ଦେବୀ ପାର୍ବତୀଙ୍କୁ ଶାନ୍ତ କରିବା ପାଇଁ ଗଣେଶଙ୍କୁ ପୁଣି ଜୀବିତ କରିବାକୁ ମହାଦେବ ପ୍ରତିଶ୍ରୁତି ଦେଇଥିଲେ। ମହାଦେବ ଗଣେଶଙ୍କ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଗଣପତିଙ୍କ ଶରୀରରେ ଯୋଡ଼ି ଜୀବନ ଦାନ କଲେ। ଏହା ପାର୍ବତୀ ତୁରନ୍ତ ଗଣେଶଙ୍କୁ ଆଲିଙ୍ଗନ କରି ଅଗ୍ରପୂଜ୍ୟର ବରଦାନ ଦେଇଥିଲେ। ଏହାପରେ ବ୍ରହ୍ମା, ବିଷ୍ଣୁ, ମହାଦେବ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ମହାଦେବ ଗଣେଶଙ୍କୁ ବିଘ୍ନନାଶକ ବୋଲି କହିଥିଲେ। ସେଥିପାଇଁ ବିଘ୍ନ କଥା ଆସିଲେ ସର୍ବ ପଥମେ ଗଣେଶଙ୍କୁ ଆରାଧନା କରାଯାଇଥାଏ।
ଶାସ୍ତ୍ର ମତେ ଗଣେଶଙ୍କ ଦ୍ୱାଦଶ ନାମ :
ଗଣେଶଙ୍କ ଅନେକ ନାମ ମଧ୍ୟରେ ଦ୍ବାଦଶ ନାମ ବେଶ୍ ପରିଚିତ। ସେଥିମଧ୍ୟରୁ ଏକଦନ୍ତ, କୃଷ୍ଣପିଙ୍ଗାକ୍ଷ, ଗଣପତି, ଗଜବକ୍ର, ଗଜାନନ, ବକ୍ରତୁଣ୍ଡ, ବିକଟ, ବିଘ୍ନରାଜେନ୍ଦ୍ର, ବିନାୟକ, ଧୂମ୍ରବର୍ଣ୍ଣ, ଭାଲଚନ୍ଦ୍ର, ଲମ୍ବୋଦର। ତେବେ ଏହି ଦ୍ବାଦଶ ନାମର ମହାତ୍ମ୍ୟ ଅଲଗା ଅଲଗା। ବିନାୟକ-ଗଣେଶଙ୍କର ଏହି ନାମର ଅର୍ଥ ବିଶେଷ ନାୟକ। ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେତେବେଳେ ପ୍ରିୟବଚନ ବା ପ୍ରାର୍ଥନା ଦ୍ୱାରା ଗଣେଶଙ୍କୁ ସନ୍ତୁଷ୍ଟ କରାଯାଏ, ତେବେ ସେ ଭକ୍ତର ରାସ୍ତାରେ ଥିବା ସବୁ ବାଧା ଦୂର କରନ୍ତି। ଅର୍ଥାତ୍ ଭକ୍ତର ଜୀବନରେ ଥିବା ବିପର୍ଯ୍ୟୟ, ସବୁ ଅମଙ୍ଗଳ, ସବୁ ବାଧା ଦୂରେଇ ଦିଅନ୍ତି। ଗଜ ବା ହାତୀ ମୁଣ୍ଡ ଥିବା ଦେବତା ଗଜାନନ। ‘ଗ’ର ଅର୍ଥ ମୋକ୍ଷ ପ୍ରାପ୍ତି ପାଇଁ ସମାଧିରେ ଥିବା ଯୋଗୀ। ‘ଜ’ର ଅର୍ଥ ଜୀବନ ପ୍ରତି ସାଂସାରିକ ଦୃଷ୍ଟିକୋଣ। ଅର୍ଥାତ୍ ସଂସାର ଭିତରେ ମୋକ୍ଷ ପ୍ରାପ୍ତ ସମ୍ଭବ କରାଇପାରନ୍ତି ଗଜାନନ। ଲମ୍ବୋଦର-ଲମ୍ବା ଉଦର ବା ବଡ଼ ପେଟ ଥିବାରୁ ତାଙ୍କୁ ଲମ୍ବୋଦର ବୋଲି କୁହାଯାଇଥାଏ। ଏକଦନ୍ତ- ଗଣେଶ ମହାଭାରତ ଲେଖିଥିବା ବେଳେ ଲେଖନୀ ସରିଯିବାରୁ ସେ ତାଙ୍କ ଦାନ୍ତ ଭାଙ୍ଗି ସେଥିରେ ମହାଭାରତ ଲେଖିବାର ଆରମ୍ଭ କରିଥିଲେ। ତେଣୁ ତାଙ୍କୁ ଏକଦନ୍ତ ବୋଲି କୁହାଯାଏ।
ଗଣେଶଙ୍କ ପ୍ରିୟ ମୋଦକ ଲଡ଼ୁ :
ଅଗ୍ରପୂଜ୍ୟ ଦେବତା ଭାବେ ଘରେ ଘରେ ପୂଜା ପାଆନ୍ତି ଶ୍ରୀଗଣେଶ। ସବୁ ପ୍ରକାର ମିଠା ଭିତରେ ଲମ୍ବୋଦରଙ୍କ ଅତିପ୍ରିୟ ହେଲା ମୋଦକ। ମୋଦକ ବିନା ଗଣେଶଙ୍କ ଆବାହାନ ଅସମ୍ପୂର୍ଣ୍ଣ ବୋଲି ମନେ କରାଯାଏ। କେତେ କ’ଣ ଭୋଗରାଗ ଲାଗିଲେ ବି ମୋଦକ ଭୋଗ ହିଁ ଗଣପତିଙ୍କ ମନକୁ ପ୍ରସନ୍ନ କରିପାରେ। ତେଣୁ କରି ଗଣେଶଙ୍କୁ ‘ମୋଦକପ୍ରିୟ’ ବୋଲି ମଧ୍ୟ ସମ୍ବୋଧନ କରାଯାଏ। ତେବେ ଗଣେଶଙ୍କର ମୋଦକ କାହିଁକି ପ୍ରିୟ? ଏହାକୁ ନେଇ କେତେକ କାହାଣୀ ବର୍ଣ୍ଣିତ। ପୌରାଣିକ କଥା ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ଅନୁସୟା (ୠଷି ଅଟ୍ରିଙ୍କ ସ୍ତ୍ରୀ) ଭଗବାନ ଶିବ, ମାତା ପାର୍ବତୀ ଓ ଗଣେଶଙ୍କୁ ଆଶୀର୍ବାଦ ପାଇବା ଆଶାରେ ନିଜ କୁଟୀରକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରିତ ଅତିଥିଙ୍କୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା ପାଇଁ ଦେଲେ। କିନ୍ତୁ ଗଣେଶଙ୍କ ପେଟ ପୂରିଲା ନାହିଁ। ଯାହା ପରଶାଗଲା ସବୁ ଖାଇ ଯାଉଥିଲେ। ଭଗବାନ ଶିବ ଓ ମାତା ପାର୍ବତୀ କାହାରିକୁ କିଛି ମିଳୁ ନଥିଲା ଖାଇବାକୁ। ପରିଶେଷରେ ଗଣେଶଙ୍କୁ ମିଠାରେ ମୋଦକ ଖାଇବାକୁ ଦିଆଗଲା। ଯାହା ଖାଇବା ପରେ ତାଙ୍କ ପେଟ ପୂରିଥଇଲା। ସେ ସନ୍ତୁଷ୍ଟ ହୋଇଯାଇଥିଲେ। ଏହା ଦେଖି ମାତା ପାର୍ବତୀ ଜାଣିବାକୁ ଚାହିଁଲେ ସେହି ମିଠା ବିଷୟରେ ଆଉ ମୋଦକ ତିଆରି କରିବା ବିଧି ଶିଖିଥିଲେ। ବିଭିନ୍ନ ଜାଗାରେ ମୋଦକର ଅଲଗା ଅଲଗା ନାମ ରହିଛି। ଯେପରିକି ତାମିଲ୍ ଭାଷାରେ ‘କୋଜାକାଟାଇ’, କନ୍ନଡରେ ‘ମୋଦକ ବା କଡୁବୁ’ ଏବଂ ତେଲୁଗୁ ଭାଷାରେ ଏହାକୁ ‘କୁଡୁମୁ’ ବୋଲି କୁହାଯାଏ।
ଗଜାନନଙ୍କ ୪ ବାହନ :
ସମସ୍ତେ ଜାଣନ୍ତି ଗଣେଶଙ୍କ ବାହନ ହେଉଛନ୍ତି ମୂଷା। ମାତ୍ର ମୂଷା ବ୍ୟତୀତ ଅନ୍ୟ ୩ ଜଣ ମଧ୍ୟ ଗଣେଷଙ୍କ ବାହନ ଅଟନ୍ତି। ବକ୍ରତୁଣ୍ଡ ଗଣେଶଙ୍କର ବାହନ ହେଉଛନ୍ତି ସିଂହ। ଧୂମକେତୁ ଗଣେଶଙ୍କର ବାହନ ହେଉଛନ୍ତି ଅଶ୍ୱ ଓ ବିକଟ ଗଣେଶଙ୍କର ବାହନ ହେଉଛନ୍ତି ମୟୂର। ତେବେ ଏହି ୩ ଜଣ ବାହନ ଗଣେଶଙ୍କ ବିଭିନ୍ନ ଅବତାର ସମୟରେ ହୋଇଥିଲେ। ମାତ୍ର ମୂଷା ହେଉଛନ୍ତି ଗଣେଷଙ୍କର ପ୍ରକୃତ ବାହନ। ହେଲେ ମୂଷା କେମିତି ଗଣେଶଙ୍କ ବାହନ ହେଲେ, ସେ ସମ୍ପର୍କରେ ବିଭିନ୍ନ କାହାଣୀମାନ ଅଛି। ପୁରାଣ ଅନୁସାରେ ଗଜମୁଖାସୁର ନାମକ ଏକ ରାକ୍ଷସ ସଙ୍ଗେ ଗଜାନନଙ୍କ ଯୁଦ୍ଧ ହୋଇଥିଲା। ହେଲେ ରାକ୍ଷସ ଦେବତାଙ୍କଠୁ ବର ପ୍ରାପ୍ତ କରିଥିଲା ଯେ କୌଣସି ଅସ୍ତ୍ରରେ ତା’ର ମୃତ୍ୟୁ ହେବ ନାହିଁ। ଶେଷରେ ବୁଦ୍ଧି ଲଗାଇ ନିଜ ଦାନ୍ତରେ ରାକ୍ଷସକୁ ନିହତ କରିବାକୁ ଉଦ୍ୟମ କଲେ। ଏଥିରେ ରାକ୍ଷସ ଭୟଭୀତ ହୋଇ ମୂଷା ରୂପ ଧାରଣ କରିନେଇଥିଲା। ହେଲେ ଗଣେଶ ରାକ୍ଷସକୁ ଧରିବାରେ ସକ୍ଷମ ହୋଇଥିଲେ। ତା’ପରେ ରାକ୍ଷସ ଭଗବାନ ଗଣେଶଙ୍କୁ କ୍ଷମା ମାଗିଥିଲା। ସେତେବେଳେ ଗଣେଶ ତାକୁ ନିଜ ବାହନ କରି ତାକୁ ଜୀବନ ଦାନ ଦେଇଥିଲେ। ଆଦିକବି ସାରଳା ଦାସ ତାଙ୍କ ‘ମହାଭାରତ’ରେ ଏହାକୁ ଭିନ୍ନ ଭାବରେ ଲେଖିଛନ୍ତି। ସେ କହିଛନ୍ତି, ସଂସାରର ପ୍ରାଣୀମାନେ ଯମ-ଯାତନା ଭୋଗୁଥିବା ଦେଖି ଗଣେଶ ସଦୟ ହେଲେ। ସେ ଯମଙ୍କ ନିଧନ ପାଇଁ ଉଦ୍ୟମ କରିବାରୁ, ଯମ ଭୟରେ ମୂଷା ହୋଇ ଗୋଟିଏ ଗାତରେ ପଶିଯିବାକୁ ଚେଷ୍ଟା କଲେ। କିନ୍ତୁ ଗଣେଶ ତାଙ୍କୁ ନିଜର ‘ପାଶ’ ଦ୍ୱାରା ଧରି ଆଣିଲେ। ଯମ ତାଙ୍କୁ ପ୍ରାର୍ଥନା କରିବାରୁ ସେ ସନ୍ତୁଷ୍ଟ ହୋଇ ତାଙ୍କୁ ନିଜର ବାହନ କଲେ। ଗଣେଶ ନିଜର ସାଧନାଦ୍ୱାରା ସିଦ୍ଧିଲାଭ କରି ମୃତ୍ୟୁ ଉପରେ ବିଜୟ ଲାଭ କରିଥିବା ଏଥିରୁ ସୂଚିତ। ଗଣେଶଙ୍କର ଏହି ମୂଷିକ ବାହନ ସମ୍ପର୍କରେ ଥିବା ଗାୟତ୍ରୀମନ୍ତ୍ର ହେଉଛି- “ଓଁ ମଁ ମୂଷିକାୟ ଗଣାଧିପବାହନାୟ ଧର୍ମରାଜାୟ ସ୍ୱାହା।”
ଯେଉଁଠି ପୂଜା ପାଆନ୍ତି ‘ଗୋବର ଗଣେଶ’ :
ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଗୋବରରେ ତିଆରି ଭଗବାନ ଗଣେଶଙ୍କ ପୂଜା କରାଯାଉଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏହି ମନ୍ଦିର ମଧ୍ୟ ପ୍ରଦେଶର ମହେଶ୍ୱର ନାମକ ସ୍ଥାନରେ ରହିଛି। ଏଠାରେ ଭଗବାନ ଗଣେଶ ଦକ୍ଷିଣ ମୁଖା ହୋଇ ଦର୍ଶନ ଦେଉଛନ୍ତି। ଏହି ମନ୍ଦିରର ମୂର୍ତ୍ତି ଗୋବରରେ ତିଆରି ହୋଇଥିବାରୁ ଏହି ମନ୍ଦିରକୁ ଗୋବର ଗଣେଶ ମନ୍ଦିର ବୋଲି କୁହାଯାଏ।। ଏହି ମୂର୍ତ୍ତି ୯୦୦ ବର୍ଷ ପୁରୁଣା ବୋଲି କୁହାଯାଏ। ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଉଛି ଯେ ଏହି ମନ୍ଦିର ଗଣପତିଙ୍କ ନିକଟରେ କେବଳ ନଡ଼ିଆ ହିଁ ଭୋଗ ଲାଗେ। ବିଶ୍ୱାସ ରହିଛି ଯେ ଯେଉଁ ଭକ୍ତ ଏଠାରେ ଗଣପତିଙ୍କ ନିକଟରେ ନଡ଼ିଆ ଭୋଗ ଲଗାଇଥାନ୍ତି, ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ମନ୍ଦିରର ଆକୃତି ମଧ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ମନ୍ଦିର ବାହାରକୁ ମସ୍ଜିଦ୍ ଭଳି ଦେଖାଯିବ। କୁହାଯାଏ ଯେ, ଔରଙ୍ଗଜେବ୍ଙ୍କ ଶାସନ କାଳରେ ଏହି ମନ୍ଦିରକୁ ଭାଙ୍ଗି ମସ୍ଜିଦ୍ ତିଆରି କରିବା ପାଇଁ ଚେଷ୍ଟା କରାଯାଇଥିଲା। ଏଥିପାଇଁ ଏହି ମନ୍ଦିର ମସ୍ଜିଦ୍ ଭଳି ଦେଖାଯାଏ। ମନ୍ଦିରରେ ଗଣେଶ ତାଙ୍କ ଦୁଇ ପତ୍ନୀ ରିଦ୍ଧି, ସିଦ୍ଧିଙ୍କ ସହିତ ବିରାଜମାନ ଅଛନ୍ତି।
ଭାରତର ୫ଟି ବିଶ୍ବ ବିଖ୍ୟାତ ବିନାୟକ ମନ୍ଦିର :
ହିନ୍ଦୁ ସମ୍ପ୍ରଦାୟର ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଦେବତା ହେଲେ ଶ୍ରୀଗଣେଶ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ। କାରଣ ସେ ହେଲେ ବିଘ୍ନବିନାଶକ। ସବୁ ବାଧାବିଘ୍ନକୁ ଦୂର କରିବା ଶକ୍ତି ତାଙ୍କ ପାଖରେ ରହିଛି। ଭାରତବର୍ଷରେ ଏମିତି କିଛି ଗଣେଶଙ୍କ ମନ୍ଦିର ରହିଛି, ଯାହା ସାରା ବିଶ୍ବରେ ଖ୍ୟାତି ଅର୍ଜନ କରିଛି। ମହାରାଷ୍ଟ୍ରର ମୁମ୍ବାଇରେ ରହିଛି ବିଶ୍ବପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର। ମହାରାଷ୍ଟ୍ରର ଅନ୍ୟ ଏକ ସହର ପୁଣେ। ଏଠାରେ ଥିବା ‘ଶ୍ରୀମନ୍ତ ଦଗୁଡୁସେଠ୍ ହଲ୍ୱଇ’ ଗଣେଶ ମନ୍ଦିର ଭାରତର ଦ୍ୱିତୀୟ ପ୍ରସିଦ୍ଧ ମନ୍ଦିର ଭାବେ ପରିଚିତ। ଚିତୋର ଜିଲ୍ଲାର କାଣିପକମ୍ଠାରେ ରହିଥିବା ବିନାୟକ ମନ୍ଦିର ସର୍ବପୁରାତନ ଐତିହାସିକ ଗଣେଶ ମନ୍ଦିର ମଧ୍ୟରୁ ଗୋଟିଏ। ରାଜସ୍ଥାନର ରଣଥାମ୍ବୋର ଜିଲ୍ଲାରେ ଥିବା ଗଣେଶ ମନ୍ଦିର ଭାରତର ଆଉ ଏକ ବିଶ୍ୱପ୍ରସିଦ୍ଧ ମନ୍ଦିର ଭାବେ ଖ୍ୟାତି ଅର୍ଜନ କରିଛି। ତାମିଲନାଡ଼ୁ ତିରୁଚିରାପଲ୍ଲୀରେ ରହିଛି ଏହି ବହୁପୁରାତନ ‘ରକ୍ ଫୋର୍ଟ ଉଚ୍ଚି ପିଲାୟାର୍ କୋଲି’ ନାମକ ଗଣେଶ ମନ୍ଦିର।
ବାସ୍ତୁଶାସ୍ତ୍ରରେ ଗଣେଶ :
ପ୍ରଥମ ପୂଜ୍ୟ ଶ୍ରୀଗଣେଶ। ନୂତନ ଘରେ ପ୍ରବେଶ ହେଉ ଅବା ଶୁଭ କାର୍ଯ୍ୟ, ସର୍ବ ପ୍ରଥମେ ଲୋଡା ହୁଅନ୍ତି ସେ। କାରଣ ତାଙ୍କୁ ପୂଜା କଲେ ସବୁକିଛି ମଙ୍ଗଳ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ। ଯଦି ଘରର ମୂଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ଖୋଲୁଥାଏ, ତେବେ ସେହି ଦ୍ୱାରର ଉପରେ (ତାହା ଘର ଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ। ଘରେ ପ୍ରବେଶ କରିବା ମାତ୍ରେ ଯଦି କିଛି ଅଜଣା ନକାରାତ୍ମକ ଭାବ ଉତ୍ପନ ହେଇଥିବା ମନେହୁଏ ତେବେ ଘରଭିତରେ ପ୍ରବେଶ ଦ୍ୱାରକୁ ମୁହଁ କରି ଅନାଇବା ଭଳି ୯ ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରିବା ଭଲ। ଘରର ଯେ କୌଣସି ଦିଗରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ ନୁହେଁ। ଗଣେଶଙ୍କ ଫଟୋ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବା ବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ।
ଡିଜିଟାଲ୍ ପ୍ଲାଟ୍ଫର୍ମରେ ଗଣପତି ଦର୍ଶନ :
ମହାମାରୀ ପାଇଁ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ହେବ ନାହିଁ ଧୁମ୍ଧାମ୍ ଗଣେଶ ପୂଜା। ଚଳିତ ବର୍ଷ ଗଣେଶ ପୂଜାକୁ ମନଭରି ଉପଭୋଗ କରିପାରିବେ ନାହିଁ ଭକ୍ତ। ତେଣୁ ଭକ୍ତଙ୍କ ମନରେ ଥିବା ଏହି ନିରାଶକୁ କିଛି ମାତ୍ରାରେ ହାଲୁକା କରିବା ଡିଜିଟାଲ୍ ପ୍ଲାଟ୍ଫର୍ମରେ ହେବ ଗଣପତି ଦର୍ଶନ। ଫେସ୍ବୁକ୍ ଲାଇଭ୍ ଜୁମ୍ ଓ ଗୁଗୁଲ୍ ଆଦି ଡିଜିଟାଲ୍ ପ୍ଲାଟଫର୍ମରେ ଦର୍ଶନ ଦେବେ ଶ୍ରୀଗଣେଶ। ପ୍ରତି ବର୍ଷ ଗଣେଶ ପୂଜା ପୂର୍ବରୁ ଚାଲିଥାଏ ବଡ଼ ଧରଣର ସାଜସଜା। ମଞ୍ଚ ବନ୍ଧାଠାରୁ ନେଇ ବିଭିନ୍ନ ପ୍ରକାରର ସାଜସଜ୍ଜାରେ ମଜି ରହିଥାନ୍ତି ଭକ୍ତ। ବିଭିନ୍ନ ପ୍ରଦେଶରେ ଗଣେଶ ଚତୁର୍ଥୀରୁ ନେଇ ୧୦ ଦିନ ପର୍ଯ୍ୟନ୍ତ ମଞ୍ଚାସିନ ହୋଇଥାନ୍ତି ଗଣପତି। ଶେଷର ନାଚ ଗୀତ ସାଥେ ବିସର୍ଜନ ହୁଅନ୍ତି ଗଣେଶ ଠାକୁର। ଏବର୍ଷ ସେ ସମସ୍ତ ସୁଯୋଗ ଭକ୍ତଙ୍କୁ ଯଦିଓ ମିଳିବ ନାହିଁ, ମାତ୍ର ଏବେ ବି ଗଶେଷ ପୂଜା ପାଇଁ କମିନାହିଁ ଉତ୍ସୁକତା। ଏଥର ଡିଜିଟାଲ୍ ପ୍ଲାଟଫର୍ମରେ ଝଲସିବେ ବପ୍ପା। ଦିଲ୍ଲୀର ସବୁଠାରୁ ପୁରୁଣା ମଣ୍ଡଳ ମଧ୍ୟରେ ଅନ୍ୟତମ ଅଳକାନନ୍ଦାର ମରାଠୀ ମିତ୍ର ମଣ୍ଡଳ ଫେସବୁକ ଲାଇଭ ଜରିଆରେ ଗଣପତିଙ୍କ ଆରତୀ ଦର୍ଶନ କରିବା ବ୍ୟବସ୍ଥା କରିଛି। ସେହିପରି ବିଭିନ୍ନ ସ୍ଥାନରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇଛି।
କୋରୋନା ପାଇଁ ପର୍ବପର୍ବାଣୀ ବ୍ୟାହତ :
କୋରୋନା ତାହାର କରାଳ କାୟା ବିସ୍ତାର କରି ଚାଲିଥିବା ବେଳେ ବିଭିନ୍ନ ଧର୍ମର ପର୍ବପର୍ବାଣୀ ଫିକା ପଡ଼ିଛି। ଏଯାବତ୍ ଦୋଳ ମେଲଣ ପରଠାରୁ ଚୈତ୍ର ପର୍ବ, ଝାମୁ ଯାତ୍ରା, ରଜ, ସାବିତ୍ରୀ, ରଥଯାତ୍ରା, ଇଦ୍, ଗୁଡ୍ ଫ୍ରାଇଡେ, ଇଷ୍ଟର, ବୁଦ୍ଧ ଜୟନ୍ତୀ ଆଦି ପର୍ବପର୍ବାଣୀ ବ୍ୟାହତ ହୋଇଥିବା ବେଳେ ଚଳିତ ଶ୍ରାବଣ ମାସରେ ଶୈବ ପୀଠରେ ଜଳଲାଗି କରି ନାହାନ୍ତି କାଉଡିଆ। ସେହିପରି ମଧ୍ୟ ରକ୍ଷାବନ୍ଧନ ନିରାଡମ୍ବର ଭାବେ ପାଳନ କରାଯାଇଛି। ସେହିପରି ଜନ୍ମାଷ୍ଟମୀ, ନନ୍ଦୋତ୍ସବ ମଧ୍ୟ ଫିକା ପଡ଼ିଥିବା ବେଳେ ଏବେ ଗଣେଶ ପୂଜାର ଉତ୍ସାହକୁ ମଧ୍ୟ ଧୋଇ ନେଇଛି କୋରୋନା। ସେହିପରି ଆଗକୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇଁ, ଇସଲାମ୍ ଧର୍ମାବଲମ୍ବୀମାନଙ୍କ ମହରମ୍ ଆଦି ପର୍ବପର୍ବାଣୀ ରହିଛି। ତେବେ କୋରୋନା କଟକଣା ଯୋଗୁ ସାମାଜିକ ଓ ଧାର୍ମିକ ସମାବେଶ କରାଯାଇପାରିବ ନାହିଁ। ତେଣୁ ଏହି ପର୍ବ ମଧ୍ୟ ଧୋଇଯିବ। ଭାଦ୍ରବ ମାସରେ ଓଡ଼ିଶାର ଗାଁ ଗହଳିରେ ହେଉଥିବା ଖୁଦୁରୁକୁଣୀ ପୂଜା ବି ଏ ବର୍ଷ ଯାକଯମକରେ ହୋଇପାରୁ ନାହିଁ। ବିଶ୍ୱକର୍ମା ପୂଜା ଓ ଗଣେଶ ଚତୁର୍ଥୀ ପୂର୍ବରୁ ଯେମିତି ଧୂମ୍ଧାମ୍ରେ ମେଢ, ବାଜା, ରୋଷଣୀ, ଆଲୋକ ସଜ୍ଜା, ଭୋଜିଭାତ ଆଦି ସହ ହେଉଥିଲା ଏଥର ସେମିତି ହେବ ନାହିଁ। ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ଗଣେଶ ପୂଜା କେବଳ ବିଧିରକ୍ଷା ପାଇଁ ହୋଇପାରେ। ଦଶହରା, କାଳୀପୂଜା ଆଦି ମଧ୍ୟ କୋରୋନା ମାଡ଼ରେ ବନ୍ଦ ହେବା ଆଶଙ୍କା ଅଧିକ।
